ପାରଳା ରଥଯାତ୍ରାରେ ଲକ୍ଷାଧିକ ଭକ୍ତ 

ପାରଳା ରଥଯାତ୍ରାରେ ଲକ୍ଷାଧିକ ଭକ୍ତ 
ପାରଳାଖେମୁଣ୍ତି : ଦୁଇବର୍ଷ ପରେ ଆଜି ପାରଳାଖେମୁଣ୍ତିରେ ରଥଯାତ୍ରା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ମହାପ୍ରଭୁଙ୍କ ପହଣ୍ଡି ବିଜେ ପରେ ଗଜପତି ରାଜପ୍ରାସାଦ ଦାୟିତ୍ବରେ ଥିବା ରାଜଜେମା ସୁଶ୍ରୀ କଲ୍ୟାଣୀ ଗଜପତିଙ୍କୁ ଛେରାପହଁରା ପାଇଁ ନିମନ୍ତ୍ରଣ ପଠାଯାଇଥିଲା। ସୁଶ୍ରୀ କଲ୍ୟାଣୀ ଗଜପତି ପହଞ୍ଚି ତିନି ରଥରେ ଛେରାପହଁରା କରିବା ସହ ଆଳତି କରି ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିଲେ। ସ୍ଥାନୀୟ କଳାକାର ମାନେ ବିଭିନ୍ନ ବେଶରେ ଠାକୁରଙ୍କ ରଥ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରିଥିଲେ।
ତେବେ ୨ ବର୍ଷ ପରେ ରଥଯାତ୍ରା ହେଉଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ପରମ୍ପରା ଅନୁସାରେ ମା' ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣିଥିଲେ। ଠାକୁରଙ୍କ ଦର୍ଶନ ପାଇଁ ବ୍ରହ୍ମପୁର ସା˚ସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲାପାଳ ଲିଙ୍ଗାରାଜ ପଣ୍ତା ଓ ଆରକ୍ଷୀ ଅଧ୍ୟକ୍ଷ ଜୟରାମ ଶତପଥୀ ପ୍ରମୁଖ ପହଞ୍ଚିଥିଲେ। ପୁଲିସ ପକ୍ଷରୁ ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ପ୍ରସ୍ତୁତ କରାଯାଇଥିଲା। ବଡ଼ ଗାଡ଼ିକୁ ପାର୍କିଂ ପାଇଁ ସହରରେ ପର୍ଯ୍ୟାପ୍ତ ପାର୍କିଂସ୍ଥଳ ଖୋଲାଯାଇଥିଲା। ତେବେ ପୂର୍ବାହ୍ନରେ ପାଗ ଗୁଳୁଗୁଳିଆ ଥିବା ବେଳେ ସନ୍ଧ୍ୟାରେ ରଥ ଟଣା ବେଳକୁ ପାଗ ସାମାନ୍ୟ ଥଣ୍ତା ପଡ଼ିଥିଲା। ଚଳିତ ରଥଯାତ୍ରାରେ ଲୋକଙ୍କୁ ଆକର୍ଷଣ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସହରର ସମସ୍ତ ପ୍ରବେଶ ସ୍ଥାନରେ ବିଭିନ୍ନ ହୋର୍ଡ଼ିଂ, ବୋର୍ଡ଼, ବିଭିନ୍ନ ଆଲୋକ ମାଳା ଓ ଆକାଶ ବେଲୁନ୍ ମାଧ୍ୟମରେ ସ୍ବାଗତ କରାଯାଇଥିଲା। ସ୍ବତନ୍ତ୍ର ସେଲ୍ପି ଜୋନ୍ ବିଶେଷ ଆକର୍ଷଣ ପାଲଟିଥିଲା। ପଡ଼ୋଶୀ ଆନ୍ଧ୍ରପ୍ରଦେଶ, କତ୍ତୁରୁ, ପୁରୁଣାପାଟଣା, ସାରବାକୋଟା, ମଞ୍ଜୁଷା ଓ ପଲାସା ଅଞ୍ଚଳରୁ ହଜାର ହଜାର ଭକ୍ତ ଯୋଗ ଦେଇଥିଲେ। ଆସନ୍ତାକାଲି ଠାରୁ ଆଡ଼ପ ମଣ୍ତପରେ ପ୍ରସାଦ ବଣ୍ଟନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe