‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ଫେରିଯିବ ଲକ୍ଷାଧିକ ଟଙ୍କା: ଅଟକିଲା ବିକାଶ, ଅସମ୍ପୂର୍ଣ୍ଣ ଏକାଧିକ ପ୍ରକଳ୍ପ

ପଞ୍ଚାୟତର ବିକାଶ ପାଇଁ ପୂର୍ବ ସରକାର ୨୦୨୩ ଅକ୍ଟୋବର ମାସରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ଆରମ୍ଭ କରିଥିଲେ। ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସହ ପୂଜାସ୍ଥଳୀର ବିକାଶ ଏବଂ ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ କରାଯିବା...

ddgdgdg

ଖଣ୍ଡପଡ଼ା: ପଞ୍ଚାୟତର ବିକାଶ ପାଇଁ ପୂର୍ବ ସରକାର ୨୦୨୩ ଅକ୍ଟୋବର ମାସରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ଆରମ୍ଭ କରିଥିଲେ। ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସହ ପୂଜାସ୍ଥଳୀର ବିକାଶ ଏବଂ ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ କରାଯିବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ ହୋଇଥିଲା। ଏଥିପାଇଁ ପଞ୍ଚାୟତରୁ ପ୍ରକଳ୍ପଗୁଡ଼ିକୁ ପ୍ରସ୍ତୁତ ହୋଇଥିବା ବେଳେ ରାଜ୍ୟ ସରକାର ସ୍ୱତନ୍ତ୍ର ଅର୍ଥରାଶି ମଞ୍ଜୁର କରିଥିଲେ। ମାତ୍ର ଯୋଜନା ବାବଦ ଅର୍ଥରାଶିରେ ଅଧା ପ୍ରକଳ୍ପ ନିର୍ମାଣ ହୋଇଥିବା ବେଳେ ଖର୍ଚ୍ଚ ହୋଇନପାରିବାରୁ ଏବେ ଲକ୍ଷାଧିକ ଟଙ୍କା ଫେରିଯିବାକୁ ବସିଥିବା ସୂଚନା ମିଳିଛି। ଫଳରେ ପ୍ରକଳ୍ପଗୁଡ଼ିକର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଥିବା ବେଳେ ଧାର୍ମିକସ୍ଥଳୀର ବିକାଶ ଅଧାରେ ଅଟକିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ୨୨ଟି ପଞ୍ଚାୟତକୁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ଅଧୀନରେ ପ୍ରାୟ ୧୧ କୋଟି ଟଙ୍କା ଅର୍ଥରାଶି ମଞ୍ଜୁର ହୋଇଥିଲା। ତେବେ ବିଭିନ୍ନ କାରଣରୁ ଏବେ ଏହି ଯୋଜନାରେ ୫ କୋଟିରୁ ଊର୍ଦ୍ଧ୍ୱ ଅର୍ଥରାଶି ଫେରିଯାଇଥିବା ଜଣାପଡ଼ିଛି। କାମ କରିବାରେ ଅହେତୁକ ବିଳମ୍ବ ହେତୁ ଏକାଧିକ ସ୍ଥାନରେ ଏହି ପ୍ରକଳ୍ପ ଝୁଲି ରହିଥିଲା। ଗାଁ ଗାଁରେ ପ୍ରକଳ୍ପ ନାମରେ ଫଳକ ଲାଗିଥିବା ବେଳେ ମାଟି ମୁଠାଏ ମଧ୍ୟ ପଡ଼ିପାରିଲା ନାହିଁ। ବିଶେଷକରି ନିର୍ବାଚନର ଠିକ୍‌ ପୂର୍ବରୁ ଶତାଧିକ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ଯେଉଁମାନେ କାମ ଆରମ୍ଭ କରିଥିଲେ ସେମାନେ ଉପକୃତ ହୋଇଥିବା ଯେଉଁ ପ୍ରକଳ୍ପ ଆଦୌ ଆରମ୍ଭ ହୋଇନଥିଲା ତାହା ଅନିଶ୍ଚିତତା ମଧ୍ୟଦେଇ ଗତି କରୁଥିବା ଜନପ୍ରତିନିଧିମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, ସରକାର ପରିବର୍ତ୍ତନ ପରେ ନୂଆ ସରକାର ଯୋଜନାକୁ ପରିବର୍ତ୍ତିତ ଢଙ୍ଗରେ ଚଳାଇବାକୁ ନିଷ୍ପତ୍ତି ନେଇଥିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି। ବ୍ଲକ୍‌ ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସମସ୍ତ ୨୨ ପଞ୍ଚାୟତରେ ଏକାଧିକ ପ୍ରକଳ୍ପ ଜରିଆରେ ପ୍ରାୟ ସାଢେ ୫ କୋଟି ଅର୍ଥରାଶି ବିନିଯୋଗ ହୋଇଥିବା ବେଳେ ବାକି ଅର୍ଥ ଏବେ ଫେରିଯିବାକୁ ବସିଛି। ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ବଡ଼ବାଣପୁର ପଞ୍ଚାୟତରେ ସବୁଠୁ ଆଶ୍ଚର୍ଯ୍ୟଜନକ ଚିତ୍ର ଦେଖିବାକୁ ମିଳିଛି। ‘ଆମ ଓଡ଼ିଶା ଓ ନବୀନ ଓଡ଼ିଶା’ ଯୋଜନାରେ ଉକ୍ତ ପଞ୍ଚାୟତରେ ଟଙ୍କାଟିଏର ମଧ୍ୟ କାମ ହୋଇନଥିବା ବେଳେ ସମସ୍ତ ଅର୍ଥରାଶି ଫେରିଯିବାର ସ୍ଥିତି ଉପୁଜିଛି। 

ସେହିପରି ସିଧାମୂଳା ଓ ଗୁଣ୍ଠୁଣି ପଞ୍ଚାୟତରେ ମାତ୍ର ଅଢେଇ ଲକ୍ଷ ଟଙ୍କା ଅର୍ଥ ବିନିଯୋଗ ହୋଇଥିବା ବେଳେ ବାକି ୪୭ ଲକ୍ଷ ଟଙ୍କା ଅର୍ଥରାଶି ଫେରିଯିବାର ସ୍ଥିତି ସୃଷ୍ଟି ହୋଇଛି। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅର୍ଥରାଶି ଖର୍ଚ୍ଚ କରିବାରେ ବୋଦସା ଓ ଶାଳଝରିଆ ପଞ୍ଚାୟତ ସବୁଠୁ ଆଗରେ ଥିବାବେଳେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରିନଥିବା ସୂଚନା ମିଳିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପମା ବେହେରା ବନମାଳିପୁର ପଞ୍ଚାୟତକୁ ପ୍ରତିନିଧିତ୍ୱ କରୁଥିବା ବେଳେ ଏଠାରେ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରିନାହିଁ। ସମାନ ଭାବେ ରାଣୀପଡ଼ା ପଞ୍ଚାୟତକୁ ଉପାଧ୍ୟକ୍ଷ ଶିଶିର କୁମାର ସାହୁ ପ୍ରତିନିଧିତ୍ୱ କରୁଥିବା ବେଳେ ଏଠାରେ ମଧ୍ୟ ପ୍ରାୟ ୨୮ ଲକ୍ଷରୁ ଊର୍ଦ୍ଧ୍ୱ ଅର୍ଥରାଶି ଏବେ ଫେରିଯିବାର ସ୍ଥିତି ସୃଷ୍ଟି ହୋଇଛି। ଏନେଇ ଖଣ୍ଡପଡ଼ା ବିଡିଓ ଅଙ୍କୁର ଅଭିଳାଷଙ୍କ ପ୍ରତିକ୍ରିୟା ନେବାରେ ସରକାର ଯୋଜନାକୁ ପରିବର୍ତ୍ତନ କରି ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ପରିବର୍ତ୍ତନ ପାଇଁ ନିକଟରେ ଘୋଷଣା କରିଛନ୍ତି। ତେବେ ଚାଲୁ ରହିଥିବା ପ୍ରକଳ୍ପକୁ ଅନୁଦାନ ମଞ୍ଜୁର କରାଯାଉଥିବା ବେଳେ ବାକି ପ୍ରକଳ୍ପ ବାବଦରେ ଉପରିସ୍ଥ ଅଧିକାରୀଙ୍କଠାରୁ ସ୍ପଷ୍ଟ ସୂଚନା ଆସିନଥିବା ବିଡିଓ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe