ବାଉଁଶୁଣୀ ଅଞ୍ଚଳରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଅଭିଯୋଗ

ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ଭରପୂର ସମ୍ଭାବନା ରହିଥିବା ବେଳେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ସାଙ୍ଗକୁ ପ୍ରଶାସନିକ ସ୍ଥରରେ ଉଦ୍ୟମ ହେଉ ନଥିବାରୁ ଏହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ ହୋଇପାରି ନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇ ଆସୁଛି....

Lack of political will to develop tourism sector in Bhaunsani region, alleges

Lack of political will to develop tourism sector in Bhaunsani region, alleges Photograph: (sambad.in)

ବାଉଁଶୁଣୀ: ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ଭରପୂର ସମ୍ଭାବନା ରହିଥିବା ବେଳେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ସାଙ୍ଗକୁ ପ୍ରଶାସନିକ ସ୍ଥରରେ ଉଦ୍ୟମ ହେଉ ନଥିବାରୁ ଏହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ ହୋଇପାରି ନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇ ଆସୁଛି।

ଯେହେତୁ ବାଉଁଶୁଣୀ ଗ୍ରାମ ନିକଟ ମହାନଦୀ କୂଳରେ ଦ୍ୱାଦଶ ଶତାବ୍ଦୀ ସମୟର ପୁରୀର ରାଜା ତୃତୀୟ ଅନଙ୍ଗ ଭୀମଦେଓଙ୍କ ଦ୍ଵାରା ନିର୍ମାଣ କରାଯାଇଥିବା ଭୁବନେଶ୍ୱର ମନ୍ଦିର ରହିଛି। ଏବଂ ଏହାର ଆଖପାଖରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଅଞ୍ଚଳ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ଯଥେଷ୍ଟ ସମ୍ଭାବନା ରହିଥିଲେ ହେଁ ଆଜି ଯାଏଁ ଏହା ଜିଲ୍ଲା ପ୍ରଶାସନର ଦୃଷ୍ଟିରେ ପଡ଼ିନାହିଁ।

ମନ୍ଦିରଠୁ ମାତ୍ର ୨ କିଲୋମିଟର ଦୂର ମହାନଦୀ ଗର୍ଭରେ ବୁଦାକୁଦ ନାମରେ ଏକ ଟାପୁ ରହିଛି। ପୁଣି ଏହା ପାଖରେ ବାଘନଦୀ ଓ ମହାନଦୀର ସଙ୍ଗମ ସ୍ଥଳ ସହିତ ପୁରାତନ ମାକିରିକଣ ମଠ ମଧ୍ୟ ରହିଛି। ଠିକ୍ ସଙ୍ଗମସ୍ଥଳୀ କୁଳରେ ଜାତୀୟ ରାଜପଥ ୫୭ କଡ଼ରେ ରାଜରାଜୁଡ଼ା ଅମଳର ଐତିହାସିକ ଡାକବଙ୍ଗଳା ଯାହାକି ଏବେ ଜରାଜୀର୍ଣ୍ଣ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି।

ଯଦି ମନ୍ଦିର ପାଶ୍ୱବର୍ତ୍ତୀ ଅଞ୍ଚଳର ଉନ୍ନତିକରଣ ସହ ବୁଦାକୁଦରେ ବୃକ୍ଷରୋପଣ କରାଯାଇ ରାତ୍ରିଯାପନ ପାଇଁ  କଟେଜ ଓ ମହାନଦୀରେ ବୋଟିଂର ବ୍ୟବସ୍ଥା କରାଯାଆନ୍ତା ତାହେଲେ ଶୀତଋତୁରେ ବୁଦାକୁଦ ଅଞ୍ଚଳକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସନ୍ତେ। କାରଣ ଶୀତଋତୁରେ ଏଠାକୁ ବିଦେଶାଗତ ପକ୍ଷୀମାନେ ଆସୁଥିବାରୁ ବିଦେଶାଗତ ପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଇବା ସହ ବିଦେଶୀ ପକ୍ଷୀମାନଙ୍କ ସମ୍ପର୍କରେ ପର୍ଯ୍ୟଟକମାନେ ବିଭିନ୍ନ ତଥ୍ୟ ପାଇ ପାରନ୍ତେ। ଏଥିପାଇଁ ଡାକବଙ୍ଗଳାର ଉନ୍ନତିକରଣ କରିବା ନିହାତି ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ସେହିପରି  ଗୋଛାପଡା ପଞ୍ଚାୟତର କରଡ଼ାପଡା ନିକଟରେ ଥିବା କପିଳେଶ୍ୱର ମନ୍ଦିର ଏବଂ ମନୁପାଲି ପଞ୍ଚାୟତର ମହୁଲି ଗ୍ରାମ ନିକଟ ଝାଟିପାବଲି ପାହାଡ଼ ପାଦଦେଶରେ ଥିବା କପିଳେଶ୍ୱର ଶିବ ମନ୍ଦିର, ମଝିରେ ବାଘନଦୀ। ଦୁଇଟି ଯାକ ଶୈବପୀଠକୁ ସଂଯୋଗ କରିବା ପାଇଁ ଏଠାରେ ଏକ ଝୁଲା ପୋଲ ନିର୍ମାଣ କରାଗଲେ ଏହି ସ୍ଥାନର ଆକର୍ଷଣ ବଢିବା ସହ ପର୍ଯ୍ୟଟକଙ୍କୁ ଆକର୍ଷିତ କରି ପାରନ୍ତା।

ମନ୍ଦିର ନିକଟରେ ନଦୀ, ବଣପାହାଡ଼ ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଜଙ୍ଗଲୀ ପରିବେଶ ମହଜୁଦ ରହିଥିବା କାରଣରୁ ଇକୋ ଟ୍ୟୁରିଜମ ସହ ଏଠାରେ ଏକ ଡିଅର ପାର୍କ ପ୍ରତିଷ୍ଠା କରାଗଲେ ଏସ୍ଥାନରେ ବଣଭୋଜି ପାଇଁ ପର୍ଯ୍ୟଟକଙ୍କ ଆଗମନରେ ବୃଦ୍ଧି ଘଟିବା ସହିତ ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶରେ ସହାୟକ ହୋଇ ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତେବେ ପର୍ଯ୍ୟଟନ କ୍ଷେତ୍ର ପାଇଁ ଏତେସବୁ ସମ୍ଭାବନା ଥିଲେହେଁ ପର୍ଯ୍ୟଟନର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ସ୍ଥାନୀୟ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଇଛି।

Boudh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe