ଜୟପୁର ବାଇପାସ୍ ରାସ୍ତା ପାଇଁ ଜମି ଅଧିଗ୍ରହଣ

ପ୍ରଥମ ପର୍ଯ୍ୟାୟରେ ୧୭ହିତାଧିକାରୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରକ୍ରିୟା

ଜୟପୁର ବାଇପାସ୍ ରାସ୍ତା ପାଇଁ ଜମି ଅଧିଗ୍ରହଣ

ଜୟପୁର: ଜୟପୁର ବାଇପାସ୍ ରାସ୍ତା ପାଇଁ ପୂର୍ବରୁ ସର୍ଭେ ସରିଥିବା ବେଳେ ଏବେ ଜମି ଅଧିଗ୍ରହଣ ପ୍ରକ୍ରିୟା ଜୋର ଧରିଛି। ଉମୁରୀ ରାଜସ୍ବ ସର୍କଲ ପଟରୁ ଖୁଣ୍ଟ ପୋତିବା ସହ ଜମିର ପ୍ରକୃତ ମାଲିକଙ୍କ ଚିହ୍ନଟ ପ୍ରକ୍ରିୟା କାମ ଚାଲିଛି ବୋଲି କହିଛନ୍ତି ଭୂ-ଅଧିଗ୍ରହଣ ଅଧିକାରୀ ସାଗରିକା ଷଡଙ୍ଗୀ ଓ ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ।  ସେଥିମଧ୍ୟରୁ ୧୭ଜଣଙ୍କର ଜମି ଚିହ୍ନଟ ହେବା ସହ ସେମାନଙ୍କୁ କ୍ଷତି ପୂରଣ ଦେବା ପାଇଁ ପ୍ରାରମ୍ଭିକ  ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ତହସିଲଦାର।

ଜୟପୁର ଉପକଣ୍ଠରେ ଥିବା ହୋଟେଲ ହାଲୋ ଜୟପୁର ନିକଟରୁ ବାହାରି ଉମୁରୀ ରେଳବାଇ ଓଭରବ୍ରିଜ୍ ନିକଟରେ ଏହି ବାଇପାସ୍ ରାସ୍ତା ମିଶିବ। ପ୍ରାୟ ୪କିଲୋମିଟର ୯୪୭ମିଟର ଲମ୍ବ ବିଶିଷ୍ଟ ଏହି ରାସ୍ତାରେ ବେସରକାରୀ, ସରକାରୀ ଜମି, ଘର, ଗଛ ଆଦି ରହିଛି। ୪ ଲାଇନ୍ ବିଶିଷ୍ଟ ଏହି ରାସ୍ତାର ଓସାର ୪୫ମିଟର ରହିବ। ଏଥି ପାଇଁ ୨୧.୫୧୪ ହେକ୍ଟର ଜମି ଅଧିଗ୍ରହଣ ହେବ । ଏଥିରେ ଜୟପୁର, ଦୁବୁଲି, ମକାପୁଟ, ଉମୁରୀ ପ୍ରଭୃତି ରାଜସ୍ବ ସର୍କଲର ୧୨୯ଜଣଙ୍କର ୧୭ହେକ୍ଟର ଜମି ନେବା ପାଇଁ ପ୍ରାରମ୍ଭିକ ଭାବେ ସର୍ଭେରେ ଚିହ୍ନଟ କରାଯାଇଥିଲା। ଏବେ ଏହି  ଜମି ଗୁଡିକ ପ୍ରକୃତ ସତ୍ବାଧିକାରୀଙ୍କ ନାଁରେ ରହିଛି ନା ଅନ୍ୟ କାହାରିକୁ ବିକ୍ରୀ କରିଛନ୍ତି ତାହାର ଯାଂଚ କରାଯାଉଛି। ଏହା ସହ ଉମୁରୀ ପଟରୁ ଖୁଣ୍ଟ ପୋତା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅନ୍ୟ ତିନୋଟି ଗାଁରେ ବି ଖୁଣ୍ଟ ପୋତା ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଭୂ-ଅଧିଗ୍ରହଣ ଅଧିକାରୀ ଓ ତହସିଲଦାର।

ସହରର ଗେଟଗୁଡ଼ା - ଟ୍ରାଫିକ ଛକ-ଜୟନଗର ଛକ ମଧ୍ୟରେ ଜାତୀୟ ରାଜପଥ ୨୬ର ଉଭୟ ପାର୍ଶ୍ବରେ  ଶତାଧିକ ଗ୍ୟାରେଜ୍  , ବ୍ୟାଙ୍କ, ଟ୍ରକ ମାଲିକ ସଂଘ, ମନ୍ଦିର, ସରକାରୀ କର୍ଯ୍ୟାଳୟ, ସ୍କୁଲ , କଲେଜ ଓ ବ୍ୟବସାୟୀକ ପ୍ରତିଷ୍ଠାନ ସହ ବହୁ ସାହି ବି ରହିଛି।  ଏହା ବାଦେ ରାସ୍ତାର ଉଭୟ ପାର୍ଶ୍ବରେ ଟ୍ରକ, ବସ ଓ ଅନ୍ୟ ଭାରୀଯାନ ଗୁଡ଼ିକ ଦୀର୍ଘ ସମୟ ଧରି ପାର୍କିଂ କରୁଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲା ସହ ବିଶାଖାପାଟଣା, ରାୟପୁର, ହାଇଦ୍ରାବାଦ ଆଦି ସ୍ଥାନକୁ ଯାଉଥିବା ବହୁ ବସ, ଟ୍ରକ ଆଦିର ଏହା ମୁଖ୍ୟ ରାସ୍ତା ଓ ଲାଇଫ ଲାଇନ। ଶହ ଶହ ଗାଡ଼ି ଯିବା ଆସିବା ଲାଗି ରହିଥିବାରୁ ସବୁ ବେଳେ ଟ୍ରାଫିକ ଜାମ୍ ହେବା ସହ ଛୋଟ ବଡ଼ ଦୁର୍ଘଟଣା ଜାରୀ ରହିଥିଲା। ନିହାତି ରୁପେ ବାଇପାସର ଆବଶ୍ୟକତା ସହରବାସୀଙ୍କ ପାଇଁ ରହିଥିଲା। ତୁରନ୍ତ ଜମି ଅଧିଗ୍ରହଣ କରି ବାଇପାସ୍ ରାସ୍ତା ନିର୍ମାଣ ହେଲେ ସହରର ବଡ଼ ଟ୍ରାଫିକ ସମସ୍ୟା ଦୁର ହୋଇ ପାରିବ ବୋଲି କହିଛନ୍ତି ଏନଏଚର ନିର୍ବାହୀ ଯନ୍ତ୍ରୀ କ୍ଷୀରେଶ୍ବର କନ୍ଧପାଣି, ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଓପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe