କୋଭିଡ୍‌ ମୃତକଙ୍କ ସଂପର୍କୀୟଙ୍କୁ ସହାୟତା ପ୍ରସଙ୍ଗ: ରାଜ୍ୟ ବାହାରେ ମୃତକଙ୍କ ପରିବାରଙ୍କୁ କିଛି ମିଳିନି

Advertisment
କୋଭିଡ୍‌ ମୃତକଙ୍କ ସଂପର୍କୀୟଙ୍କୁ ସହାୟତା ପ୍ରସଙ୍ଗ: ରାଜ୍ୟ ବାହାରେ ମୃତକଙ୍କ ପରିବାରଙ୍କୁ କିଛି ମିଳିନି

World Health Organization

ବାଲେଶ୍ବର: ଆସନ୍ତା ମେ ୨୮ ତାରିଖ କୋଭିଡ୍‌ ସହାୟତା ପାଇବାକୁ ଆବେଦନର ଶେଷ ତାରିଖ। ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମୃତ ବ୍ୟକ୍ତିଙ୍କ ପରିବାର ବା ସଂପର୍କୀୟ ଆବେଦନ କରିପାରିବେ। ଆବେଦନ କରିବାର ୩୦ ଦିନ ଭିତରେ ୫୦ ହଜାର ଟଙ୍କା ସହାୟତା ରାଶି ମୃତକଙ୍କ ପରିବାରକୁ ପ୍ରଦାନ କରାଯାଉଛି। ହେଲେ ଯାହା ଜଣାଯାଇଛି, ବାହାର ରାଜ୍ୟରେ ମୃତ୍ୟୁ ହୋଇଥିବା ପରିବାରକୁ ଏହି ସହାୟତା ମିଳିପାରୁନାହିଁ। ଯାହାଫଳରେ ଜିଲ୍ଲାରେ ବହୁ ଯୋଗ୍ୟ ହିତାଧିକାରୀ ସହାୟତାରୁ ବଂଚିତ ହୋଇଛନ୍ତି।

ଜିଲ୍ଲାରେ ସରକାରୀ ରିପୋର୍ଟ ଅନୁସାରେ, ୩୬୦ ଜଣ  କୋଭିଡ୍‌ରେ ମୃତ୍ୟୁ ହୋଇଥିବା ବେଳେ ୩୧୫ ଜଣ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିରୁ ୨୯୮ ଜଣଙ୍କୁ ୧ କୋଟି ୪୯ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ବାକି ହିତାଧିକାରୀଙ୍କୁ ସହାୟତା ମିଳିପାରିନାହିଁ। ସେହିପରି ‌ସରକାରୀକୁ ରିପୋର୍ଟକୁ ଛାଡ଼ି ଦେଲେ, ଜିଲ୍ଲାରେ ୪୧୯ ଜଣ ହିତାଧିକାରୀ ଆବେଦନ କରିଛନ୍ତି। ଏଥିରୁ ୩୮୫ ଜଣ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୩୬୭ ଜଣଙ୍କୁ ୧ କୋଟି ୮୩ ଲକ୍ଷ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ବାକି ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ବାହାର ରାଜ୍ୟରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ହେଲେ ଏମାନେ ସହାୟତା ରାଶି ପାଇବାରୁ ବଂଚିତ ହୋଇଛନ୍ତି। ନିୟମ ଦୃଷ୍ଟିରୁ ଯେଉଁ ରାଜ୍ୟରେ ପ୍ରାଣ ହରାଇଛନ୍ତି ଉକ୍ତ ରାଜ୍ୟ ସହାୟତା ପ୍ରଦାନ କରିବା କଥା। କିନ୍ତୁ ବହୁ ପରିବାରଙ୍କ ପକ୍ଷେ ଉକ୍ତ ରାଜ୍ୟକୁ ଯାଇ କାଗଜପତ୍ର ସହ ଆବେଦନ କରିବା ସମ୍ଭବପର ହେଉନାହିଁ। ସେମିତି ବହୁ ପ୍ରବାସୀ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଘରକୁ ଫେରୁଥିବା ବେଳେ ରାସ୍ତାରେ ପ୍ରାଣ ହରାଇଛନ୍ତି। ସେମାନଙ୍କ ପରିବାର ଚାହିଁଲେ ବି ସହାୟତା ପାଇଁ ଆବେଦନ କରିପାରୁନାହାନ୍ତି। କିଛି ମୃତକଙ୍କ ପରିବାର ବାଲେଶ୍ବର ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ ଠାରେ ଆବେଦନ କରିଛନ୍ତି। ହେଲେ ନିୟମ ନ ଥିବାରୁ ସେମାନଙ୍କୁ ସହାୟତା ମିଳିପାରିନାହିଁ। ଯାହାଫଳରେ ଆଜିଯାଏଁ ବାହାର ରାଜ୍ୟରେ ମୃତ୍ୟୁ ହୋଇଥିବା ଜଣେ ବି ମୃତକଙ୍କ ପରିବାରକୁ ସହାୟତା ମିଳିନାହିଁ। ତେଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଇ ଆବେଦନର ବ୍ୟବସ୍ଥା କଲେ ବହୁ ମୃତକଙ୍କ ପରିବାର ଉପକୃତ ହୋଇପାରନ୍ତେ ବୋଲି ଦାବି ହୋଇଛି।

ଏ ସଂପର୍କରେ ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ରିଜୁଆନା କଅକବ୍‌ କହିଛନ୍ତି, ଅନ୍ୟ ରାଜ୍ୟର ଲୋକେ ବାଲେଶ୍ବରରେ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ତରଫରୁ ସହାୟତା ‌ପ୍ରଦାନ କରାଯାଇଛି। ତେଣୁ ଆମ ଜିଲ୍ଲାର ଲୋକେ ଯେଉଁ ରାଜ୍ୟରେ ପ୍ରାଣ ହରାଇଛନ୍ତି ଉକ୍ତ ରାଜ୍ୟ ସହାୟତା ପ୍ରଦାନ କରାଯିବା କଥା। ତଥାପି ଆମ ପାଖକୁ ଯେତିକି ଅଭିଯୋଗ ଆସିଛି ତାର ତଦନ୍ତ କରି ସମ୍ପୃକ୍ତ ରାଜ୍ୟ ପ୍ରଶାସନ ନିକଟକୁ   ପଠାଇବାକୁ ଚେଷ୍ଟା କରୁଛୁ।  ଯେପରି କେହି ସରକାରୀ ସହାୟତା ପାଇବାରୁ ବଂଚିତ ନ ହୁଅନ୍ତି ସେଥିପାଇଁ ସବୁ ବ୍ଲକରେ ସଚେତନତା ସୃଷ୍ଟି କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe