ପୁଲିସ ବାରାକ୍‌ରେ ମହିଳା ମାଓବାଦୀ ପିଙ୍କିର ଆତ୍ମହତ୍ୟା : ୧୪ ମାସ ପୂର୍ବେ ଆତ୍ମସମର୍ପଣ କରିଥିଲା, କାରଣ ଅସ୍ପଷ୍ଟ, ତଦନ୍ତ ହେବ କହିଲେ ଏସ୍‌.ପି

Advertisment
ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସି ଶଙ୍କର ଗିରଫ, ସୂଚନା ଦେଲେ ଡିଜି ଅଭୟ

The Economic Times

ଫୁଲବାଣୀ : କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା କେକେବିଏନ୍‌ ମାଓବାଦୀ ସଂଗଠନର ମହିଳା ମାଓବାଦୀ ସିଜୁ କହଁର(୨୧) ଓରଫ ପିଙ୍କି ପୁଲିସ ବାରାକ୍‌ରେ ରହୁଥିବା ଘରେ ଆଜି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି। ଆତ୍ମହତ୍ୟାର କାରଣ ଜଣା ପଡ଼ି ନଥିବା ବେଳେ ପୁଲିସ ତଦନ୍ତ ଚଳାଇଛି।

ଫିରିଙ୍ଗିଆ ଥାନା ଜାର୍ଗିସାରୁ ଗାଁର ରାମେଶ୍ବର କହଁର ଓ ଲେସୁରି କହଁରଙ୍କ ଝିଅ ପିଙ୍କି ଗତ ୨୦୧୬ ନଭେମ୍ବର ୧୧ରେ ମାଓ ସଂଗଠନରେ ସାମିଲ ହୋଇଥିଲା। ତେବେ ମାଓବାଦୀଙ୍କ ହତ୍ୟା ଓ ଲୁଟତରାଜ ଭଳି ଅମାନବୀୟ କାର୍ଯ୍ୟରେ ସେ ଅତିଷ୍ଠ ହୋଇ ପଡ଼ିଥିଲା। ଏଥିସହ ନିର୍ଯାତନା ଓ ବିଭିନ୍ନ ହଇରାଣ କରାଯାଉଥିବାରୁ ସେ ବହୁବାର ସଂଗଠନ ଛାଡ଼ି ଆସିବାକୁ ଉଦ୍ୟମ କରିଛି। ହେଲେ ତାକୁ ନଜରବନ୍ଦୀ କରି ରଖାଯାଉଥିଲା। ଏପରିକି ଅଧିକାଂଶ ସମୟରେ ମାରପିଟ ମଧ୍ୟ କରାଯାଉଥିଲା। ଗତ ୨୦୧୯ ମାର୍ଚ୍ଚ ୩୦ ତାରିଖରେ ସେ କୌଶଳକ୍ରମେ ସେ କ୍ୟାମ୍ପ୍‌ ଛାଡ଼ି କନ୍ଧମାଳ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା। ମାଓ ସଂଗଠନରେ ଥିବା ସମୟରେ ବିଭିନ୍ନ ହତ୍ୟାକାଣ୍ଡ, ଲୁଟତରାଜ ଓ ଠିକାକ୍ୟାମ୍ପ ଧ୍ବଂସରେ ସେ ସଂପୃକ୍ତ ଥିଲା। ମୋଷ୍ଟ ୱଣ୍ଟେଡ୍‌ ତାଲିକାରେ ଥିବା ପିଙ୍କିକୁ ଧରାଇଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିବ ବୋଲି ସରକାର ଘୋଷଣା କରିଥିଲେ। ପିଙ୍କି ଆତ୍ମସମର୍ପଣ ପରେ ତାକୁ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ତେବେ ମାଓ ପ୍ରଭାବିତ ହୋଇଥିବାରୁ ପିଙ୍କି ନିଜ ଘରକୁ ଯିବାକୁ ଚାହିଁ ନଥିଲା। ଆଉ ପୁଲିସ ବି ବିପଦ ନେବାକୁ ଚାହିଁ ବି ନଥିଲା। ପୁଲିସ ବାରାକ୍‌ରେ ଭାଇ ଓ ଭାଉଜ(ଆତ୍ମସମର୍ପଣକାରୀ ମାଓବାଦୀ ନନ୍ଦିନୀ)ଙ୍କ ସହ ପିଙ୍କି ରହୁଥିଲା। ଆର୍ଥିକ ପ୍ରୋତ୍ସାହନ ସହ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିଲା। ସ୍ବାବଲମ୍ବୀ ହେବା ନିମନ୍ତେ ସେମାନଙ୍କୁ ଧନ୍ଦାମୂଳକ ଶିକ୍ଷାଦାନ ବି ଦିଆ ଯାଉଥିଲା। ସପ୍ତାହେ ପୂର୍ବେ ପୁଲିସ ଜାରି କରିଥିବା ଏକ ଅଡିଓ ଟେପ୍‌ରେ ପିଙ୍କି ସହ ଅନ୍ୟମାନେ ଆତ୍ମସମର୍ପଣ କରିବା ପରେ ସେମାନେ ବହୁତ ଭଲରେ ଅଛନ୍ତି ବୋଲି କହିଥିଲେ ଏବଂ ଅନ୍ୟ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ସେମାନେ ମଧ୍ୟ ନିବେଦନ କରିଥିବା ଦେଖିବାକୁ ମିଳିଥିଲା। ହେଲେ ହଠାତ୍ ପିଙ୍କି ଆତ୍ମହତ୍ୟା କରିବାକୁ କାହିଁକି ନିଷ୍ପତ୍ତି ନେଲା ତାହା ଜଣା ପଡ଼ିନାହିଁ। ଏବେ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇ ରଖାଯାଇଛି। ପରିବାର ଲୋକ ଚାହିଁଲେ ମୃତ ଦେହକୁ ହସ୍ତାନ୍ତର କରାଯିବ। ଫୁଳବାଣୀ ଟାଉନ ଥାନାରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଏସ୍‌.ପି ପ୍ରତୀକ ଗୀତା ସିଂ ଦୁଃଖ ପ୍ରକାଶ କରିବା ସହ କେଉଁ କାରଣ ପାଇଁ ପିଙ୍କି ଏଭଳି କରିଛି ତାହା ତଦନ୍ତ ହେବ ‌ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe