୪୮ଘଣ୍ଟା ମଧ୍ୟରେ ଦ୍ୱିତୀୟ ଘଟଣା; ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ପ୍ରବାସୀ ମହିଳାଙ୍କ ପ୍ରସବ

୪୮ଘଣ୍ଟା ମଧ୍ୟରେ ଦ୍ୱିତୀୟ ଘଟଣା; ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ପ୍ରବାସୀ ମହିଳାଙ୍କ ପ୍ରସବ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଟିିଟିଲାଗଡ଼ ଷ୍ଟେସନ୍‌ରେ ରବିବାର ଜଣେ ପ୍ରବାସୀ ଗର୍ଭବତୀଙ୍କ ପ୍ରସବ ପାଇଁ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ୧୦ରୁ ୧୫ ଘଣ୍ଟା ଅଟକି ରହିଥିଲା।

ସୂଚନାଯୋଗ୍ୟ, ତେଲେଙ୍ଗାନାର କାଜିପେଟରୁ ୦୭୦୮୭ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ବଲାଙ୍ଗୀର ଆସୁଥିବା ବେଳେ ହେମା କାନ୍ତି ନାମକ ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ତେବେ ଏହି ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରସବ ପାଇଁ ଟ୍ରେନ୍‌କୁ ଟିିଟିଲାଗଡ଼ ରେଳଷ୍ଟେସନ୍‌ରେ ୧୦ରୁ ୧୫ଘଣ୍ଟା ଧରି ଅଟକାଇ ଦିଆଯାଇଥିଲା। ଏହାପରେ ଟିିଟିଲାଗଡ଼ ରେଳ ବିଭାଗର ମେଡିକାଲ ଅଧିକାରୀଙ୍କ ଉପସ୍ଥିତିରେ କାନ୍ତି ଏକ କନ୍ୟା ସନ୍ତାନକୁ ସୁରକ୍ଷିତ ଭାବେ ଜନ୍ମ ଦେଇଥିଲେ। ଏହାପରେ ଘଟଣାସ୍ଥଳରୁ ଉଭୟ ମା’ ଓ ନବଜାତ ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ଜନନୀ ଆମ୍ବୁଲାନ୍ସ ଯୋଗେ ସରକାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ମା’ ଓ ଶିଶୁର ଚିକିତ୍ସା କରାଯିବା ପରେ ଦୁହେଁ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

publive-imageତେବେ ୪୮ଘଣ୍ଟା ମଧ୍ୟରେ ଓଡ଼ିଶାରେ ଟ୍ରେନ୍‌ରେ ଶିଶୁ ପ୍ରସବ ହେବା ଏହା ଦ୍ୱିତୀୟ ଘଟଣା ବୋଲି କୁହାଯାଉଛି। ଏହାପୂର୍ବରୁ ବଲାଙ୍ଗୀରକୁ ଆସିଥିବା ବୋଲାରମ ଶ୍ରମିକ ସ୍ପେସାଲ ଟ୍ରେନରେ ଜଣେ ମହିଳା ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ଟ୍ରେନ୍‌ ବଲାଙ୍ଗୀର ଷ୍ଟେସନ ପହଞ୍ଚିବା ପରେ ମା’ ଓ ନବଜାତ ଶିଶୁକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ମା’ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି।

publive-image

ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ କମେଇମୁଣ୍ଡା ଗାଁର ଧୁବଲେ ନାଗ ତାଙ୍କ ପରିବାର ସହ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ଲକ୍‌ଡାଉନ୍‌ରେ ସେ ଫସି ରହିଥିଲେ। ସ୍ତ୍ରୀ କୁନ୍ତି ନାଗ ଗର୍ଭବତୀ ଥିବାରୁ ସେ ଚିନ୍ତିତ ଥିଲେ। ପଞ୍ଜୀକରଣ କରାଇ ନିଜ ଗାଁକୁ ଫେରିବାକୁ ଉଦ୍ୟମ କରିଥିଲେ। ଗର୍ଭବତୀ ସ୍ତ୍ରୀ ସହ ଟ୍ରେନ୍‌ରେ ଗତ ଶୁକ୍ରବାର ସେ ଫେରୁଥିଲେ। ହଠାତ ବଲାଙ୍ଗୀର ଷ୍ଟେସନ ପାଖାପାଖି ହେବା ପରେ ତାଙ୍କ ସ୍ତ୍ରୀଙ୍କ ପ୍ରସବ କଷ୍ଟ ବଢ଼ି ଯାଇଥିଲା। ଏହାପରେ ସେ ଟ୍ରେନ୍‌ ହିଁ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ।

publive-image

ଏହା ଜାଣିବା ପରେ ଟ୍ରେନ୍‌ରେ ଉପସ୍ଥିତ କର୍ମଚାରୀମାନେ ବଲାଙ୍ଗୀର ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଷ୍ଟେସନ କର୍ତ୍ତୃପକ୍ଷ ବଲାଙ୍ଗୀର ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ଆମ୍ବୁଲାନ୍‌ସ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ପ୍ରସ୍ତୁତ ହୋଇ ରହିଥିଲେ। ଟ୍ରେନ୍‌ ବଲାଙ୍ଗୀର ଷ୍ଟେସନ ପହଞ୍ଚିବା ପରେ ତୁରନ୍ତ ମା’ ଓ ଛୁଆଙ୍କୁ ଡାକ୍ତରଖାନାକୁ ନିଆଯାଇ ଏକ ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe