Times of India
ପଦ୍ମପୁର: ପଦ୍ମପୁର ଉପଖଣ୍ତ ଲଖମରାକୁ ନୂତନ ବ୍ଲକ୍ର ମାନ୍ୟତା ଦାବିରେ ବନ୍ଦ ଡାକରା ଦିଆଯାଇଥିଲା। ପାଇକମାଳ ବ୍ଲକ୍ ଅଧୀନରେ ଥିବା ଲଖମରାର ତହସିଲ କାର୍ଯ୍ୟାଳୟ ପଦ୍ମପୁର, ଥାନା ଝାରବନ୍ଧ ବ୍ଲକ୍ର ଜଗଦଲପୁର ପରି ବିଚିତ୍ର ଭୌଗଳିକ ସ୍ଥିତିରେ ରହିଛି। ତେଣୁ ଲଖମରା, ଚର୍ଦାପାଲି, ସରେଇକେଲା, ଜଗଦଲପୁର, ବାଦିକଟା, ବୁକୁରାମୁଣ୍ତା ପଂଚାୟତବାସୀ ଲଖମରାକୁ ନୂତନ ବ୍ଲକ ଦାବି ଉପସ୍ଥାପନ କରିଛନ୍ତି। ଏ ସଂପର୍କରେ ସରକାରଙ୍କୁ ପୂର୍ବରୁ ନିବେଦନ କରାଯାଇଥିଲା। କିନ୍ତୁ ସରକାର କୌଣସି ପଦକ୍ଷେପ ନେଇ ନ ଥିବାରୁ ହଜାର ହଜାର ଲୋକ, କଲେଜ ଛାତ୍ରୀ ଏକ ଶୋଭାଯାତ୍ରାରେ ‘ବ୍ଲକ୍ ନାହିଁ ତ ଭୋଟ ନାହିଁ’ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଗାନ୍ଧି ପ୍ରତିମୂର୍ତ୍ତିଠାରେ ଧାରଣା ଦେଇଥିଲେ।
ବିଜେପି ପ୍ରାର୍ଥି ପ୍ରଦୀପ ପୁରୋହିତ ଶୋଭାଯାତ୍ରାରେ ସାମିଲ ହୋଇ ଦାବି ପ୍ରତି ନିଜର ସମର୍ଥନ ଜଣାଇଥିଲେ। ଧାରଣାସ୍ଥାନକୁ ବିଧାୟକ ସୁଶାନ୍ତ ସିଂ ପହଂଚି ନୂତନ ବ୍ଲକ୍ ପାଇଁ ପଂଚାୟତରାଜ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ସମସ୍ତ ପ୍ରକାର ସହଯୋଗ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ। ବ୍ଲକ ଗଠନର କୋର୍ କମିଟି ସଭାପତି କେଶବ ସାହୁ, ସଂପାଦକ ସପ୍ତଲାଲ ଝଗରା, ଉପେନ୍ଦ୍ର ବେହେରା, ରାକେସ ଡନସନା, ରମାକାନ୍ତ ମିଶ୍ର, ଜଳଧର ବରିହା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ସଂପୃକ୍ତ ପଂଚାୟତର ସରପଂଚ ନିଜର ସମର୍ଥକ ସହିତ ସାମିଲ ହୋଇଥିଲେ। ଆଗାମୀ ଦିନରେ ଏକ ପ୍ରତିନିଧି ମଣ୍ତଳୀ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ପାଇଁ ପ୍ରସ୍ତାବ ରହିଛି।
Follow Us