୨୪ରେ ସରିବ ଲଳିତ କଳା ଏକାଡେମି ସଭାପତି ସୁଦର୍ଶନଙ୍କ କାର୍ଯ୍ୟକାଳ: ଏଯାଏ ଆରମ୍ଭ ହୋଇନି ନୂଆ ସଭାପତି ଚୟନ ପ୍ରକ୍ରିୟା

Advertisment
ନିଜ ନିୟମକୁ ମାନୁନି ସଂସ୍କୃତି ବିଭାଗ, ପଦବି ପୂରଣରେ ମନମାନି

ଭୁବନେଶ୍ବର : ଚଳିତ ମାସ ୨୪ ତାରିଖରେ ଶେଷ ହେବାକୁ ଯାଉଛି ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଅଧୀନସ୍ଥ ଓଡ଼ିଶା ଲଳିତ କଳା ଏକାଡେମିର ସଭାପତି ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କାର୍ଯ୍ୟକାଳ। ହେଲେ ସଭାପତି ପଦବି ପୂରଣ ପାଇଁ ବିଭାଗ ପକ୍ଷରୁ ଏ ଯାଏ ବିଜ୍ଞପ୍ତି ବି ପ୍ରକାଶ ପାଇନାହିଁ। ପୂର୍ବରୁ ମାସମାସ ଧରି ଏକାଡେମି ପଦପଦବି ଖାଲିପଡ଼ିବା ତଥା ଏ ସବୁ ପୂରଣ ନେଇ ତ୍ବରିତ ପଦ‌କ୍ଷେପ ଗ୍ରହଣ ନ କରିବାର ଅଲୋଡ଼ା ରେକର୍ଡ ସଂସ୍କୃତି ବିଭାଗ କରିଥିବ‌ା ବେଳେ ଏଥର ମଧ୍ୟ ଏହାର ପୁନରାବୃତ୍ତି ହେବାକୁ ଯାଉଛି। ଲଲିତ କଳା ଏକାଡେମି ପ୍ରତି ସଂସ୍କୃତି ବିଭାଗର ଏଭଳି ଅ‌ବହେଳା କଳାକାର ଓ ଶିଳ୍ପୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏକାଡେମିଗୁଡ଼ିକରେ ପୁରୁଣା ସଭାପତି ଦାୟିତ୍ବ ଛାଡ଼ୁଛାଡ଼ୁ ନୂଆ ସଭାପତି ଦାୟିତ୍ବ ଗ୍ରହଣ କରିବା ଭଳି ବ୍ୟବସ୍ଥିତ ତଥା ଶୃଙ୍ଖଳିତ ପ୍ରକ୍ରିୟା ସଂସ୍କୃତି ବିଭାଗ କାହିଁକି ଅବଲମ୍ବନ କରୁନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଚଳିତ ବର୍ଷଠାରୁ ଏକାଡେମିର ପଦପଦବି ପୂରଣ ପାଇଁ ସିଧାସଳଖ ନିଯୁକ୍ତି ପ୍ରକ୍ରିୟାକୁ ବାଦ୍‌ ଦେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବା ସହ ଦରଖାସ୍ତ ଆହ୍ବାନ କରାଯିବାର ବ୍ୟବସ୍ଥା କରାଯାଇଛି। କଳାକାର ତଥା ଶିଳ୍ପୀମାନଙ୍କୁ ଆବେଦନ ପାଇଁ ଅତିକମ୍‌ରେ ୨୦ ଦିନରୁ ଅଧିକ ସମୟ ଦିଆଯାଏ। ସମସ୍ତ ଆବେଦନକାରୀଙ୍କ ଆବେଦନ ଆସିବା ପରେ ସଂସ୍କୃତି ବିଭାଗ ପକ୍ଷରୁ ପଦବି ପାଇଁ ଯୋଗ୍ୟ ବ୍ୟକ୍ତି ଚୟନ ନିମନ୍ତେ ଚୟନ କମିଟି ଗଠନ କରାଯାଏ। ଚୟନ କମିଟି ଆବେଦନକାରୀଙ୍କ ମଧ୍ୟରୁ ଜଣକୁ ଚୟନ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନାମ ସୁପାରିସ କରନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ‌ଏଥିରେ ଶେଷ ସ୍ବୀକୃତିର ମୋହର ମାରନ୍ତି। ସରକାରଙ୍କ ବିଧିବ୍ୟବସ୍ଥାର ଏଭଳି ଲମ୍ବା ପ୍ରକ୍ରିୟା ବିଳମ୍ବିତ ହେବାକୁ ଯାଉଥିବାରୁ ପୁଣି ଥରେ ଦୀର୍ଘ ସମୟ ପାଇଁ ଲଳିତ କଳା ଏକାଡେମିର ସଭାପତି ପଦବି ଖାଲିପଡ଼ିବାକୁ ଯାଉଛି।

ପୂର୍ବରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ୪ଟି ଏକାଡେମି ଯଥା, ଓଡ଼ିଶା ସାହିତ୍ୟ ଏକାଡେମି, ଓଡ଼ିଶା ଲଲିତ କଳା ଏକାଡେମି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଓ ଓଡ଼ିଶା ଉର୍ଦୁ ଏକାଡେମିର ପଦବି ପୂରଣ ନିମନ୍ତେ ସିଧାସଳଖ ନିଯୁକ୍ତି ଦିଆଯାଉଥିଲା। ତେବେ ପଦବି ପୂରଣ ପ୍ରକ୍ରିୟାକୁ ନିର୍ବିବାଦୀୟ, ଅଧିକ ସ୍ବଚ୍ଛ ଓ ଯୋଗ୍ୟଙ୍କୁ ସୁଯୋଗ ଦେବା ଉଦ୍ଦେଶ୍ୟରେ ଚଳିତ ଥରଠାରୁ ଦରଖାସ୍ତ ଆହ୍ବାନ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏହି ମର୍ମରେ ଗତ ମେ’ ମାସରେ ସାହିତ୍ୟ ଏକାଡେମିର ତିନି, ସଙ୍ଗୀତ ଏକାଡେମିର ଦୁଇ, ଲଳିତ କଳା ଏକାଡେମିର ଦୁଇ ଓ ଉର୍ଦୁ ଏକାଡେମିର ଗୋଟିଏ ପଦବି ପୂରଣ କରାଯାଇଥିଲା। ହେଲେ ସେତେବେଳେ ଲଳିତ କଳା ଏକାଡେମିର ସଭାପତିଙ୍କ କାର୍ଯ୍ୟକାଳ ସରିନଥିବାରୁ ଏହି ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ନଥିଲା।

ଗତ ବର୍ଷ ୨୦୨୦ ଅକ୍ଟୋବର ୨୫ରେ ସାହିତ୍ୟ ଏକାଡେମିର ତିନି, ସଙ୍ଗୀତ ଏକାଡେମିର ଦୁଇ, ଲଳିତ କଳା ଏକାଡେମିର ଦୁଇ ଓ ଉର୍ଦ୍ଦୁ ଏକାଡେମିର ଗୋଟିଏ ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଇଚ୍ଛୁକ ଆବେଦନକାରୀଙ୍କୁ ଆବେଦନ ନିମନ୍ତେ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତର ସମୟ ଦିଆଯାଇଥିଲା। ଏହାପରେ ଚୟନ ପ୍ରକ୍ରିୟ ଶେଷ ହେବାକୁ ୬ ମାସରୁ ଊର୍ଧ୍ବ ସମୟ ଲାଗିଯାଇଥିଲା। ଏନେଇ ପ୍ରବଳ ଅସନ୍ତୋଷ ପରେ ଶେଷରେ ମେ’ ଶେଷ ସପ୍ତାହରେ ଏହି ସବୁ ପଦବି ପୂରଣ ହୋଇଥିଲା। ଅର୍ଥାତ ସରକାରୀ ବ୍ୟବସ୍ଥା ଭିତରେ ଏକାଡେମିଗୁଡ଼ିକର ପଦପଦବି ପୂରଣ ପାଇଁ ୮ ମାସରୁ ଊର୍ଧ୍ବ ସମୟ ଲାଗିଯାଇଥିଲା।

ତେବେ ପୁରୁଣା ସଭାପତିଙ୍କ କାର୍ଯ୍ୟକାଳ ସରୁସରୁ ନୂଆ ସଭାପତି ଦାୟିତ୍ବ ଗ୍ରହଣ କରିବା ଭଳି ଶୃଙ୍ଖଳିତ ପ୍ରକ୍ରିୟା ସଂସ୍କୃତି ବିଭାଗ କାହିଁକି ଅବଲମ୍ବନ କରିପାରୁନାହିଁ। ଏକାଡେମିଗୁଡ଼ିକ ପ୍ରତି ସଂସ୍କୃତି ବିଭାଗର ଏଭଳି ଅବହେଳା ମନୋଭାବ କାହିଁକି? ଏବେ କାର୍ଯ୍ୟରତ ସଭାପତିଙ୍କ କାର୍ଯ୍ୟକାଳ ଆଉ ୧୬ ଦିନ ବାକି ରହିଥିବା ବେଳେ ପଦବି ପୂରଣ ପାଇଁ ସଂସ୍କୃତି ବିଭାଗ କେବେ ପ୍ରକ୍ରିୟା ଆରମ୍ଭ କରୁଛି ଏବଂ ସରକାରୀ ବିଧିବ୍ୟବସ୍ଥାର ବିଳମ୍ବିତ ପ୍ରକ୍ରିୟା ମଧ୍ୟରେ ନୂଆ ସଭାପତିଙ୍କୁ କେବେ ନିଯୁକ୍ତି ଦେଉଛି ତାହା ଦେଖିବା ବାକି ରହିଲା।

ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ କହିଛନ୍ତି, ଓଡ଼ିଶା ଲଳିତ କଳା ଏକାଡେମିର ସଭାପତି ପଦବି ପାଇଁ ବିଭାଗ ପକ୍ଷରୁ ପ୍ରକ୍ରିୟା ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ପରେ ଶିଳ୍ପୀ ତଥା କାରିଗରମାନଙ୍କୁ ଦରଖାସ୍ତ ଆହ୍ବାନ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe