ଲଳିତ କଳା ଏକାଡେମୀ ପୁରସ୍କାର ପାଇଲେ ବାଲେଶ୍ବରର ଲକ୍ଷ୍ମୀପ୍ରିୟା

Advertisment

‘କାମରେ ନିଷ୍ଠା ଓ ସାଧନା ରହିଲେ ସଫଳତା ନିଶ୍ଚିତ ମିଳିବ’

‘କାମରେ ନିଷ୍ଠା ଓ ସାଧନା ରହିଲେ ସଫଳତା ନିଶ୍ଚିତ ମିଳିବ’

ଲଳିତ କଳା ଏକାଡେମୀ ପୁରସ୍କାର ପାଇଲେ ବାଲେଶ୍ବରର ଲକ୍ଷ୍ମୀପ୍ରିୟା

ବାଲେଶ୍ବର: ୨୦୨୧ର କେନ୍ଦ୍ର ଲଳିତ କଳା ଏକାଡେମୀ ପୁରସ୍କାର ୨୦ ଜଣ ଶିଳ୍ପୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏଥିରୁ ଓଡ଼ିଶାର ଦୁଇଜଣ ଚିତ୍ରଶିଳ୍ପୀଙ୍କୁ ମିଳିଛି। ବାଲେଶ୍ବର ବସ୍ତା ବ୍ଲକ ରୁପ୍‌ସା ଅଞ୍ଚଳର ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ(୩୪)ଙ୍କୁ ଏହି ପୁରସ୍କାର ମିଳିଛି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ୍‌ ଭେଙ୍କିଆ ନାଇଡୁ ଲକ୍ଷ୍ମୀପ୍ରିୟାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି.କିଷନ ରେଡ୍ଡି, ସଙ୍ଗୀତ ନାଟକ ଓ ଲଳିତକଳା ଏକାଡେମୀର ଅଧ୍ୟକ୍ଷା ଉମା ନନ୍ଦୁରୀ, ସଙ୍ଗୀତ ନାଟକ ଅକାଡେମୀର ସଚିବ ତେମସୁନାରୋ ଜମିର, ଲଳିତ କଳା ଏକାଡେମୀର ସଚିବ ରାମକୃଷ୍ଣ ଭେଦାଲା, କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ସଂଯୁକ୍ତା ମୁଦଗଲ ପ୍ରମୁଖ ଉପସ୍ଥିତ ଥିଲେ।

ରୁପ୍‌ସା କଷିପଦା ପଞ୍ଚାୟତ ହାତୀଆଡିହା ଅଞ୍ଚଳର ଜୟନ୍ତ କୁମାର ପାଣିଗ୍ରାହୀ ଓ ପୁଷ୍ପଲତା ପାଣିଗ୍ରାହୀଙ୍କ ଝିଅ ହେଉଛନ୍ତି ଲକ୍ଷ୍ମୀପ୍ରିୟା। ବାପା ଅବସରପ୍ରାପ୍ତ ବିଇଓ ହୋଇଥିବା ବେଳେ ମା’ଗୃହିଣୀ। କଷିପଦା ନୀଳମଣି ମହାବିଦ୍ୟାଳୟରୁ ଯୁକ୍ତଦୁଇ ପରେ ବାଲେଶ୍ବର ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ସ୍ନାତକୋତ୍ତରରେ ଉର୍ତ୍ତୀର୍ଣ୍ଣ ହୋଇ ଲକ୍ଷ୍ମୀପ୍ରିୟା ୨୦୧୭ ମସିହାରେ ଦିଲ୍ଲୀ ଯାଇ ସେଠାରେ ଅନନ୍ତ ଆର୍ଟ ଗ୍ୟାଲେରୀ ସହଯୋଗରେ କାମ କରୁଛନ୍ତି। ‘ପ୍ରକୃତି ସହ ମଣିଷର ସଂପର୍କ’ ଟାଇଟଲ ଉପରେ ସେ ପ୍ରସ୍ତୁତ କରିଥିବା ଭିଜୁଆଲ ଚିତ୍ରକଳା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ପିଲାଟି ଦିନରୁ ଚିତ୍ରକଳା ପ୍ରତି ଲକ୍ଷ୍ମୀପ୍ରିୟାଙ୍କ ଦୁର୍ବଳତା ରହିଥିଲା। ଆଉ ପରେ ଏହା ନିଶା ପାଲଟିଯାଇଥିଲା। ଲକ୍ଷ୍ମୀପ୍ରିୟାଙ୍କ ଚିତ୍ରକଳା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଛି। ତାଙ୍କର ଦୁଇଟି ଚିତ୍ରକଳାକୁ ଦେଖି ଶିଳ୍ପପତି ମୁକେଶ ଅମ୍ବାନୀ କିଣିଥିଲେ। ପୂର୍ବରୁ ଲକ୍ଷ୍ମୀପ୍ରିୟାଙ୍କୁ ରାଜ୍ୟ ଓ ଜାତୀୟସ୍ତରରେ ଅନେକ ସମ୍ମାନ ମିଳିଛି।

