representational immage - Hindustan Times
ବୀରମହାରାଜପୁର: ବୀରମହାରାଜପୁର ଥାନା ଅଞ୍ଚଳରେ ଦୁଇଜଣ ଚାଷୀଙ୍କୁ କୃଷି ଯନ୍ତ୍ରପାତି ଯୋଗାଇଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ସ୍ଥାନୀୟ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ଠକେଇର ଶିକାର ଚାଷୀ ହେଲେ ବୀରମହାରାଜପୁର ଥାନା ହିକୁଡ଼ି ଗ୍ରାମର ରବି ସେଠୀ(୩୫) ଓ ବାଘଲପୁର ଗ୍ରାମର ସୌମିତ୍ରୀ ପ୍ରଧାନ(୪୦)। ସେମାନଙ୍କଠାରୁ ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ବଡ଼ମାଲ ଫାଣ୍ଡି ତୁଟାମୁଣ୍ଡାର ଉମାକାନ୍ତ ଛନ୍ଦଙ୍କ ପୁଅ ବାବୁଲାଲ ଛନ୍ଦ ୫ ଲକ୍ଷ ୭୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ସୌମିତ୍ରୀଙ୍କ ଅଭିଯୋଗ ଅନୁସାରେ, ବାବୁଲାଲ ତାଙ୍କୁ କୃଷିଯନ୍ତ୍ରପାତି ଯୋଗାଇଦେବାକୁ ବିଶ୍ବାସ ଜନ୍ମାଇ ଗତ ୮.୮.୨୦୨୧ରେ ନଗଦ ୨ଲକ୍ଷ ଟଙ୍କା ନେଇଥିଲେ।
ସେହିପରି ହିକୁଡ଼ି ଗ୍ରାମର ରବି ସେଠୀଙ୍କୁ ମଧ୍ୟ କୃଷି ଯନ୍ତ୍ରପାତି ଯୋଗାଇ ଦେବେ କହି ଗତ ୨୨.୭.୨୦୨୨ରେ ପ୍ରଥମେ ୩୦ ହଜାର ଟଙ୍କା, ୨.୮.୨୦୨୨ରେ ୭୦ ହଜାର ଟଙ୍କା ଏବଂ ଜମାଖାତାରେ ୧ ଲକ୍ଷ ୭୦ ହଜାର ଟଙ୍କା ନେଇଥିଲେ। ଟଙ୍କା ନେବା ପରଠାରୁ ସେ କୃଷି ଯନ୍ତ୍ରପାତି ଦେଇ ନଥିଲେ। ଏଥିସହ ଅଭିଯୋଗକାରୀଙ୍କୁ ଧରାଛୁଆଁ ମଧ୍ୟ ଦେଇ ନଥିଲେ। ଗତ ୧୪.୧୨.୨୦୨୨ରେ ଦେଇଥିବା ଚେକ୍ ବାଉନ୍ସ ହୋଇଥିଲା। କଥା ବଢ଼ିବାରୁ ବାବୁଲାଲ ଉଭୟଙ୍କୁ ଏକ ସତ୍ୟପାଠ କରି ଟଙ୍କା ଫେରାଇ ଦେବାକୁ କହିଥିଲେ। ମାତ୍ର ସେ ଟଙ୍କା ଫେରାଇ ନ ଥିବାରୁ ଦୁଇ ଅଭିଯୋଗକାରୀ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୁବଳୟା ଥାନା ଡୁମୁରୀ ଗ୍ରାମର ସଞ୍ଜିବ ଦାଶ ନାମକ ବ୍ୟକ୍ତିଙ୍କୁ ମଧ୍ୟ ବାବୁଲାଲ ଅନୁରୂପ ଭାବରେ ଠକି ୨ଲକ୍ଷ ୫୦ ହଜାର ଟଙ୍କା ନେଇଛନ୍ତି। ଏନେଇ ସଞ୍ଜୀବଙ୍କ ଅଭିଯୋଗକ୍ରମେ ସୁବଳୟା ଥାନାରେ ମଙ୍ଗଳବାର ଏକ ମାମଲା (ନଂ- ୩୮) ରୁଜୁ ହୋଇଥିବା ଥାନାଧିକାରୀ ଅଞ୍ଜଳି କୁମ୍ଭାର ପ୍ରକାଶ କରିଛନ୍ତି।
Follow Us