ସମନ୍ବୟ ଅଭାବ: କୁପରିଣତି ଭୋଗୁଛନ୍ତି ରାଜଧାନୀବାସୀ

ସମନ୍ବୟ ଅଭାବ: କୁପରିଣତି ଭୋଗୁଛନ୍ତି ରାଜଧାନୀବାସୀ

ଭୁବନେଶ୍ବର: ଭୁବନେଶ୍ବରରେ ବିଏମ୍‌ସି, ପୂର୍ତ୍ତ ବିଭାଗ ଓ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) ରାସ୍ତାଘାଟ ଓ ଜଳ ନିଷ୍କାସନ ବ୍ୟବସ୍ଥା କରିଛନ୍ତି। ସହରକୁ ସୌନ୍ଦର୍ଯ୍ୟୀକରଣ ଓ ସହରବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ହେଲେ କାହାର କାହା ସହିତ ସମନ୍ବୟ ରହୁନାହିଁ। କେବଳ ଲୋକ ଦେଖାଣିଆ ଭାବରେ ସମନ୍ବୟ ବୈଠକ ବସୁଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ତନାଘନା ହେଉଥିବା ଦର୍ଶାଯାଉଛି। କିନ୍ତୁ କାହାର ଆନ୍ତରିକତା ନାହିଁ। ଇସ୍କନ ସାମ୍ନା ରାସ୍ତା ଏନ୍‌ଏଚ୍‌ଏଆଇ ଦାୟିତ୍ବରେ ରହିଥିବା ବେଳେ ବିଏମ୍‌ସି ନିନ୍ଦିତ ହେଉଛି। ପୂର୍ତ୍ତ ବିଭାଗ ଡ୍ରେନ୍‌ ସଫା ହେଉନଥିବାରୁ ବିଏମ୍‌ସି ଅଞ୍ଚଳବାସୀ ଜଳବନ୍ଦୀ ସମସ୍ୟାରେ ଫସି ଯାଉଛନ୍ତି। ଏହାର ସମନ୍ବୟ ପାଇଁ କେତେ ଯେ ବୈଠକ ବସିଛି ତାହାର ହିସାବ ନାହିଁ। ବୈଠକ ପରେ ଯେ ଯାହା ବାଟରେ। ପୂର୍ତ୍ତ ଓ ଏନ୍‌ଏଚ୍‌ଏଆଇ ରାସ୍ତାରେ ବେପାର କରିବାକୁ ବିଏମ୍‌ସି ସ୍ବୀକୃତି ଦେବା ସହ ରାଜସ୍ବ ଆଦାୟ କରୁଛି। ଫଳରେ ଟ୍ରାଫିକ୍‌ ଜାମ୍‌ ହେଉଛି। ଜଳବନ୍ଦୀ ହେଉ କି ଟ୍ରାଫିକ୍‌ ଜାମ୍‌ ପ୍ରତ୍ୟେକ କ୍ଷେତ୍ରରେ ଏହି ସମନ୍ବୟ ଅଭାବର କୁପରିଣତି ସହରବାସୀ ହିଁ ଭୋଗୁଛନ୍ତି।

ବିଏମ୍‌ସି କଥା ପୂର୍ତ୍ତ ଶୁଣୁନି
ପୂର୍ତ୍ତ ରାସ୍ତାରେ ଦାଦାଗିରି କରୁଛି ବିଏମ୍‌ସି

ସିଆର୍‌ପି ଫ୍ଲାଏ ଓଭର ବ୍ରିଜ୍‌ ନିର୍ମାଣ ହେବା ପର ଠାରୁ ଇସ୍କନ ସମ୍ମୁଖରେ ପାଣି ଜମୁଛି। ଏହାର ସମାଧାନ ପାଇଁ ଏନ୍‌ଏଚ୍‌ଏଆଇ ଓ ବିଏମ୍‌ସି ମଧ୍ୟରେ ବାରମ୍ବାର ସମନ୍ବୟ ବୈଠକ ବସିଛି। ଏନ୍‌ଏଚ୍‌ଏଆଇ ଏଥିପାଇଁ ନିଜସ୍ବ ଉଦ୍ୟମ କରିଥିବା ବେଳେ ବିଏମ୍‌ସି ମଧ୍ୟ ବିଏସ୍‌ସିଏଲ୍‌ ଜରିଆରେ ଜଳନିଷ୍କାସନ ପାଇଁ ଏକାଧିକ ବାର ଉଦ୍ୟମ କରିଛି। ଉଭୟ ମିଶି ଉଦ୍ୟମ କରିଥିବା ଦର୍ଶାଇଛନ୍ତି। ହେଲେ ଆଜିବି ଏହାର ସମାଧାନ ହୋଇ ନାହିଁ।
ପୂର୍ତ୍ତ ବିଭାଗର ଅଧୀନରେ ରାସ୍ତା ଓ ଡ୍ରେନ୍‌ ରହିଛି। ସହରର ବର୍ଜ୍ୟଜଳ ନିଷ୍କାସନ ପାଇଁ ଏହି ଡ୍ରେନ୍‌ ସବୁ ପ୍ରମୁଖ ଭୂମିକା ନିଭାଇଥାଏ। କିନ୍ତୁ ବର୍ଷା ଋତୁ ପୂର୍ବରୁ ବିଭାଗ ଏହି ଡ୍ରେନ୍‌ ସଫା କରେ ନାହିଁ। କିମ୍ବା ନଳାରୁ ଆବର୍ଜନା ବାହାର କରି ରାସ୍ତାରେ ଗଦାଇ ଦିଏ।

ଦୀର୍ଘ ଦିନ ଧରି ଏହାକୁ ଉଠା ନଯିବାରୁ ବର୍ଷା ହେଲେ ତାହା ପୁଣି ନଳା ଭିତରେ ପଶି ଯାଏ। ଏହାକୁ ନେଇ ପୂର୍ତ୍ତ ବିଭାଗ ସହ ସମନ୍ବୟ ବୈଠକ ବସେ। ବିଏମ୍‌ସିରେ ବସୁଥିବା ମାସିକ କର୍ପୋରେସନ ବୈଠକରେ ପୂର୍ତ୍ତର ପ୍ରତିନିଧି ମଧ୍ୟ ଉପସ୍ଥିତ ରୁହନ୍ତି। ହେଲେ ଲାଭ କିଛି ହୁଏନି। ଏଭଳି ବର୍ଷ ବର୍ଷ ଚାଲିବା ପରେ ଏଥର ବିଏମ୍‌ସି ନିଷ୍ପତ୍ତି ନେଇଛି କି ପୂର୍ତ୍ତ ବିଭାଗ ନଳା ସଫା କରିବ।

ବିଏମ୍‌ସି ବି କିଛି କମ୍‌ ନୁହେଁ। ଏମାନଙ୍କ ଉପରେ ରାଗ ସୁଝାଇବା ପାଇଁ ବିଚିତ୍ର ଯୋଜନା କରିଛି। ପୂର୍ତ୍ତ ଓ ଏନ୍‌ଏଚ୍‌ଏଆଇ ରାସ୍ତା କଡ଼ରେ ଦୋକାନ କରିବାକୁ ସ୍ବୀକୃତି ଦେଇଛି। ପୂର୍ତ୍ତ ବିଭାଗ ଯେତେଥର ରାସ୍ତାରୁ ଜବରଦଖଲ ହଟାଉଛି ସେତେଥର ବିଏମ୍‌ସି ସେଠାରେ ବ୍ୟବସାୟ ପାଇଁ ଅନୁମତି ଦେଇଦେଉଛି। ଅନୁମତି ମିଳିଥିବାରୁ ଉଚ୍ଛେଦ ନୋଟିସ୍‌ ପାଇ ବ୍ୟବସାୟୀ କୋର୍ଟ ଯାଉଛି। କୋର୍ଟରେ ଥରେ ସ୍ଥିତାବସ୍ଥା ଆସିଗଲେ ଆଉ ପୂର୍ତ୍ତ ବିଭାଗ ହାତ ମାରିପାରେନି। ଏହାର କୁପରିଣତି ଭୋଗନ୍ତି ରାଜଧାନୀବାସୀ। କେତୋଟି ଉଦାହରଣ ଏହି ପ୍ରସଙ୍ଗକୁ ଆହୁରି ସରଳ କରିଦେବ।

ଲୋକସେବା ଭବନ ସମ୍ମୁଖ ରାସ୍ତାରେ ବାରମ୍ବାର ଆତ୍ମାହୁତି ଉଦ୍ୟମ ହେବା ଓ ବିଭିନ୍ନ ସମୟରେ ବିଶୃଙ୍ଖଳା ହେବାରୁ ଜୟଦେବ ଭବନ ସାମ୍ନାରୁ ରବୀନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ରାସ୍ତାକୁ ବିଧାନସଭା ବସିବା ବେଳେ ସିଲ୍‌ କରି ଦିଆଯିବାକୁ ନିଷ୍ପତ୍ତି ହେଲା। ଏଣୁ ଗୀତଗୋବିନ୍ଦ ସଦନ ପାଖରୁ କେଶରୀ ସିନେମା ହଲ୍‌ ପର୍ଯ୍ୟନ୍ତ ସମାନ୍ତରାଳ ରାସ୍ତା (ଟ୍ରେଜେରି ପଛ ପଟ)କୁ ପୂର୍ତ୍ତ ବିଭାଗ ମରାମତି କରିବା ସହ ଜବରଦଖଲମୁକ୍ତ କଲା। ରାସ୍ତାର ଉଭୟପାର୍ଶ୍ବରେ ଜବରଦଖଲ ନ କରିବାକୁ ପରାମର୍ଶ ଦେଲା। ହେଲେ ବିଏମ୍‌ସି ଏହି ରାସ୍ତାରେ ଏକ ଓପୋଲୋଫେଡ୍‌ ଓ ଓମ୍‌ଫେଡ୍‌ ଷ୍ଟଲ୍‌କୁ ସ୍ବୀକୃତି ଦେଲା। ୧ ବର୍ଷରୁ ଊର୍ଦ୍ଧ୍ବ ହେବ ଏଠାରେ ବ୍ୟବସାୟ ଚାଲିଛି। ଏହାକୁ ଦେଖିବା ପରେ ଆଉ କେତେକ ବ୍ୟବସାୟୀ ଏଠାରେ ବ୍ୟବସାୟ କରିବା ଆରମ୍ଭ କରିଛନ୍ତି। ଫଳରେ ଜବରଦଖଲ ବଢ଼ିବାରେ ଲାଗିଛି। ବିଧାନସଭା ଚାଲିବା ସମୟରେ ଏହି ରାସ୍ତାରେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଏବେ ପୁଣି ଥରେ ପୂର୍ତ୍ତ ବିଭାଗ ଏଠାରୁ ଜବରଦଖଲ ହଟାଇବାକୁ ବସିଛି। କିନ୍ତୁ ବିଏମ୍‌ସିର ସ୍ବୀକୃତି ଥିବାରୁ ଚିନ୍ତା ବଢ଼ିଛି।

ଠିକ୍‌ ସେହିଭଳି ରାମମନ୍ଦିର ଖାଓଗଳି(କେନ୍ଦ୍ରୀୟ ବିଦ୍ୟାଳୟ-୧ ପଛପାଖ) ରାସ୍ତାର ଗୋଟିଏ ପାର୍ଶ୍ବରେ ବ୍ୟବସାୟ ପାଇଁ ସ୍ବୀକୃତି ଦିଆଯାଇଛି। ଉଭୟପାର୍ଶ୍ବରେ ବ୍ୟବସାୟ ହେଲେ ପାର୍କିଂ ଓ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବ ବୋଲି ଏଭଳି ନିଷ୍ପତ୍ତି ହୋଇଛି। କିନ୍ତୁ ଏହି ରାସ୍ତାର ଅପର ପାର୍ଶ୍ବରେ ବିଏମ୍‌ସି ଏକ ଓମ୍‌ଫେଡ୍‌ ଷ୍ଟଲ୍‌କୁ ଅନୁମତି ଦେଇଛି। ଏହି ଦୋକାନ ଖୋଲିବା ପରେ ଏହାକୁ ଲାଗି ଏକ ଚିକେନ୍‌ ସେଣ୍ଟର ଖୋଲିଛି। କେତେକ ଠେଲାଗାଡ଼ି ମଧ୍ୟ ବ୍ୟବସାୟ କରୁଛନ୍ତି। କ୍ରମଶଃ ଜବରଦଖଲ ବଢ଼ିବାରେ ଲାଗିଛି। କେବଳ ଏହା ଦୁଇଟି ଉଦାହରଣ ମାତ୍ର। ସହରସାରା ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ତ୍ତ କଥା ବିଏମ୍‌ସି ଶୁଣୁନି କି ବିଏମ୍‌ସି କଥା ପୂର୍ତ୍ତ ଶୁଣୁନି। ଭୋଗୁଛନ୍ତି ରାଜଧାନୀବାସୀ। ଆଉ କେତେଦିନ ଭୋଗିବେ ତାହା ଉତ୍ତର ମଧ୍ୟ କାହାପାଖରେ ନାହିଁ। ତେବେ କୌଣସି ନିର୍ଦ୍ଦିଷ୍ଟ ପ୍ଲଟ୍‌ ଉପରେ ଓପୋଲୋଫେଡ୍‌ କିମ୍ବା ଓମ୍‌ଫେଡ୍‌ କରିବା ପାଇଁ ଅନୁମତି ନାହିଁ। ଯଦି ଟ୍ରାଫିକ୍‌ କିମ୍ବା ଜନସ୍ବାର୍ଥରେ ବାଧା ଉପୁଜୁଥାଏ ତେବେ ତାହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe