ଭୁବନେଶ୍ୱର : ନବୀନ ପଟ୍ଟନାୟକ ଦ୍ୱିତୀୟ ଥର କ୍ଷମତାକୁ ଆସିବା ବେଳକୁ ସାମ୍ନାକୁ ଆସିଯାଇଥିଲେ ମୁଖ୍ୟ ପରାମର୍ଶଦାତା ପ୍ୟାରୀମୋହନ ମହାପାତ୍ର। ୨୦୧୨ ଯାଏ ତାଙ୍କର ଦବ୍ଦବା ରହିଲା ଦଳରେ। ଅତ୍ୟନ୍ତ ବିବାଦୀୟ ପରିସ୍ଥିତିରେ ସେ ଦଳରୁ ତଡ଼ା ଖାଇଲେ। ଚତୁର୍ଥ ପାଳିରେ ମୁଖ୍ୟମନ୍ତ୍ରୀ ନିଜେ ସବୁ ସମ୍ଭାଳୁଥିଲେ, ପଛରେ ଥିଲେ ତାଙ୍କର ବ୍ୟକ୍ତିଗତ ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍। ପଞ୍ଚମ ପାଳି ଶାସନ ଆରମ୍ଭରୁ ନବୀନ ନିଜେ ପାଣ୍ଡିଆନଙ୍କୁ ସାମ୍ନାକୁ ଆଣିଛନ୍ତି।
ସରକାରରେ ଆରମ୍ଭ ହୋଇଛି ୫-ଟି ଯୁଗ। ଏହି ଅଦୃଶ୍ୟ ବିଭାଗର ଦୃଶ୍ୟମାନ ସଚିବ ହେଉଛନ୍ତି ପାଣ୍ଡିଆନ୍। ଏହି ଛାଟରେ ଏବେ ସବୁ ବିଭାଗକୁ ସେ ସାବାଡ କରିପାରିବେ। ତାଙ୍କ ସଙ୍କେତରେ ବାବୁ ପୁରସ୍କୃତ ହେବେ ବା ଦଣ୍ଡ ପାଇବେ। ଏବେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଭିତରେ ସେ ଆଉ ସୀମିତ ନାହାନ୍ତି। ବରଂ ଥାନା, ଡାକ୍ତରଖାନା ସବୁଠି ବୁଲୁଛନ୍ତି ପାଣ୍ଡିଆନ୍। ସରକାରଙ୍କ ପାଇଁ ବିକାଶର ନକ୍ସା ଆଙ୍କୁଛନ୍ତି ରାସ୍ତା ଉପରେ ପୁରୀ ଶ୍ରୀମନ୍ଦିର ସାମ୍ନାରେ, ଭୁବନେଶ୍ବରରେ, କଟକ ବଡ଼ ମେଡିକାଲରେ। ଡାକ୍ତରଖାନାକୁ ଅର୍ଥ ବିଭାଗ ଅଜାଡି ଦେଉଛି ଟଙ୍କା। ମୁଖ୍ୟସଚିବ, ଉନ୍ନୟନ କମିସନର ସାଙ୍ଗରେ ଯାଉଛନ୍ତି ସତ, କିନ୍ତୁ ଗଣମାଧ୍ୟମର କ୍ୟାମେରା ଲେନ୍ସରେ କେବଳ ପାଣ୍ଡିଆନ୍, ଆଉ ପାଣ୍ଡିଆନ୍।
ଏହାକୁ ବିରୋଧୀ ସମାଲୋଚନା କରୁଛନ୍ତି। କିନ୍ତୁ ପାଣ୍ଡିଆନଙ୍କ ଇସାରାରେ ବିକାଶର ଚେହେରା ଜଳ ଜଳ ହୋଇ ଦିଶୁଥିବାରୁ ଲୋକେ ଏହାକୁ ଗୁରୁତ୍ୱ ଦେଇନାହାନ୍ତି। ବରଂ ଅପେକ୍ଷା କରୁଛନ୍ତି ସେ ତାଙ୍କ ଅଞ୍ଚଳକୁ କେବେ ଆସିବେ।
Follow Us