୨୦ରୁ କୃଷି ଓଡ଼ିଶା : ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ, ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ

Advertisment

ଯୋଗଦେବେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ୧୧୨ଟି କମ୍ପାନି

ଯୋଗଦେବେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ୧୧୨ଟି କମ୍ପାନି

୨୦ରୁ କୃଷି ଓଡ଼ିଶା : ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ, ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ

ଭୁବନେଶ୍ୱର : ଜାନୁଆରି ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନଠାରେ ‘କୃଷି ଓଡ଼ିଶା-୨୦୨୦’ ଆୟୋଜିତ ହେବ। ଏହି ୫ ଦିନିଆ କାର୍ଯ୍ୟକ୍ରମକୁ ୨୦ ତାରିଖ ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଜାନୁଆରି ୨୪ରେ ଆୟୋଜିତ ହେବାକୁ ଥିବା ଉଦ୍‌ଯାପନୀ ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚଳିତବର୍ଷ କୃଷି କ୍ଷେତ୍ରରେ ସମବାୟ ଓ ବାଣିଜ୍ୟିକ ବ୍ୟାଙ୍କ, ପଞ୍ଚାୟତିରାଜ ଜନ ପ୍ରତିନିଧି ଓ ମହିଳାଙ୍କ ଭୂମିକାକୁ ଗୁରୁତ୍ୱ ପ୍ରଦାନ କରାଯାଇ ୨୧ ତାରିଖକୁ ସମବାୟ ଓ ବ୍ୟାଙ୍କିଙ୍ଗ୍‌ ଦିବସ, ୨୨ ତାରିଖକୁ ପଞ୍ଚାୟତିରାଜ ଜନ ପ୍ରତିନିଧି ଦିବସ ଏବଂ ୨୩ ତାରିଖକୁ ମହିଳା ଦିବସ ଭାବରେ ରଖାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।

ଜନତା ମଇଦାନରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ସାହୁ କହିଲେ କୃଷି କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ପ୍ରଦର୍ଶନ ଲକ୍ଷ୍ୟରେ ଚଳିତବର୍ଷ ୨୨୮ଟି ଷ୍ଟଲ୍‌ ନିର୍ମିାଣ କରାଯାଇଛି। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ୧୧୨ଟି କମ୍ପାନି ଯୋଗଦେବେ। ଦେଶବିଦେଶରେ କୃଷି କ୍ଷେତ୍ରରେ ଘଟୁଥିବା ନୂତନ ଜ୍ଞାନକୌଶଳ ଓ କୃଷି ପ୍ରଣାଳୀ ସହ ଓଡ଼ିଶାର ଚାଷୀମାନଙ୍କୁ ପରିଚିତ କରାଇବା ନିମନ୍ତେ ପ୍ରତିଦିନ ଆଲୋଚନାଚକ୍ର ଓ ପାଠଶାଳାର ଆୟୋଜନ କରାଯାଇଛି। ଯେଉଁଥିରେ ଜାତୀୟ ଓ ଅନ୍ତର୍ଜାତୀୟ କୃଷି ବିଜ୍ଞାନୀ, କୃଷି ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଭାଗନେବେ।

ଶ୍ରୀ ସାହୁ ଆହୁରି କହିଲେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ଋଣ ଯୋଗାଣ କ୍ଷେତ୍ରରେ ବ୍ୟାଙ୍କମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ୨୨ ତାରିଖରେ ରାଜ୍ୟର ବ୍ୟାଙ୍କ ଅଧିକାରୀମାନଙ୍କର ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଛି। ଏଥିରେ ରାଜ୍ୟର ପ୍ରାୟ ୫୦୦ ବ୍ୟାଙ୍କ ଅଧିକାରୀମାନେ ଯୋଗଦେବେ। ଜଳବାୟୁ ଆଧାରିତ କୃଷି ଜ୍ଞାନକୌଶଳ, ଜଳସମ୍ପଦର ସୁବିନିଯୋଗ, ବିଭିନ୍ନ କୃଷି ସମସ୍ୟାର ସ୍ଥାୟୀ ସମାଧାନ, ମୂଲ୍ୟଯୁକ୍ତ ଉତ୍ପାଦ ପାଇଁ ବଜାର ସଂଯୋଗ, କୃଷି ଉଦ୍ୟୋଗୀମାନଙ୍କ ପାଇଁ ମୂଲ୍ୟ-ଶୃଙ୍ଖଳ ପରିଚାଳନା, ଫସଲ ଅମଳ ପରବର୍ତ୍ତୀ ପରିଚାଳନା, କୃଷିକ୍ଷେତ୍ରରେ ବୀମାଭିତ୍ତିକ ଆପଦକାଳୀନ ସ୍ଥିତି ପରିଚାଳନା, ଲାଭପ୍ରଦ କୃଷି ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭୂମିକା ଓ ଦାୟିତ୍ୱ ବିଷୟରେ ଏଠାରେ ଆଲୋଚନା କରାଯିବ। ପ୍ରତିଦିନ ସନ୍ଧ୍ୟାରେ ଅଗ୍ରଣୀ ଚାଷୀ ଓ ଉତ୍ପାଦକ ସଂସ୍ଥାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe