ଅନୁସୂଚିତ ଜନଜାତି ବର୍ଗରେ ପୁନଃ ସାମିଲ ଦାବି : ଗର୍ଜିଲା କୁଡୁମୀ ସେନା

ଅନୁସୂଚିତ ଜନଜାତି ବର୍ଗରେ ପୁନଃ ସାମିଲ ଦାବି : ଗର୍ଜିଲା କୁଡୁମୀ ସେନା

ଭୁବନେଶ୍ୱର : ଅନୁସୂଚିତ ଜନଜାତି ବର୍ଗରେ ପୁନଃ ସାମିଲ କରିବା ଦାବି ନେଇ ଆଜି କୁଡ଼ୁମୀ ସେନା ପକ୍ଷରୁ ଲୋୟର୍‌ ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେନାର ହଜାର ହଜାର କର୍ମକର୍ତ୍ତା ଖଣ୍ଡା, ଲଙ୍ଗଳ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାଷ୍ଟରକ୍ୟାଣ୍ଟିନ୍‌ରୁ ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ସେନାର କର୍ମକର୍ତ୍ତା ଖେଳି ଯିବାରୁ ଘଣ୍ଟା ଘଣ୍ଟା ଧରି ଯାତାୟାତ ଠପ୍‌ ହୋଇଯାଇଥିଲା। ପରେ ବିକ୍ଷୋଭକାରୀମାନେ ବିଧାନସଭା ଆଡ଼କୁ ମୁହାଁଇବାରୁ ସେଠାରେ ମୁତୟନ ପୁଲିସ ସେମାନଙ୍କୁ ବାଧା ଦେଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ତେବେ ଆନ୍ଦୋଳନକାରୀଙ୍କୁ ପୁଲିସ ବୁଝାସୁଝା କରିବାରୁ ପରିସ୍ଥିତି ଆୟତ୍ତାଧୀନ ହୋଇଥିଲା। ପରେ ସେନାର ସଭାପତି ଜୈମୁନୀ ମହାନ୍ତଙ୍କ ନେତୃତ୍ବ‌‌ରେ ଏକ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଭେଟି ଦାବିପତ୍ର ଦେବା ସହ ଆଲୋଚନା କରିଥିଲେ। ଆସନ୍ତା ୨୦ ଦିନ ମଧ୍ୟରେ ଦାବି ଉପରେ ଆଲୋଚନା କରାଯାଇ ସରକାରୀସ୍ତରରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସେନା ବିକ୍ଷୋଭରୁ ଓହରିଥିଲା।

ସେନାର ଅଭିଯୋଗ ହେଲା, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର ସମେତ ରାଜ୍ୟର ୯ଟି ଜିଲ୍ଲାରେ ୨୫ ଲକ୍ଷ କୁଡ଼ୁମୀ ବସବାସ କରୁଛନ୍ତି। ସାମାଜିକ, ଶିକ୍ଷାଗତ ଓ ଅର୍ଥନୈତିକ ‌କ୍ଷେତ୍ରରେ ସେମାନେ ବହୁ ପଛରେ ରହିଛନ୍ତି। ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ଦୃଷ୍ଟିକୋଣରୁ ପୂର୍ବରୁ ସେମାନଙ୍କୁ ଆଦିବାସୀ ତାଲିକାଭୁକ୍ତ କରାଯାଇଥିଲା। କିନ୍ତୁ ପରେ ସରକାର ଏହି କୁଡ଼ୁମୀ ସଂପ୍ରଦାୟକୁ ଆଦିବାସୀ ତାଲିକାରୁ ବାଦ୍‌ ଦେଇଥିଲେ। ତେଣୁ ପୁନଃ ଅନୁସୂଚିତ ଜନଜାତି ବର୍ଗରେ ଅନ୍ତଭୁର୍କ୍ତ କରିବା ପାଇଁ ସେମାନେ ଆନ୍ଦୋଳନ ଚଳାଇଛନ୍ତି। ସେନା ପକ୍ଷରୁ ଦୀର୍ଘ ଦିନ ହେବ ଆନ୍ଦୋଳନ ଚାଲିଥିଲେ ହେଁ ଏନେଇ ସରକାରୀସ୍ତରରେ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ ସରକାର ଏ ଦିଗରେ ବିଚାର କରି ତୁରନ୍ତ ପଦକ୍ଷେପ ନେବାକୁ ସେନା ଦାବି କରିଛି। ଏପରି କରାନଗଲେ ଆଗାମୀ ଦିନରେ ୯ଟି ଜିଲ୍ଲାରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ଚେତାବନୀ ଦେଇଛି। ସମ୍ପାଦକ ଚନ୍ଦନ ମହାନ୍ତ, ଉପସଭାପତି ଦିବ୍ୟସିଂହ ମହାନ୍ତ ପ୍ରମୁଖ ଆଜିର ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe