ଫୁଲିଲାଣି କୁଆଖାଇ, କୁଶଭଦ୍ରା, ଭାର୍ଗବୀ

ଜିଲ୍ଲାପାଳଙ୍କ ସ୍ଥିତି ସମୀକ୍ଷା

ଫୁଲିଲାଣି କୁଆଖାଇ, କୁଶଭଦ୍ରା, ଭାର୍ଗବୀ

ବାଲିଅନ୍ତା/ବାଲିପାଟଣା: ହୀରାକୁଦ ଜଳଭଣ୍ଡାରରୁ ୩୪ଟି ଗେଟ୍‌ ଖୋଲିବା ପରେ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବାଲିଅନ୍ତା-ବାଲିପାଟଣା ଦେଇ ପ୍ରବାହିତ କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଦୟାନଦୀ ଜଳସ୍ତର ମଧ୍ୟ ବଢ଼ୁଛି। ତେଣୁ ଆସନ୍ତାକାଲି ସୁଦ୍ଧା ଉପରୋକ୍ତ ୩ ନଦୀରେ ବନ୍ୟାଜଳ ଅପେକ୍ଷାକୃତ ଭାବେ ବୃଦ୍ଧି ପାଇବ ବୋଲି ବାଲିଅନ୍ତା ପଞ୍ଚାୟତସ୍ଥିତ କେନାଲ ସବ୍‌-ଡିଭିଜନ୍‌ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ଜଳସେଚନ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ଭୀମସେନ ବେହେରାଙ୍କ ସୂଚନା ଅନୁସାରେ, କୁଶଭଦ୍ରା ନଦୀର ବିପଦ ସଙ୍କେତ ୧୮.୨୫ ମିଟର ହୋଇଥିବା ବେଳେ ଏବେ ଜଳସ୍ତର ୧୪.୫ ମିଟର ତଳେ ଅଛି। ଆସନ୍ତାକାଲି ସକାଳ ସୁଦ୍ଧା ନଦୀରେ ବନ୍ୟାପାଣି ବୃଦ୍ଧି ପାଇବ। ଅପରାହ୍‌ଣ ୩ଟା ସୁଦ୍ଧା କୁଆଖାଇ ନଦୀରେ ୧ଲକ୍ଷ ୩୦ ହଜାର କ୍ୟୁ‌ସେକ୍‌ ଏବଂ କୁଶଭଦ୍ରାରେ ୭୦ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେବ। ସେହିପରି କୁଆଖାଇ ବନ୍ୟାଜଳ ଭାଗ ହୋଇ ଭାର୍ଗବୀ ଓ ଦୟାନଦୀରେ ପ୍ରବାହିତ ହେବ ବୋଲି ଜଣାଯାଇଛି। ଆଜି ସଂଧ୍ୟା ସୁଦ୍ଧା କୁଆଖାଇରେ ୭୦ ହଜାର କ୍ୟୁସେକ ଓ କୁଶଭଦ୍ରାରେ ୩୦ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ଜଳସେଚନ ସହକାରୀ ଯନ୍ତ୍ରୀ ଶ୍ରୀ ବେହେରାଙ୍କ ସମେତ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାନ୍ତ କୁମାର ଷଡ଼ଙ୍ଗୀ ଓ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ବେହେରା ପ୍ରମୁଖ କୁଆଖାଇ ନଦୀର ହଂସପାଳ, ବାଲିଅନ୍ତା, ପଥରକୋଟ, ‌ ନୋଳିଆସାହି ବସ୍ତି, ନହରକଣ୍ଟା ଓ ହରିଦାଶପୁର ଆଦି ନଦୀ ଉପକୂଳବର୍ତ୍ତୀ ଗ୍ରାମ ନିକଟରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ବନ୍ୟା ପରିସ୍ଥିତି ନିରୀକ୍ଷଣ କରିଥିଲେ। ବନ୍ୟା ନିୟନ୍ତ୍ରଣ ପାଇଁ ବାଲିବସ୍ତା ବୋହିବା ଲାଗି ଟ୍ରାକ୍ଟର, ଶ୍ରମିକ ଓ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀ ସଜାଗ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଅନୁରୂପ ଭାବେ ଆଜି ଦିନ ୧ଟାରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଭୁବନେଶ୍ବର ଏଡିଏମ୍‌ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କ ସମେତ ଉପଜିଲ୍ଲାପାଳ ଦେବବ୍ରତ ସାହୁ ଓ ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ପ୍ରମୁଖ ଉଭୟ ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଅଞ୍ଚଳର ବିଭିନ୍ନ ଦୁର୍ବଳ ନଦୀବନ୍ଧ ସ୍ଥାନ ଅଞ୍ଚଳ ବୁଲି ଦେଖିବା ସହ ଉପକୂଳବର୍ତ୍ତୀ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ପ୍ରଥମେ ସୁଦର୍ଶନଦେବ ଦାରୁପୀଠ ନିକଟ କୁଆଖାଇ ନଦୀର ଗଡ଼ଶ୍ରୀରାମପୁର ପେଟାଘାଇ ସ୍ଥାନ, କଣ୍ଟୁଣିଆ, ହୀରାପୁର, ସତ୍ୟଭାମାପୁର, ଇନ୍ଦ୍ରପାଳ, ରଥିଜେମା ଆଦି ଅଞ୍ଚଳ ବୁଲି ଦେଖିଥିଲେ। ଏହାପରେ ବଇଁଚୁଆ କାଜ ଅଞ୍ଚଳ ବିପଦସଂକେତ ଖୁଣ୍ଟସ୍ଥଳ ବୁଲି ଦେଖିଥିଲେ। ଏହାପରେ ଅଚ୍ୟୁତପୁର କାଜ ନିକଟରେ ପହଞ୍ଚି ସାମଗ୍ରିକ ସମସ୍ୟା ଉପରେ ବାଲିପାଟଣା ତହସିଲଦାର ମୁତ୍ୟୁଞ୍ଜୟ ତ୍ରିପାଠୀଙ୍କ ସହ ଆଲୋଚନା କରିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏଯାଏ କୁଶଭଦ୍ରା ବନ୍ୟାଜଳ ବଇଁଚୁଆ କାଜ ଦେଇ ଧନୁଆକୁ ପଶି ନଥିବାରୁ ବନ୍ୟା ପରିସ୍ଥିତି ଉପୁଜି ନାହିଁ। ଧନୁଆରେ ବନ୍ୟାଜଳ ପ୍ରବାହିତ ହେଲେ ଆଖପାଖ ଗ୍ରାମ ଜଳାର୍ଣ୍ଣବ ହୋଇଥାଏ। ସେହିପରି ବାଲିପାଟଣା ବ୍ଲକ ଅଧୀନ ଅଚ୍ୟୁତପୁର କାଜଦେଇ ଭାର୍ଗବୀକୁ ପଶିଲେ ଅଚ୍ୟୁତପୁର, ପୁରୋହିତପୁର ପଞ୍ଚାୟତ ଅଧୀନ ନଅବାଟି, ତେରବାଟି, ବିନ୍ଧା, ରାଜସ, ଜନାର୍ଦ୍ଦନପୁର, ଗରିଆ, ଟିକିପଡ଼ା, ପମ୍ପାଲୋ, ବାରିଜଙ୍ଗ ଓ ଝିଣ୍ଟିଶାସନ ଗ୍ରାମ ଜଳାର୍ଣ୍ଣବ ହୋଇପଡ଼େ। ରାତି ସାଢ଼େ ୮ଟା ସୁଦ୍ଧା ବନ୍ୟାଜଳ ଯୋଗୁଁ କୌଣସି ସ୍ଥାନ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇନଥିବା ବେଳେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe