ଭିଜିଲାନ୍ସ ଜାଲରେ କୁବେର ଆୟୁର୍ବେଦ ଡାକ୍ତର: ୨୮ ଜମି, ୩ କୋଠା

Advertisment
ଭିଜିଲାନ୍ସ ଜାଲରେ କୁବେର ଆୟୁର୍ବେଦ ଡାକ୍ତର: ୨୮ ଜମି, ୩ କୋଠା

ଭୁବନେଶ୍ବର/ବଲାଙ୍ଗୀର/ପୁରୀ/ସାକ୍ଷୀଗୋପାଳ/ଗୋପ: କୁବେର ଆୟୁର୍ବେଦ ଡାକ୍ତର। ଆଖି ଖୋସି ଦେଲା ଭଳି ଜମି, କୋଠା। ମାତ୍ର ସପ୍ତାହେ ତଳେ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ୍‌ ମେଡିକାଲ୍‌ କଲେଜରୁ ବଲାଙ୍ଗୀର ସରକାରୀ ଆୟୁର୍ବେଦିକ୍‌ କଲେଜ ଓ ଡାକ୍ତରଖାନା ଅଧ୍ୟକ୍ଷ ଭାବେ ବଦଳି ହୋଇ ଯାଇଥିବା ପ୍ରଫେସର ଡାକ୍ତର ସୁଦର୍ଶନ ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ କରାଯାଇଛି। ଚଢ଼ଉ ସମୟରେ ବିପୁଳ ପରିମାଣର ସମ୍ପତ୍ତି ଜବତ କରାଯାଇଛି। ଜମି ଓ କୋଠା ଦେଖି ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ତାଜୁବ୍ ହୋଇ ଯାଇଛନ୍ତି। ଚଢ଼ଉ ଜାରି ରହିଥିବାରୁ ସମ୍ପତ୍ତିର ପରିମାଣ ବଢ଼ିପାରେ ବୋଲି କୁହାଯାଉଛି।

ଭିଜିଲାନ୍ସ ସୂଚନା ମୁତାବକ, ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ଡାକ୍ତର ବେହେରାଙ୍କ ଗାଁ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଶ୍ରୀରାମଚନ୍ଦ୍ରପୁରର ନହଳାସ୍ଥିତ ଘର, ଜୟପୁରସ୍ଥିତ ଘର, ପୁରୀ ସଦର ବ୍ଲକ କାଶୀହରିପୁରସ୍ଥିତ ଘର, ସାକ୍ଷୀଗୋପାଳର ଗୋପୀନାଥ ଡାକ୍ତରଖାନା, ଗୋପ ଥାନା ସୋରିସିଆପଡ଼ାର ଶିମିଳି ଗାଁରେ ଥିବା ଘର, ବଲାଙ୍ଗୀର ସରକାରୀ ଆୟୁର୍ବେଦିକ୍‌ କଲେଜ ଓ ଡାକ୍ତରଖାନା କାର୍ଯ୍ୟାଳୟ, ସମ୍ବଲପୁର ସିଆରପିଏଫ୍‌ କ୍ୟାମ୍ପସସ୍ଥିତ କ୍ବାର୍ଟର ଆଦି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା। ଚଢ଼ଉ ପରେ ଡା. ବେହେରାଙ୍କ ନାଁରେ ସାକ୍ଷୀଗୋପାଳ ବ୍ଲକ ଛକରେ ୪୫୦୦ ବର୍ଗଫୁଟରେ ତିନି ମହଲା ଘର, ଶ୍ରୀରାମଚନ୍ଦ୍ରପୁର ନହଳାରେ ଦୁଇମହଲା କୋଠା, ଗୋପ ସୋରିଷିଆପଡ଼ାରେ ଏକମହଲା କୋଠା, ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ଦୋକାନ ଘର ଠାବ କରାଯାଇଛି। ସେହିପରି ଭୁବନେଶ୍ବର, ଗୋପ, ପିପିଲି ଓ ସତ୍ୟବାଦୀରେ ୨୮ ପ୍ଲଟ୍, ୩ଟି ଦାମୀ ଚାରିଚକିଆ, ୧୯ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ଆସବାବପତ୍ର ଠାବ କରାଯାଇଛି।

ପୋଷ୍ଟାଲ ଓ ଅନ୍ୟ କେଉଁଠି ଟଙ୍କା ଜମା ରହିଛି କି ନାହିଁ ସେ ନେଇ ପୁଲିସ ଖୋଳତାଡ଼ ଚଳାଇଛି। ସେହିପରି ୩୨ ଲକ୍ଷ ଟଙ୍କାର ତିନିଟି ଦାମୀ ଗାଡ଼ି ମଧ୍ୟ ଠାବ କରାଯାଇଛି। ବିପୁଳ ପରିମାଣର ସମ୍ପତ୍ତି ଜବତ କରିବା ପରେ ଭିଜିଲାନ୍ସ ଖୋଳତାଡ଼ ଚଳାଇଛି। ଡାକ୍ତର ସୁଦର୍ଶନ ବେହେରାଙ୍କୁ ପଚରାଉଚରା କରାଯାଉଛି। ମୋଟ ସମ୍ପତ୍ତିର ପରିମାଣ ହିସାବ କରାଯାଉଛି। ଏହା କୋଟି କୋଟି ଟଙ୍କା ହେବ ବୋଲି ଅନୁମାନ କରୁଛି ଭିଜିଲାନ୍ସ। ଆଜି ସକାଳୁ ଆରମ୍ଭ ହୋଇଥିବା ଚଢ଼ଉ ସନ୍ଧ୍ୟା ପରେ ଶେଷ ହୋଇଥିଲା। ଏଥିରେ ୭ ଡିଏସପି, ୫ ଇନ୍ସପେକ୍ଟର ଓ ୮ ଏଏସ୍ଆଇ ସାମିଲ ହୋଇଥିଲେ। ସବୁ ଗାଡ଼ି ନମ୍ବର ୩୨୩୨ ଡାକ୍ତର ସୁଦର୍ଶନ ବେହେରାଙ୍କ ନିଜ ନାଁରେ ମହିନ୍ଦ୍ରା ସ୍କର୍ପିଓ ଭିଏଲ୍‌ଏକ୍ସ(ଓଡି-୦୨ବିଟି-୩୨୩୨), ପତ୍ନୀଙ୍କ ନାଁରେ ୭ ଲକ୍ଷ ଟଙ୍କାର ଏକ ଟୟୋଟୋ ଇଟିଓସ୍‌ କ୍ରସ୍‌-ଜି କାର(ଓଡି-୦୨ବିଏ-୩୨୩୨) ଓ ହୋଣ୍ଡା ସିଟି କାର(ଓଆର-୦୨-ବିପି-୩୨୩୨) ରହିଛି। ଯାହାକୁ ନେଇ ଚର୍ଚ୍ଚା କରାଯାଉଛି ଡାକ୍ତରଙ୍କର ଗାଡ଼ି ସଉକ ରହିଛଇ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe