The Logical Indian
ଜୟପୁର : କୋରାପୁଟ ଜିଲ୍ଲାର ବହୁଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା ପୁଣି ଭିନ୍ନମୋଡ଼ ନେଇଛି। ମୃତ ନାବାଳିକାଙ୍କ ମା’, ଖୁଡ଼ୀ ଓ ବଡ଼ଭାଇ ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ଉପସ୍ଥିତ ରହି ପୁଲିସର ତଦନ୍ତରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହିତ, ଆଇନଗତ ସହାୟତା ପ୍ରଦାନ କରିବାକୁ ଆବେଦନ କରିଥିବା ଜଣାଯାଇଛି।
କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ମାମଲାରେ ପଟ୍ଟାଙ୍ଗି ପୁଲିସ ତଦନ୍ତ କରି କୋର୍ଟରେ ଫାଇନାଲ ଫର୍ମ ଦାଖଲ କରିସାରିଛି। ଏହି ମାମଲାରେ ‘ନୋ କ୍ଲୁ’ (ପ୍ରମାଣ ନାହିଁ) ଓ ‘ମିଷ୍ଟେକ୍ ଅଫ୍ ଫ୍ୟାକ୍ଟସ୍’ (ତଥ୍ୟଗତ ତ୍ରୁଟି) ବୋଲି ଉଲ୍ଲେଖ କରିବା ସହ ମାମଲାକୁ ଖାରଜ କରିବାକୁ କୋର୍ଟକୁ ଅନୁରୋଧ କରିଛି। ପୁଲିସ ପକ୍ଷରୁ କୋର୍ଟରେ ଫାଇନାଲ ଫର୍ମ ଦାଖଲ ହୋଇଥିବାବେଳେ ଅଭିଯୋଗକାରୀ ପରିବାରବର୍ଗ ଏହି ମାମଲାକୁ ନେଇ ପୁଣି ଲଢ଼ିବା ପାଇଁ ଆବେଦନ କରିଛନ୍ତି। ପୁଲିସର ଚୂଡ଼ାନ୍ତ ଫର୍ମରେ ଦିଆଯାଇଥିବା ସୂଚନା ଠିକ୍ କି ବୋଲି କୋର୍ଟ ସଂପୃକ୍ତ ପରିବାରବର୍ଗକୁ ପଚାରିଥିଲେ। ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ପୁଲିସ୍ ସଠିକ୍ ଢଙ୍ଗରେ ମାମଲାର ପରିଚାଳନା ନକରି ଖାରଜ କରିବା ପାଇଁ ଆବେଦନ କରିଛି। ତେଣୁ, ଆଗାମୀ ଦିନରେ ସେମାନେ ବେସରକାରୀ ଓକିଲଙ୍କ ସହାୟତାରେ ମାମଲା ଲଢ଼ିବେ ବୋଲି ଜଣାଇବା ସହିତ ଆଇନଗତ ସହାୟତା ପାଇଁ ଆବେଦନ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ୨୫ତାରିଖ ଦିନ ହେବ ବୋଲି ସୂଚନା ମିଳିଛି।
ପ୍ରକାଶଥାଉକି, ଏହି ମାମଲାରେ ଏସ୍ଆଇଟି ପକ୍ଷରୁ ହୋଇଥିବା ତଦନ୍ତର ରିପୋର୍ଟ କୋର୍ଟରେ ଦାଖଲ ହୋଇଛି। ଏହାସହ ରାଜ୍ୟ ସରକାର ପକ୍ଷରୁ କରାଯାଇଥିବା କମିଶନଙ୍କ ରିପୋର୍ଟ ବି କୋର୍ଟରେ ଦାଖଲ ହୋଇସାରିଛି। ଏଥିରେ ୧୫ଜଣ ସରକାରୀ କର୍ମଚାରୀ, ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ସମେତ ୧୯ଜଣ ସାକ୍ଷୀଙ୍କ ବୟାନ ଓ ସତ୍ୟପାଠ ଦାଖଲ କରାଯାଇଥିଲା। ପୁଲିସ ଏହି ମାମଲାରେ କୋର୍ଟକୁ ଫାଇନାଲ ଫର୍ମ ଦେଇଥିବାବେଳେ ଗତକାଲି ପୀଡ଼ିତା ପରିବାରବର୍ଗ ପୁଲିସ ତଦନ୍ତରେ ଅସନ୍ତୋଷ ଥିବା ଦର୍ଶାଇବା ଘଟଣା ଏହି ମାମଲାକୁ ନୂଆ ମୋଡ଼ ଦେଇଛି।
Follow Us