ଲକ୍ଷ୍ମୀପ୍ରିୟା କହନ୍ତି, ଜାତୀୟସ୍ତର ପୁରସ୍କାର ପାଇ ବହୁତ ଖୁସି ଲାଗୁଛି। ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି। ଏହି ପୁରସ୍କାର ‌ମୋତେ ଆଗକୁ ଯିବାର ସହାୟକ ହେବ। ପ୍ରକୃତି ସହ ସମୟ ବିତେଇବାକୁ ମୋତେ ଭଲ ଲାଗେ। ପ୍ରକୃତିକୁ ବୁଝେ, ଆଉ ଏହାର ଗୁରୁତ୍ବକୁ ଅନୁଭବ କରି ଚିତ୍ରକଳାରେ ଦେଖାଇବାକୁ ଚେଷ୍ଟା କରିଥାଏ। ମୋର ପ୍ରାୟ ସବୁ ଚିତ୍ରକଳା ପ୍ରକୃତି ଉପରେ ରହିଛି। କାମରେ ନିଷ୍ଠା ଓ ସାଧନା ରହିଲେ ସଫଳତା ନିଶ୍ଚିତ ମିଳିବ। ବାଲେଶ୍ବର କଳାକାରଙ୍କ ଭିତରେ ପ୍ରତିଭା ରହିଛି। ହେଲେ ପ୍ଲାଟ୍‌ଫର୍ମ ନାହିଁ। ଯାହାଫଳରେ ବହୁ ଚିତ୍ରଶିଳ୍ପୀ ଆଗକୁ ଆସିବପାରନ୍ତି ନାହିଁ।

ଯେଉଁଥିପାଇଁ ମୋତେ ଦିଲ୍ଲୀ ଆସିବାକୁ ପଡ଼ିଲା। ଅନ୍ୟପକ୍ଷରେ ଚିତ୍ରକଳାର ଗୁରୁତ୍ବକୁ ଲୋକେ ବୁଝିବା ଦରକାର, ହେଲେ ସଚେତନତା ଅଭାବରୁ ଓଡ଼ିଶାରେ ଲୋକେ ଏତେ ସଚେତନ ନୁହଁନ୍ତି। ସ୍କୁଲ କି କଲେଜରେ ଅନ୍ୟ ବିଷୟରକୁ ଯେତିକି ଗୁରୁତ୍ବ ଦିଆଯାଉଛି ଯଦି ଚିତ୍ରକଳାକୁ ସେତିକି ଗୁରୁତ୍ବ ଦିଆଯାଆନ୍ତା ତେବେ ଚିତ୍ରକଳାର ଆହୁରି ଗୁରୁତ୍ବ ବଢ଼ିପାରନ୍ତା। ସେହିପରି ଆର୍ଟ ଗ୍ୟାଲେରୀ ପ୍ରତିଷ୍ଠା କରାଯାଇ ଏହାର ବିକାଶ ଦିଗରେ ପଦକ୍ଷେପ ନିଆଗଲେ ଚିତ୍ରଶିଳ୍ପୀଙ୍କୁ ପରିଚୟ ମିଳିପାରନ୍ତା। ମୋ ଜୀବନରେ ବାପାମା’ଙ୍କ ପାଖରୁ ବେଶି ଅନୁପ୍ରାଣିତ ହୋଇଛି। ସେମାନଙ୍କ ଶୃଙ୍ଖଳିତ ଜୀବନ ‌ମୋତେ ବେଶି ପ୍ରଭାବିତ କରେ। ଚିତ୍ରକଳାରେ ମୁଁ କବି ତଥା ଚିତ୍ରଶିଳ୍ପୀ ରବୀନ୍ଦ୍ରନାଥ ଠାକୁରଙ୍କୁ ଅନୁସରଣ କରେ। କିନ୍ତୁ ଚିତ୍ରରେ କିଛି ନୂଆ ଦେଖାଇବାକୁ ଚେଷ୍ଟା କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe