ଲାଲଗଡ଼ରେ ହସୁଛି ଲାଲ୍‌ଫଳ

Advertisment
ଲାଲଗଡ଼ରେ ହସୁଛି ଲାଲ୍‌ଫଳ

The Better India

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଲାଲଗଡ଼ ଭାବେ ବେଶ୍ ପରିଚିତ। ହେଲେ ଏହି ଲାଲଗଡ଼ ଜିଲ୍ଲା ପ୍ରଶାସନ ଓ ସୁନାବେଡ଼ାବାସୀଙ୍କ ଉଦ୍ୟମ ଯୋଗୁଁ ବର୍ତ୍ତମାନ ଲାଲଫଳ ପାଇଁ ଚର୍ଚ୍ଚାକୁ ଆସିଛି। ବର୍ତ୍ତମାନ ଜୈବିକ ପ୍ରଣାଳୀରେ ହସୁଛି ଷ୍ଟ୍ରବେରି ଚାଷ। ଚଳିତ ବର୍ଷ ପ୍ରଥମ କରି ପାଇଲଟ ପ୍ରୋଜେକ୍ଟ ଭାବେ ଜିଲ୍ଲାରେ ଷ୍ଟ୍ରବେରି ଚାଷ ହାତକୁ ନିଆଯାଇଛି। ପରୀକ୍ଷାମୂଳକ ଭାବେ ୧୦ ଜଣ ଚାଷୀଙ୍କୁ ନେଇ ୧୦ ଏକର ଚାଷ ଜମିରେ ଚାଷ କରାଯାଇଛି। ସମୁଦ୍ର ପତ୍ତନଠାରୁ ୩ ହଜାର ଫୁଟ ଉଚ୍ଚତାରେ ଥିବା ସୁନାବେଡ଼ା ଅଭୟାରଣ୍ୟରେ ଲଗାତାର ସ୍ବଳ୍ପ ବୃଷ୍ଟିପାତ ହେତୁ ମରୁଡ଼ି ପରିସ୍ଥିତି ଦେଖା ଦେଉଥିଲା। ପ୍ରତିବର୍ଷ ଚାଷ ନଷ୍ଟ ହେଉଥିବାରୁ ଅଭୟାରଣ୍ୟର ଚାଷୀ ବହୁ କ୍ଷତି ସହୁଥିଲେ।

publive-image

ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ତରଫରୁ ଅଭୟାରଣ୍ୟ ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ପରୀକ୍ଷାମୂଳକ ଭାବେ ଷ୍ଟ୍ରବେରି ଚାଷ ହାତକୁ ନିଆଯାଇଛି। ଜିଲ୍ଲାପାଳ ହେମକାନ୍ତ ସାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚକୋଟିଆ ଭୁଂଜିଆ ଉନ୍ନୟନ ସଂସ୍ଥା(ସିବିଡିଏ) ତରଫରୁ ଷ୍ଟ୍ରବେରି ଚାଷ ପାଇଲଟ ପ୍ରୋଜେକ୍ଟ ଭାବେ ଅଭୟାରଣ୍ୟର ଆଦିବାସୀ ଚାଷୀଙ୍କୁ ନେଇ କରାଯାଇଛି। ପ୍ରଥମ ବର୍ଷ ସୁନାବେଡ଼ା ଅଞ୍ଚଳର ୧୦ ଜଣ ଏଥିରେ ସାମିଲ ହୋଇଛନ୍ତି। ପ୍ରଥମେ ଏହି ଚାଷୀଙ୍କ ଚାଷଜମିରେ ପାଣି ପାଇଁ ଉଠା ଜଳସେଚନ ବିଭାଗ ତରଫରୁ ଗଭୀର ନଳକୂଅ ଖନନ କରାଯାଇଥିଲା। ସୋଲାର ଲାଇନ ସାହାଯ୍ୟରେ ମୋଟର ଲଗାଇ ପାଣି ଉଠାଇଥିଲେ। ମାଟିକୁ କୁଡ଼ାଖୁସା କରି ଜୈବିକ ପ୍ରଣାଳୀରେ ଗୋବର ଖତ ପୋତି ହୁଡ଼ା ତିଆରି କରି ପଲିଥିନ ଲଗାଇ ମଲଚିଂ ପ୍ରସ୍ତୁତ କରାଯାଇଥିଲା। ଉଦ୍ୟାନ ବିଭାଗ ତରଫରୁ ଚାଷ ଜମିରେ ଡ୍ରିପ ଲଗାଇ ବୁନ୍ଦାଜଳ ପ୍ରଣାଳୀରେ ଜଳସେଚନ କରାଯାଇଥିଲା।

ଗତ ନଭେମ୍ବର ୫ ତାରିଖ ମହାରାଷ୍ଟ୍ର ରାଜ୍ୟ ପୁନେ ମହାବଳେଶ୍ବରରୁ ଷ୍ଟ୍ରବେରି ଚାରା ଆଣି ଚାଷୀଙ୍କୁ ଦିଆଯାଇଥିଲା। ସିବିଡିଏ ସ୍ବତନ୍ତ୍ର ଅଧିକାରୀ ହିମାଂଶୁ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କୃଷି ବୈଜ୍ଞାନିକଙ୍କ ପରାମର୍ଶରେ ଚାଷୀମାନେ ଚାରା ରୋପଣ କରିଥିଲେ। ସିବିଡିଏ କନିଷ୍ଠ ଯନ୍ତ୍ରୀ ସୁନୀଲ ଅର୍ଗଲଙ୍କ ମାର୍ଗଦର୍ଶନରେ ଅଭୟାରଣ୍ୟର ଜଳବାୟୁରେ ଷ୍ଟ୍ରବେରି ଚାଷ ସଫଳ ହେବାକୁ ଯାଉଛି। ଏବେ ଗଛରେ ଫୁଲ ଫୁଟିବା ସହ ଫଳ ଧରୁଛି। ବହୁ ଗଛର ଫଳ ପାଚିବା ସହ ଅମଳ ଆରମ୍ଭ ହୋଇଛି। ବର୍ତ୍ତମାନ ବଜାରରେ ଷ୍ଟ୍ରବେରି କେଜି ପିଛା ୫ ଶହ ଟଙ୍କାରୁ ଅଧିକ ରହିଥିବାରୁ ଚାଷୀ ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ବାନ୍ଧିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe