କ୍ଷତିପୂରଣ ନଦେଇ ଜମି ଅଧିଗ୍ରହଣ, ରାସ୍ତାରେ ଧାରଣା ଦେଲେ ଲୋକେ

କ୍ଷତିପୂରଣ ନଦେଇ ଜମି ଅଧିଗ୍ରହଣ, ରାସ୍ତାରେ ଧାରଣା ଦେଲେ ଲୋକେ

ରସୁଲପୁର: କ୍ଷତିପୂରଣ ନଦେଇ ଜାତୀୟ ରାଜପଥ ପାଇଁ ଜୋରଜବରଦସ୍ତ ଜମି ଅଧିଗ୍ରହଣ। ଏହାର ପ୍ରତିବାଦରେ ରସୁଲପୁର ବ୍ଲକ୍ ଜାତୀୟ ରାଜପଥ-୧୬ ପାର୍ଶ୍ବରେ ଥିବା ସୁଆଁସାହି ଗ୍ରାମବାସୀ ଆଜି ଧାରଣା ଦେଇଛନ୍ତି। ସୁଆଁସାହି ପାଖରେ ଏହି ଜାତୀୟ ରାଜପଥ ଉପରେ ଏକ ଓଭର ବ୍ରିଜ୍ ରହିଛି। ଏଠାରେ ସର୍ଭିସ୍‌ ରୋଡ୍ ପାଇଁ ସୁଆଁସାହି ଗ୍ରାମର ୨୩ଜଣ ଲୋକଙ୍କର ଜମି ଚିହ୍ନଟ ହୋଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଜମି ବାବଦରେ ସେମାନଙ୍କୁ କ୍ଷତିପୂରଣ ମିଳିନାହିଁ କିମ୍ବା ଜମି ଅଧିଗ୍ରହଣ ପାଇଁ ନୋଟିସ ହୋଇନାହିଁ। ଏହାସତ୍ତ୍ବେ ପ୍ରଶାସନ ପୁଲିସ ଫୋର୍ସ ଛିଡ଼ାକରି ସେମାନଙ୍କ ଜମି ନେଇଯାଇଛି। ୪ଟି ଘର ଭଙ୍ଗାଯିବା ସହ ଉକ୍ତ ଜମିରେ ଥିବା ନଡ଼ିଆ, ଶାଗୁଆନ ଆଦି ଗଛ ନଷ୍ଟ କରାଯାଇଛି। କ୍ଷତିପୂରଣ ସଂପର୍କରେ ସେମାନଙ୍କ ସହିତ କେହି ଆଲୋଚନା କରିନାହାନ୍ତି କିମ୍ବା କାଗଜପତ୍ର ମଧ୍ୟ ମିଳିନାହିଁ।

ପ୍ରଶାସନର ଏଭଳି ନୀତିକୁ ବିରୋଧ‌ କରି ଜମି ହରାଇଥିବା ଲୋକମାନେ ଶାନ୍ତିପୂର୍ଣ୍ଣ ଭାବରେ ଉକ୍ତ ସର୍ଭିସ ରୋଡ୍ ଉପରେ ଆଜି ସକାଳ ୯ଟାରୁ ଧାରଣାରେ ବସିଛନ୍ତି। କ୍ଷମତାର ଅପବ୍ୟବହାର କରି ଅଗଣତାନ୍ତ୍ରିକ ଭାବରେ ସେମାନଙ୍କ ଜମି ଦଖଲ କରିଥିବାରୁ ଉପଜିଲ୍ଲାପାଳଙ୍କୁ ନିଲମ୍ବନ କରିବାକୁ ସେମାନେ ଦାବି କରିଛନ୍ତି। ଦାବି ପୂରଣ ହେବା ପର୍ଯ୍ୟନ୍ତ ଧାରଣା ଚାଲିବ ବୋଲି ଗୟାଧର ମଲିକ, ବନମାଳୀ ମଲିକ, କୃଷ୍ଣଚନ୍ଦ୍ର ମଲିକ, ଭ୍ରମରବର ମଲିକ, ତ୍ରୈଲୋକ୍ୟନାଥ ମଲିକ କହିଛନ୍ତି। ଗ୍ରାମବାସୀଙ୍କ ଧାରଣାସ୍ଥଳକୁ ଆଜି କୌଣସି ଅଧିକାରୀ ଆସିନଥିବା ଜଣା ଯାଇଛି।

ଏ ସଂପର୍କରେ ରସୁଲପୁର ତହସିଲଦାର ନିରଞ୍ଜନ ସାହୁ କୁହନ୍ତି ଯେ ଜମି ଯାଉଥିବା ଲୋକମାନେ କ୍ଷତିପୂରଣ ପାଇବେ। ଜୁନ୍ ୧୪ ତାରିଖରୁ କ୍ଷତିପୂରଣ ପ୍ରଦାନ କରାଯିବା କଥା। କୌଣସି କାରଣରୁ ଜମି ଅଧିଗ୍ରହଣ ଅଧିକାରୀମାନେ ଏହି କାର୍ଯ୍ୟ କରିବାରେ ବିଳମ୍ବ କରିଛନ୍ତି। ତଥାପି କ୍ଷତିପୂରଣ ମିଳିବାରେ କୌଣସି ଅସୁବିଧା ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe