‘କୁଶଭଦ୍ରା’ ବି ଶୁଖିଲା; ବର୍ଷା ଦିନେ ବୁଡ଼ାଉଛି, ବାକି ୧୦ ମାସ ଶୁଖିଲା

‘କୁଶଭଦ୍ରା’ ବି ଶୁଖିଲା; ବର୍ଷା ଦିନେ ବୁଡ଼ାଉଛି, ବାକି ୧୦ ମାସ ଶୁଖିଲା

ପୁରୀ/ନିମାପଡ଼ା/ଗୋପ : ପୁରୀ ଜିଲ୍ଲାର ଅନ୍ୟତମ ପ୍ରମୁଖ ନଦୀ ‘କୁଶଭଦ୍ରା’ ବି ମୃତ୍ୟୁମୁଖରେ ପଡ଼ିଛି। ପୋତି ହୋଇ ପଡ଼ିବାରୁ ଆଗଭଳି ଆଉ ଜଳଧାରଣ କ୍ଷମତା ନାହିଁ। ଶ୍ରାବଣ ଆସିଲେ, ଜିଲ୍ଲାର ଗୋପ ଓ ନିମାପଡ଼ା ଅଞ୍ଚଳକୁ କୁଶଭଦ୍ରା ଉବୁଟୁବୁ କରୁଛି ସତ, କିନ୍ତୁ ବାକି ୧୦ ମାସ ଶୁଖିଲା ପଡ଼ୁଛି। ଭୂତଳ ଜଳସ୍ତର ବି ହ୍ରାସ ପାଇବାରେ ଲାଗିଛି।

ମହାନଦୀର ଶାଖା ନଦୀ ହେଉଛି କୁଶଭଦ୍ରା। ଏହା କୁଆଖାଇଠାରୁ ଗୋଟିଏ ପାର୍ଶ୍ବରେ ଭାର୍ଗବୀ, ଦୟାନଦୀ ନାମରେ ପୁରୀ ଜିଲ୍ଲାକୁ ପ୍ରବେଶ କରିଥିବା ବେଳେ ଅପରପାର୍ଶ୍ବରେ କୁଶଭଦ୍ରା ନାଁରେ ଜିଲ୍ଲାରେ ପ୍ରବେଶ କରିଛି। କୁଶଭଦ୍ରା ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତାଠାରୁ ଅଲଗା ହୋଇ ନିମାପଡ଼ା, ଗୋପ ଦେଇ ରାମଚଣ୍ଡୀ ମୁହାଣରେ ସମୁଦ୍ରରେ ମିଶିଛି। ଏହାର ଲମ୍ବ ପ୍ରାୟ ୮୦ କିଲୋମିଟର।
ନିମାପଡ଼ାର ବାମପନ୍ଥୀ ନେତା କୃଷ୍ଣଚନ୍ଦ୍ର ରାଉତ କହିଛନ୍ତି, ୧୯୮୨ ରେ ଏକ ବଡ଼ ବନ୍ୟା ଆସି ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ସେ ସମୟରେ ବାଲିଅନ୍ତା ନିକଟରେ କୁଆଖାଇରୁ କୁଶଭଦ୍ରାକୁ ଜଳପ୍ରବାହ ବାଟରେ ବଡ଼ବଡ଼ ମାଟି ଅତଡ଼ା ଖସିଥିଲା। ଯାହା ଜଳପଥର ଗତିରୋଧ କରିଥିଲା। ଏବେ ବି ସେହି ସ୍ଥିତି ଲାଗି ରହିଛି। ବାଲିଅନ୍ତା ନିକଟ‌ରେ ଜଳପଥ ପୋତି ହେବାରୁ କୁଆଖାଇର ଜଳପତନ ପ୍ରାୟ ୩୩ରୁ ୩୫ ଫୁଟ୍‌ ନ ହେଲେ ପାଣି ଆସୁନି।

ଗୋପ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତଥା ଧନୁଆ ଆନ୍ଦୋଳନ ପ୍ରମୁଖ ନେତା ବନରଞ୍ଜନ ପଟ୍ଟନାୟକ କହିଛନ୍ତି, ବାଲିଅନ୍ତାରୁ ଗୋପ ପର୍ଯ୍ୟନ୍ତ କୁଶଭଦ୍ରା ଶୁଖିଲା ପଡ଼ିଛି। କେବଳ ସମୁଦ୍ର ଜୁଆର ପ୍ରଭାବରୁ ରାମଚଣ୍ଡୀ ମୁହାଣ ଅଞ୍ଚଳରେ କିଛିବାଟ ନଦୀରେ ଜଳ ରହିଛି। କିନ୍ତୁ ଲୁଣି ପାଣି ଯୋଗୁ ଏହା ଚାଷ ଉପଯୋଗୀ ନୁହେଁ। ଗୋପ ଅଞ୍ଚଳର ଚାଷୀ ଗଙ୍ଗାଧର ପାଇକରାୟ କହିଛନ୍ତି, ୧୦ ବର୍ଷ ତଳେ କୁଶଭଦ୍ରା‌ରେ ଯେଉଁଭଳି ପାଣି ଆସୁଥିଲା, ଏବେ ଆଉ ଆସୁନି। ପୂର୍ବରୁ ଚାଷବାସ ଭଲ ହେଉଥିଲା। ଏବେ ଚାଷବାସ ଉଜୁଡ଼ିଗଲାଣି। କେବଳ ବର୍ଷା ଜଳ ଭରସା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe