କୁଚିଣ୍ଡା ବିଧାନସଭା ରାଜନୀତି: ଯେତେ ନେତା, ସେତେ ମୁଣ୍ଡବ୍ୟଥା

କୁଚିଣ୍ଡା ବିଧାନସଭା ରାଜନୀତି: ଯେତେ ନେତା, ସେତେ ମୁଣ୍ଡବ୍ୟଥା

ସମ୍ବଲପୁର/କୁଚିଣ୍ଡା: ସମ୍ବଲପୁର ଜିଲ୍ଲାର କିଷାନ ଜାତିବହୁଳ କୁଚିଣ୍ଡା ବିଧାନସଭା କ୍ଷେତ୍ରରେ ଜଣେ ପରେ ଜଣେ କିଷାନ ନେତା ଅନ୍ୟ ଦଳରୁ ଆସି ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି। ଦୁଇ ସପ୍ତାହ ପୂର୍ବରୁ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ବିଜେପି ଛାଡ଼ି ବିଜେଡିରେ ମିଶିଥିବା ବେଳେ ଗତକାଲି ଅନ୍ୟ ଜଣେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ ମଧ୍ୟ କଂଗ୍ରେସ ଛାଡ଼ି ରାଜ୍ୟ ଶାସକ ଦଳରେ ସାମିଲ ହୋଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନ ସମୟରେ ୨୦୧୯ ମସିହାର ଏହି ବିଧାନସଭା କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ଶୋଭାରାମ ପ୍ରଧାନ ବିଜେଡିକୁ ଆସିଥିଲେ। ଅପରପକ୍ଷରେ କୁଚିଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭୁବନେଶ୍ୱର କିଷାନ ଏବଂ ପୁରୁଖା ବିଜେଡି କର୍ମୀ ମହେନ୍ଦ୍ର ବାଘ ମଧ୍ୟ କୁଚିଣ୍ଡା ବିଧାନସଭା ଆସନ ପାଇଁ ଟିକେଟ ଆଶାୟୀ ରହିଛନ୍ତି। ଏମାନଙ୍କ ବ୍ୟତୀତ ବାମରାର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସଦାନନ୍ଦ କୁଜୁର, କୁଚିଣ୍ଡା ଲାମ୍ପସର ପୂର୍ବ ସଭାପତି ମନୋରଂଜନ ଭୋଇ ମଧ୍ୟ ଏହି ‌ଦୌଡ଼ରେ ରହିଛନ୍ତି।

ବର୍ତ୍ତମାନର ବିଧାୟକ କିଶୋର ନାୟକ ଟିକେଟ ପାଇଁ ପ୍ରମୁଖ ଦାବିଦାର ରହିଛନ୍ତି। ଗତ ନିର୍ବାଚନରେ କିଶୋର ବିଜେପି ଛାଡ଼ି ବିଜେଡି ଟିକେଟରେ ଲଢ଼ିଥିଲେ ଆଉ ଦଳ ପାଇଁ ସେ ଶୁଭଙ୍କର ସାବ୍ୟସ୍ତ ହୋଇଥିଲେ। କିଶୋରଙ୍କ ବିଜୟ ସହିତ ବିଜେଡି ପ୍ରଥମ ଥର ପାଇଁ ଏହି ଆସନରୁ ବିଜୟୀ ହୋଇଥିଲା। ହେଲେ ଦଳ ତାଙ୍କୁ ନେଇ ସମ୍ଭବତଃ ଦ୍ବନ୍ଦ୍ବରେ ରହିଛି। କୁଚିଣ୍ଡା ବିଧାନସଭା କ୍ଷେତ୍ରରେ ପ୍ରାୟ ୭୦ ହଜାର କିଷାନ ଜାତିର ଭୋଟର ଥିବାରୁ ବିଜେଡି ଏହି ଜାତିର ନେତାଙ୍କୁ ସମ୍ଭବତଃ ଗୁରୁତ୍ବ ଦେଇ ଦୁଇ ଜଣ ପୂର୍ବତନ ବିଧାୟକଙ୍କୁ ବିଜେଡିରେ ସାମିଲ କରିଛି। ନବାଗତ ରାଜେନ୍ଦ୍ର ଛତ୍ରିଆ ଓ ବୃନ୍ଦାବନ ମାଝୀଙ୍କ ମଧ୍ୟରୁ କାହାରିକୁ ଟିକେଟ ଦେଲେ ଅନ୍ୟ ଜଣେ ଅସନ୍ତୁଷ୍ଟ ହେ‌ବା ସ୍ବାଭାବିକ। ପୂର୍ବରୁ ଦଳରେ ଥିବା ୩ ଜଣ କିଷାନ ନେତା ବି ବିଦ୍ରୋହ କରିବାର ଆଶଙ୍କା ରହିଛି। ପୂର୍ବରୁ ନିଜସ୍ବ ସଂଗଠନ କରିଥିବା ନେତାମାନେ ନବାଗତ ନେତାଙ୍କୁ ସମର୍ଥନ ଜଣାଇବା ନେଇ ସନ୍ଦେହ ରହିଛି। ଅପରପକ୍ଷରେ କିଷାନ ଜାତି ବି ଦୁଇଟି ବର୍ଗରେ ବିଭାଜିତ ହୋଇଥିବା ଏବଂ ଅଧିକାଂଶ ନେତା ଗୋଟିଏ ବର୍ଗର ହୋଇଥିବାରୁ ଅନ୍ୟ ବର୍ଗର ସମର୍ଥନ ମିଳିବା କଷ୍ଟକର ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe