ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ହେବ

Advertisment
ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ହେବ

New Indian Express

ଭୁବନେଶ୍ୱର : ଜମି ଅଧିଗ୍ରହଣ ବିଳମ୍ବ ହେଉଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଆଗେଇ ପାରୁ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ରାଜସ୍ବ ବିଭାଗର ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟରେ ଚାଲୁ ରହିଥିବା ଜାତୀୟ ରାଜପଥର ସମ୍ପ୍ରସାରଣ ନିମନ୍ତେ ଜମି ଅଧିଗ୍ରହଣ ଦିଗରେ ରହିଥିବା ଅସୁବିଧା ଦୂର କରିବା ସହ ନିର୍ଦ୍ଧାରିତ ସମୟରେ ଏହି ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ଷାଦିନ ଆରମ୍ଭ ହେବା ପୂର୍ବରୁ ସମସ୍ତ ରାସ୍ତା କାର୍ଯ୍ୟ ସାରିବାକୁ ସେ କହିଥିଲେ।

ଏହି ବୈଠକରେ ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, କ୍ଷମତାସମ୍ପନ୍ନ ଜମି ଅଧିଗ୍ରହଣ ଅଧିକାରୀ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିକାରୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ଜମି ଅଧିଗ୍ରହଣ, କ୍ଷତିପୂରଣ ପ୍ରଦାନ ତଥା ଉପୁଜୁଥିବା ସମସ୍ୟାର ସମାଧାନ ଦିଗରେ ଅତିରିକ୍ତ ଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ରାସ୍ତା କାର୍ଯ୍ୟ ଅଗ୍ରଗତି ଦିଗରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯଥା ଶୀଘ୍ର ଜମି ହରାଉଥିବା ବ୍ୟକ୍ତିମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବା ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନାମରେ ଅଧିଗ୍ରହଣ ହୋଇଥିବା ଜମିକୁ ରେକର୍ଡଭୁକ୍ତ କରିବା ପାଇଁ କୁହାଯାଇଥିଲା।

ମଙ୍ଗୁଳିଠାରୁ ଅନୁଗୁଳ ପର୍ଯ୍ୟନ୍ତ ଜାତୀୟ ରାଜପଥର ଅବସ୍ଥା ଖୁବ କଦର୍ଯ୍ୟ ହୋଇପଡ଼ିଥିବା ବେଳେ ଗମନାଗମନ ଦିଗରେ ବିଭିନ୍ନ ଅସୁବିଧା ସୃଷ୍ଟି ହେଉଛି। ଏ କ୍ଷେତ୍ରରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାସ୍ତା କାର୍ଯ୍ୟ ଶେଷ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ମାସରେ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ଏହି ସମୀକ୍ଷା ବୈଠକରେ କୋରାପୁଟ , ନବରଙ୍ଗପୁର , ଅନୁଗୁଳ , ଢେଙ୍କାନାଳ, କଟକ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ଦେଓଗଡ , ଖୋର୍ଦ୍ଧା , ବାଲେଶ୍ୱର, ସମ୍ବଲପୁର, ନୟାଗଡ଼ ଆଦି ଜିଲ୍ଲାର ପ୍ରାୟ ୭୦ରୁ ଅଧିକ କ୍ଷମତାସମ୍ପନ୍ନ ଜମି ଅଧିଗ୍ରହଣ ଅଧିକାରୀ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe