ମହିଳା ଭିଏଲଡବ୍ଲୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା : ସରପଞ୍ଚ ସ୍ୱାମୀଙ୍କ ସମେତ ୫ ଅଟକ

Advertisment
ସ୍ମୀତାରାଣୀ ବିଶ୍ୱାଳ ରହସ୍ୟାବୃତ୍ତ ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ଯାଜପୁର/ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଆଜି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଭିତ୍ତି କରି ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ର ଓ ତାଙ୍କ ସହଯୋଗୀ ସମେତ ୫ ଜଣଙ୍କୁ ଧର୍ମଶାଳା ଥାନା ପୁଲିସ ଅଟକ ରଖି ପଚରାଉଚରା କରୁଛି।

ରୂପେଶ ଭଦ୍ରଙ୍କ ଗେଷ୍ଟ୍ ହାଉସରେ ଗତକାଲି ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଗେଷ୍ଟ ହାଉସରେ ଫରେନସିକ୍ ଟିମ୍ ଆଜି ପହଞ୍ଚି ଛାନ୍‌ଭିନ୍ କରିଛନ୍ତି। ସ୍ମିତାରାଣୀଙ୍କ ଶବ ଆଜି ଯାଜପୁର ଜିଲ୍ଲା ମେଡ଼ିକାଲରେ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଡାକ୍ତର ନୀଳମଣି ତ୍ରିଲୋଚନ ବେହେରା ଓ ଡାକ୍ତର ସଂଜୀବ ପଲେଇଙ୍କ ବ୍ୟବ‌େଚ୍ଛଦ ତଥ୍ୟ ଓ ଫରେନସିକ୍ ଟିମ୍‌ର ଅନୁସନ୍ଧାନକୁ ଭିତ୍ତିକରି ପୁଲିସ ହାତରେ କିଛି ଠୋସ୍‌ ସୁରାକ ଲାଗିଥିବା କୁହାଯାଉଛି। ଏହାକୁ ଭିତ୍ତିକରି ଗେଷ୍ଟ୍‌ହାଉସ ମାଲିକ ତଥା ସରପଞ୍ଚ ସ୍ବାମୀ ରୂପେଶଙ୍କ ସହିିତ ତାଙ୍କ ୫ ଜଣ ସହଯୋଗୀଙ୍କୁ ପୁଲିସ ନିଜ ହେପାଜତକୁ ନେଇ ପଚରାଉଚରା କରୁଛି।

ଗତକାଲିର ଏହି ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ‌େବଳେ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ନେତୃମଣ୍ଡଳୀ ଶାସକ ଦଳକୁ ଘେରିବା ଆରମ୍ଭ କରିଛନ୍ତି। ଆସନ୍ତାକାଲି ବିଜେପିର ରାଜ୍ୟସ୍ତରୀୟ ଫାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ଗତକାଲି ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତରେ ଭତ୍ତା ବଣ୍ଟନ କରିବାକୁ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସହିତ ସ୍ମିତାରାଣୀ ବିଶ୍ବାଳ ଭଡଙ୍ଗା(ଚାରିବାଟିଆ) ଗାଁକୁ ଯାଇଥିଲେ। ଭତ୍ତା ବଣ୍ଟନ ପରେ ମଧ୍ୟାହ୍ନରେ ସରପଞ୍ଚ ମଧୁସ୍ମିତା ତାଙ୍କ ଘରକୁ ପଳାଇଥିଲେ। ମାତ୍ର ସ୍ବାମୀ ରୂପେଶ ଭଦ୍ର ଓ ସାଙ୍ଗମାନେ ତାଙ୍କ ଗାଡ଼ି‌େର ଗେଷ୍ଟହାଉସ(ବାଲିଗରି)କୁ ସ୍ମିତାରାଣୀ ନେଇଆସିଥିଲେ। ଶ୍ରୀ ଭଦ୍ର ଓ ସାଙ୍ଗସାଥୀଙ୍କ ପାଇଁ ସେଠାରେ ଭୋଜିଭାତର ଆୟୋଜନ ହୋଇଥିଲା। ଖାଇବା ପୂର୍ବରୁ ସ୍ମିତାରାଣୀ ଧୋଇଧାଇ ହେବା ନାମରେ ଉପର ମହଲାର ତାଙ୍କ ବେଡ୍‌ରୁମକୁ ଯାଇ ଫ୍ୟାନ୍‌ରେ ନିଜ ଓଢଣୀ ଲଗାଇ ଝୁଲିପଡ଼ିଲେ ବୋଲି ଅଟକ ଥିବା ରୂପେଶ ଗତକାଲି ପୁଲିସକୁ କହିଥିଲେ। ଏପରିକି ଭିତର ପଟୁ ସ୍ମିତାରାଣୀ କବାଟ ବନ୍ଦ କରି ଆତ୍ମହତ୍ୟା କରିଥିଲେ। ସାବଳରେ କବାଟ ତାଡ଼ି ତାଙ୍କ ଶବ ଉହ୍ଲାଇଥିଲେ ବୋଲି ରୂପେଶ ସଫେଇ ଦେଇଥିଲେ। ତେବେ, ଗତକାଲି ଠାରୁ ଏହି ଘଟଣାକୁ ନେଇ ବିଭିନ୍ନ ସନ୍ଦେହ ଅଧିକ ଘନେଇବାରେ ଲାଗିଛି। ରୂପେଶ ଓ ତାଙ୍କ ଭାଇ ସଫେଇ ଦେଇଛନ୍ତି ଯେ ସ୍ମିତାରାଣୀଙ୍କ ସହିତ ତାଙ୍କର ଘରୋଇ ସମ୍ପର୍କ। ମାତ୍ର ଏହି କଥାକୁ ମୃତ ସ୍ମିତାରାଣୀଙ୍କ ସ୍ବାମୀ ସୁଶୀଲ ବିଶ୍ବାଳ ଅସ୍ବୀକାର କରିଛନ୍ତି। ‌ତାଙ୍କର ଗୋଟିଏ ଛୋଟ ଝିଅ ଅଛି। ତାଙ୍କ ଘରେ କୌଣସି ସମସ୍ୟା ବା ବିବାଦ ନଥିବାବେଳେ ଏହା ଏକ ସୁପରିକଳ୍ପିତ କାଣ୍ଡ‌ ବୋଲି ସେ ଅଭିଯୋଗ କରିଛନ୍ତି। ସ୍ମିତାରାଣୀଙ୍କୁ ଗେଷ୍ଟ୍‌ହାଉସରେ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହି ଘଟଣାରେ ଏକାଧିକ ପ୍ରଭାବଶାଳୀ ବ୍ୟକ୍ତିଥିବାରୁ ଗତକାଲିଠାରୁ ଏହାକୁ ଚପାଇ ଦେବାକୁ ବିଭିନ୍ନ ଉପାୟରେ ଅପଚେଷ୍ଟା ଚାଲିଛି।

ଏ ସଂପର୍କରେ ଯାଜପୁର ଏସ୍‌ପି ଚରଣସିଂ ମୀନାଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ‌େଯ, ତଦନ୍ତ ଚାଲିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe