iStock
ଭଦ୍ରକ/ବନ୍ତ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ଅନ୍ତର୍ଗତ ପଦାକଣା ଗ୍ରାମର ବିପିନ୍ ଦାସଙ୍କ ପୁଅ ରବିନ୍ଦ୍ର ଦାସ (୪୫)ଙ୍କର ଆଜି ଅଂ ଅଂଶୁଘାତରେ ପରଲୋକ ହୋଇଯାଇଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଯେ ମୃତ ରବୀନ୍ଦ୍ର ଦାସ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ଦୈନିକ ମୂଲ ମଜୁରୀ ଲାଗି ସ୍ତ୍ରୀ,୨ ଝିଅ, ୧ ପୁଅ ଓ ବାପା ମାଙ୍କୁ ନେଇ ୭ ଜଣିଆ ପରିବାର ପ୍ରତିପୋଷଣ କରନ୍ତି। ସବୁଦିନ ପରି ଆଜି ସକାଳ ସମୟରେ ମଜୁରୀ ଲାଗିବା ନିମନ୍ତେ ହାଟଡିହି ଅଞ୍ଚଳକୁ ଯାଇଥିଲେ। ଆଜି ଦିନ ପ୍ରାୟ ୨ ଟା ସମୟରେ ରବୀନ୍ଦ୍ର ଗାଁ ପଡ଼ିଆରେ ଥିବା ଏକ ଗଛମୂଳରେ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ପଡ଼ିଥିବା କେହି ଦେଖି ତାଙ୍କ ଘରକୁ ଖବର ଦେଇଥିଲେ।
ଖବରପାଇ ପରିବାର ଲୋକମାନେ ତାଙ୍କ ନିକଟରେ ପହଞ୍ଚି ପାଣି ପିଇବାକୁ ଦେଇଥିଲେ। ମାତ୍ର ପାଣି ପିଇବାପରେ ରବୀନ୍ଦ୍ର ସଂଗେ ସଂଗେ ସେହିଠାରେ ପରଲୋକ ଗମନ କରିଥିଲେ। ତାଙ୍କର ମରଶରୀରକୁ ଗ୍ରାମକୁ ଆଣିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ଅକାଳ ବିୟୋଗରେ ପରିବାର ଲୋକମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏହି ଦୁଃଖଦ ଖବର ପାଇ ପ୍ରାକ୍ତନ ସରପଞ୍ଚ ମୁସ୍ତାକ ଅଲ୍ଲି ଖାଁ ଙ୍କ ସହ ବହୁ ଜଣାଶୁଣା ବ୍ୟକ୍ତିବିଶେଷ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।
Follow Us