ନିରାଶ୍ରୟର ସାହା କୁନା ଭାଇ, ସହସ୍ରାଧିକ ଶବ ଦାହ କରିସାରିଲେଣି

ନିରାଶ୍ରୟର ସାହା କୁନା ଭାଇ, ସହସ୍ରାଧିକ ଶବ ଦାହ କରିସାରିଲେଣି

ବାରିପଦା: ନିରାଶ୍ରୟର ଆଶ୍ରା, ଅସହାୟର ସାହା ଆଉ ଶ୍ମଶାନର ସାଥୀ ‘କୁନା ଭାଇ’। କିଏ ଡାକୁ ବା ନଡ଼ାକୁ, ବିପଦରେ ପଡ଼ିଛନ୍ତି ବୋଲି ଜାଣିବା ମାତ୍ରେ ଆପଣାଛାଏଁ ଆସି ହାଜର ହୋଇଯିବେ। କାହା ଘରେ କେହି ମୃତ୍ୟୁବରଣ କଲେ ପରିବାର ଲୋକେ ଖୋଜିବା ପୂର୍ବରୁ ସେ ଛୁଟିଯାଆନ୍ତି ତାଙ୍କ ପାଖକୁ। କୋକେଇ ପାଇଁ ବାଉଁଶ କାଟିବାଠାରୁ ଆରମ୍ଭ କରି ଶବକୁ କାନ୍ଧେଇ ମଶାଣି ନେବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ବହନ କରିଥାନ୍ତି। ଶବଦାହ କର୍ମ ଶେଷ ହେଲା ପରେ ଯାଇ ଫେରନ୍ତି। ଆଜି ପର୍ଯ୍ୟନ୍ତ ହଜାରେରୁ ଅଧିକ କୋକେଇ ବାନ୍ଧି ଶବ ସହ ମଶାଣି ଯାଇଥିବା ଏହି ମଣିଷ ଜଣକ କୁନା ଭାଇ ଭାବେ ବାରିପଦା ସହରର ଗଳିକନ୍ଦିରେ ପରିଚିତ। ବାରିପଦା ପୌରପାଳିକା ୱାର୍ଡ ନମ୍ବର-୭ ଅନ୍ତର୍ଗତ ମଧୁବନ ଅଞ୍ଚଳରେ କୁନାଙ୍କ ଘର।

କୁନାଙ୍କ ଭଲ ନାମ ତାରାକାନ୍ତ ମହାନ୍ତି (୪୫)। ସରଳ ବେଶଭୂଷା, ସବୁବେଳେ ହସ ହସ ମୁହଁ ଆଉ ଛାତି ତଳେ ଏକ ଦରଦୀ ହୃଦୟ। ଏପରିକି ଯେଉଁ ଶବ ପାଖକୁ କେହି ଆସନ୍ତି ନାହିଁ, କୁନା ମୁଣ୍ଡିଆଟିଏ ମାରି ତାର ଅନ୍ତିମ ସଂସ୍କାର କରନ୍ତି। କେବଳ ଶବ ସାଥୀ ଭାବେ ନୁହେଁ, ବିବାହବ୍ରତ ଭଳି ଯେ କୌଣସି ସାମାଜିକ କାର୍ଯ୍ୟରେ ମଧ୍ୟ ସହଯୋଗର ହାତ ବଢ଼ାନ୍ତି କୁନା। ୨୦୧୩ ମସିହାରେ ବାତ୍ୟା ଫାଇଲିନ୍ ବାରିପଦାରେ ତାଣ୍ଡବ ରଚିଥିଲା। ବୁଢ଼ାବଳଙ୍ଗ ନଦୀର ପ୍ରଳୟଙ୍କରୀ ବନ୍ୟା ବାରିପଦା ସହରକୁ ଜଳାର୍ଣ୍ଣବ କରିଥିଲା। ସେହି ସମୟରେ ତଳିଆ ଅଞ୍ଚଳର ଲୋକଙ୍କୁ କୁନା ଯେପରି ନିଜ ଜୀବନକୁ ବାଜି ଲଗାଇ ଉଦ୍ଧାର କରିଥିଲେ ତାହା ଆଜି ପର୍ଯ୍ୟନ୍ତ ମନେ ରଖିଛନ୍ତି ସ୍ଥାନୀୟ ବାସିନ୍ଦା। ଏଯାବତ ଅବିବାହିତ ଥିବା କୁନାଙ୍କ ପିତାମାତା ଏବେ ଆରପାରିରେ। ସମ୍ପର୍କୀୟ ପିଉସା, ପିଉସୀଙ୍କ ପାଖରେ ରହୁଛନ୍ତି। କିଛି ପାଇବା ଆଶାରେ ନୁହେଁ, ବରଂ ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କଲେ ତାଙ୍କୁ ଆତ୍ମତୃପ୍ତି ମିଳିଥାଏ। ଅନ୍ୟକୁ ସାହାଯ୍ୟ କଲେ ଭଗବାନ ସହାୟ ହେବେ, ତେଣୁ ମନରେ କେବଳ ସେହି ଭାବ ରଖି କାମ କରୁଛି ବୋଲି କହିଛନ୍ତି କୁନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe