ଭିତ୍ତିଭୂମି ଅଭାବ, ଡାକ୍ତର ମରୁଡ଼ି: ସମସ୍ୟାରେ ଘାଣ୍ଟି ହେଉଛି ଭିମ୍‌ସାର

Advertisment

ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ସହ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡର ସୀମାନ୍ତବର୍ତ୍ତୀ ଅଞ୍ଚଳର ଗରିବ ଲୋକେ ଚିକିତ୍ସା ପାଇଁ ବୁର୍ଲା ଭିମ୍‌ସାର ଉପରେ ନିର୍ଭର କରନ୍ତି। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପ୍ରତିଦିନ ୨ ହଜାରରୁ ଅଧିକ ରୋଗୀ ଆସୁଛନ୍ତି।‌

ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ସହ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡର ସୀମାନ୍ତବର୍ତ୍ତୀ ଅଞ୍ଚଳର ଗରିବ ଲୋକେ ଚିକିତ୍ସା ପାଇଁ ବୁର୍ଲା ଭିମ୍‌ସାର ଉପରେ ନିର୍ଭର କରନ୍ତି। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପ୍ରତିଦିନ ୨ ହଜାରରୁ ଅଧିକ ରୋଗୀ ଆସୁଛନ୍ତି।‌

sfssffssf

ବିଧାନ ବଳ

ବୁର୍ଲା: ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ସହ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡର ସୀମାନ୍ତବର୍ତ୍ତୀ ଅଞ୍ଚଳର ଗରିବ ଲୋକେ ଚିକିତ୍ସା ପାଇଁ ବୁର୍ଲା ଭିମ୍‌ସାର ଉପରେ ନିର୍ଭର କରନ୍ତି। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପ୍ରତିଦିନ ୨ ହଜାରରୁ ଅଧିକ ରୋଗୀ ଆସୁଛନ୍ତି।‌ ଯେତେ ସଂଖ୍ୟାରେ ‌ରୋଗୀ ସୁସ୍ଥ ହୋଇ ଫେରୁଛନ୍ତି ତା’ଠୁ ଅଧିକ ରୋଗୀ ଭର୍ତ୍ତି ହେଉଛନ୍ତି। ଫଳରେ ଶଯ୍ୟା ସଙ୍କଟ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି।  ଏଥିସାଙ୍ଗକୁ ଡାକ୍ତର, କର୍ମଚାରୀଙ୍କ ଅଭାବ ସାଙ୍ଗକୁ ଅନ୍ୟାନ୍ୟ ଭିତ୍ତିଭୂମିର ସମସ୍ୟା ଯୋଗୁଁ ସ୍ବାସ୍ଥ୍ୟସେବାକୁ ନେଇ ଲୋକଙ୍କ ମନରେ ଥିବା ଆଶା ପୂରଣ ହୋଇପାରୁନାହିଁ। 

ଭିମ୍‌ସାର୍‌ରେ ୨୪ଟି ବିଭାଗରେ ମୋଟ ୧୦୭୧ଟି ଶଯ୍ୟା ଓ ୩୬ଟି ଆଇସିୟୁ ରହିଛି। ସେଥିମଧ୍ୟ‌ରୁ ୧୨ଟି ଆଇସିୟୁର ଅବସ୍ଥା ଠିକ୍‌ ନାହିଁ। ଶଯ୍ୟାଭାବ ଯୋଗୁଁ ଭେଷଜ, ସ୍ତ୍ରୀରୋଗ ଓ ପ୍ରସୂତି ଆଦି ବିଭାଗର ରୋଗୀମାନେ ୱାର୍ଡ ଓ ବାରଣ୍ଡାରେ ତଳେ ଶୋଇ ଚିକିତ୍ସିତ ହେବା ଏକ ନିତିଦିନିଆ ଘଟଣା। ନିଜସ୍ବ ଏମ୍‌ଆର୍‌ଆଇ ମେସିନ୍‌ ନଥିବାରୁ ଏକ ଘରୋଇ କ୍ଲିନିକ୍‌ ମାଧ୍ୟମରେ ଏହି ସେବା ଯୋଗାଇ ଦିଆଯାଉଛି। ହଜାର, ହଜାର ରୋଗୀଙ୍କ ପାଇଁ ଗୋଟିଏ ମାତ୍ର ସିଟିସ୍କାନ୍‌ ମେସିନ୍‌ ଥିବାରୁ ରୋଗ ନିରୂପଣରେ ବିଳମ୍ବ ହେଉଛି। ଗୁରୁତର ରୋଗୀମାନଙ୍କୁ ବାଧ୍ୟହୋଇ ବାହାରର ଘରୋଇ ପାଥୋଲାବ୍‌ ଉପରେ ନିର୍ଭର କରିବାକୁ ପଡୁଛି। ପ୍ଲାଷ୍ଟିକ ସର୍ଜରି ବିଭାଗର ନିଜସ୍ବ କୋଠା ନାହିଁ। ସର୍ଜରି ବିଭାଗ ଭରସାରେ ଚିକିତ୍ସା ଓ ଅସ୍ତ୍ରୋପଚାର ଚାଲିଛି। ନେଫ୍ରୋଲୋଜି, ହୃଦ୍‌ରୋଗ, ସ୍ନାୟୁରୋଗ ଆଦି  ବିଭାଗରେ ଆବଶ୍ୟକ ଶଯ୍ୟା ଓ ସର୍ବନିମ୍ନ ଭିତ୍ତିଭୂମି ନଥିବାରୁ ଲୋକେ ନିରାଶ ‌ହୋଇ କଟକ, ଭୁବନେଶ୍ବର ଅଥବା ବିଶାଖାପାଟଣା ଯିବାକୁ ବାଧ୍ୟ ହେଉଛନ୍ତି। ରୋଗୀ ପରିଜନଙ୍କ ପାଇଁ ଆଶ୍ରୟସ୍ଥଳୀ ନାହିଁ। ଶିଶୁଙ୍କୁ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରିଥିବା ପିତାମାତା ସମ୍ମୁଖ ରାସ୍ତାକଡ଼ରେ ମଶିଣା ପକାଇ ଅପେକ୍ଷା କରୁଛନ୍ତି। ନିର୍ମାଣଗତ ତ୍ରୁଟି ଯୋଗୁଁ ଅଗ୍ନିଶମ ବିଭାଗର ଅନୁମୋଦନ ମିଳୁନଥିବାରୁ ୮ଟି କୋଠା ବ୍ୟବହାର ହୋଇପାରୁନାହିଁ।

ଡାକ୍ତର ଅଭାବ ‌ଯୋଗୁଁ ଗ୍ୟାଷ୍ଟ୍ରୋ-ଏଣ୍ଟ୍ରୋଲୋଜି, କ୍ଲିନିକାଲ୍‌-ହେମାଟୋଲୋଜି, ଏଣ୍ଡୋକ୍ରାଇନୋଲୋଜି ଭଳି ଜରୁରି ବିଭାଗଗୁଡ଼ିକ ଖୋଲି ପାରିନାହିଁ। ଅନ୍ୟପକ୍ଷରେ ଡାକ୍ତର ମରୁଡ଼ି ଭିମ୍‌ସାର୍‌ର ଏକ ଚିରାଚରିତ ସମସ୍ୟା। ପ୍ରଫେସର ଅଶ୍ବିନୀ ପୂଜାହାରୀ ନିର୍ଦ୍ଦେଶକ ଥିବା ସମୟରେ ଶେଷଥର ପାଇଁ ୨୦୧୮ରେ ଡାକ୍ତର ନିଯୁକ୍ତି ହୋଇଥିଲା। ଏବେ ୧୧ଟି ପ୍ରଫେସର, ୧୫ଟି ଆସୋସିଏଟ୍‌ ପ୍ରଫେସର ଓ ୪୫ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ପଡ଼ିଛି। ଯାହା ଚିକିତ୍ସା ବ୍ୟବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରୁଛି। ସ୍ଥାୟୀ ନିର୍ଦ୍ଦେଶକ ମଧ୍ୟ ନାହାନ୍ତି। ୨୦୨୨ ଫେବ୍ରୁଆରିଠାରୁ କାମଚଳା ନିର୍ଦ୍ଦେଶକଙ୍କୁ ନେଇ କାମ ଚାଲିଛି। ଗୁରୁତର ବିଷୟ ହେଉଛି ୨୦୧୩ ଅକ୍ଟୋବର ୧୧ରେ କାର୍ଯ୍ୟନିର୍ବାହୀ ପରିଷଦର କାର୍ଯ୍ୟକାଳ ଶେଷ ହେବା ପରେ ନୂଆ ଗଠନ କରାଯାଇନାହିଁ। ଅନ୍ୟପକ୍ଷରେ ୧୦ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ସୁପର ସ୍ପେସାଲିଟି ଡାକ୍ତରଖାନା ଲୋକାର୍ପଣ ଅପେକ୍ଷାରେ ରହିଛି। ସେଠାରେ ୨୨୨ ଶଯ୍ୟା ଓ ୫୦ ଆଇସିୟୁ ବ୍ୟବସ୍ଥା ରହିଛି। ତେବେ ଡାକ୍ତର ନଥିବାରୁ ଗ୍ୟାଷ୍ଟ୍ରୋ–ଏଣ୍ଟ୍ରୋଲୋଜି, କ୍ଲିନିକାଲ–ହେମାଟୋଲୋଜି ଓ ଏଣ୍ଡୋକ୍ରାଇନୋଲୋଜି ବିଭାଗ ଖୋଲିବା ନେଇ ସନ୍ଦେହ ରହିଛି।      

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe