ଦିଲ୍ଲୀ, ରାଞ୍ଚି, ପାଟଣା ବଜାରରେ କୁଚିଣ୍ଡା ଆମ୍ବ

Advertisment
ଦିଲ୍ଲୀ, ରାଞ୍ଚି, ପାଟଣା ବଜାରରେ କୁଚିଣ୍ଡା ଆମ୍ବ

କୁଚିଣ୍ଡା: ଓଡ଼ିଶାରେ ଲିଚୁ ପାଇଁ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ପ୍ରସିଦ୍ଧି ଥିବା ବେଳେ ଏବେ ଏଠାକାର ଆମ୍ବର ଭାଉ ବି ବଢ଼ିଛି। କୁଚିଣ୍ଡା ଅଞ୍ଚଳର ଆମ୍ବ ଏବେ ଦିଲ୍ଲୀ‌, ରାଞ୍ଚି ଓ ପାଟଣା ବଜାରରେ ପହଞ୍ଚିଛି।

ରାଜରାଜୁଡ଼ା ଶାସନରେ ବାମଣ୍ଡା ରାଜା ସାଲେଭାଡି ପଞ୍ଚାୟତ ଅନ୍ତର୍ଗତ ହିଞ୍ଜିରକେଲା ଓ ବଡ଼ବାହାଲରେ ଲିଚୁ ଓ ଆମ୍ବ ବଗିଚା ସୃଷ୍ଟି କରିଥିଲେ। ସେ ସମୟରେ ଏଠାରୁ ଉତ୍ପାଦିତ ଫଳ ଇଂଲଣ୍ଡକୁ ରପ୍ତାନୀ ହେଉଥିଲା। ୨୦୦୦ ମସିହାରେ ଯୁବ ଆଇଏଏସ୍‌ ଅଫିସର ଭାସ୍କର ଜ୍ୟୋତି ଶର୍ମା କୁଚିଣ୍ଡାର ଉପଜିଲ୍ଲାପାଳ ଓ ପିଏ ଆଇଟିଡିଏ ଦାଇତ୍ୱରେ ରହିବା ପରେ ଏହି ଅଞ୍ଚଳରେ ଲିଚୁ ଚାଷକୁ ଗୁରୁତ୍ବ ଦେଇଥିଲେ। ଲିଚୁ ସହିତ ଆମ୍ବ ବଗିଚା ବି କରାଯାଇଥିଲା। ଫଳରେ ଏବେ କୁଚିଣ୍ଡା ଉପଖଣ୍ଡରେ ବହୁ ପରିମାଣରେ ଆମ୍ବ ଓ ଲିଚୁ ଗଛ ହୋଇଛି। ଅନ୍ୟ ବର୍ଷ ତୁଳନାରେ ଚଳିତ ବର୍ଷ ଏହି ଅଞ୍ଚଳରେ ଲିଚୁ କମ୍‌ ଓ ଆମ୍ବ ପ୍ରଚୁର ପରିମାଣରେ ଆସିଛି। ଗତ ଦୁଇ ବର୍ଷ ହେବ ବିହାର, ଛତିଶଗଡ଼, ଝାରଖଣ୍ଡ ଅଞ୍ଚଳରେ ଆମ୍ବ ଦର ଅଧିକ ରହିଥିବାରୁ ସେ ଅଞ୍ଚଳର ବ୍ୟବସାୟୀମାନେ ଏ ଅଞ୍ଚଳରୁ ଆମ୍ବ ସଂଗ୍ରହ କରୁଛନ୍ତି। ସେମାନେ ଏଠାକୁ ଆସି ଚାଷୀଙ୍କ ସହ ମୁଲଚାଲ କରି ନିଜ ଲୋକ ଲଗାଇ ଗଛରୁ ଆମ୍ବ ସଂଗ୍ରହ କରି ନେଉଛନ୍ତି।

ଏହି ଅଞ୍ଚଳରେ ହେଉଥିବା ଲେଙ୍ଗଡା, ଦଶରୀ, ବାଇଗନପଲି, ସୁନ୍ଦରୀ, ଆଲଫାନସ, ହେମସାଗର, ମାଲଦା, ଆମ୍ରପଲି ଆମ୍ବର ଚାହିଦା ରହିଛି। ଚାଷୀ ଚଳିତ ବର୍ଷ କେଜି ପ୍ରତି ୨୦ ଟଙ୍କାରୁ ୩୫ଟଙ୍କା ପର୍ଯ୍ୟନ୍ତ ଦରରେ ଆମ୍ବ ବିକ୍ରି କରୁଛନ୍ତି। ଚଳିତ ବର୍ଷ ଯେପରି ଭାବରେ ଆମ୍ବ ବେପାର ଚାଲିଛି ଆମ୍ବ ଋତୁ ସରିବା ବେଳକୁ ଲିଚୁଠାରୁ ବି ଅଧିକ ବେପାର ହେବ ବୋଲି ଜଣାପଡ଼ିଛି। ଏହି ଅଞ୍ଚଳର ବହୁ ଶିକ୍ଷିତ ବେକାର ଯୁବକ ଆମ୍ବ, ଲିଛୁ ବଗିଚା ସୃଷ୍ଟି କରି ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ବହୁ  ଲୋକଙ୍କୁ ରୋଜଗାର ଯୋଗାଇବାରେ ସଫଳ ହୋଇଛନ୍ତି। ତେବେ ଲଇଡାଗୁଣା ଅଞ୍ଚଳରେ କିଛି ଏସ୍‌ଏଚ୍‌ଜି ଫଳ ଚାଷ କରୁଛନ୍ତି। ସେମାନଙ୍କର ଉତ୍ପାଦିତ ଫଳ ସିଧାସଳଖ ଦିଲ୍ଲୀ ବଜାରରେ ବିକ୍ରି ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe