୧ କୋଟି ୪୧ ଲକ୍ଷ ଟଙ୍କା ଠକିଥିବା ଜମି ଦଲାଲ ଗିରଫ

Advertisment
୧ କୋଟି ୪୧ ଲକ୍ଷ ଟଙ୍କା ଠକିଥିବା ଜମି ଦଲାଲ ଗିରଫ

ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଓ ମୋରଡ଼ା ତହସିଲ ଅଞ୍ଚଳରେ ଜମି କିଣାଇ ଦେବା ଆଳରେ ୧ କୋଟି ୪୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ଜଣେ ଦଲାଲକୁ ବେଙ୍ଗାଲୁରୁରୁ ଗିରଫ କରିଛି ବେତନଟୀ ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଛତ୍ରଧାରୀପାଟଣା ଗ୍ରାମର ବିବେକାନନ୍ଦ ବେହେରା (୪୦)।

ଭୁବନେଶ୍ବର ପଟିଆ ଅଞ୍ଚଳର ହେମନ୍ତ କୁମାର ମହାପାତ୍ର ଏକ ପ୍ରତିଷ୍ଠିତ କଂପାନିରେ ଜଣେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରନ୍ତି। ସେ ଓ ତାଙ୍କର ଦୁଇ ବନ୍ଧୁ ବିଧାନଚନ୍ଦ୍ର ଜେନା, ଦୁଷ୍ମନ୍ତ କୁମାର ବଳଙ୍କ ସହ ମିଶି ବେତନଟୀ ଓ ମୋରଡ଼ା ଅଞ୍ଚଳରେ ଜମି କିଣି ଏକ ଦାତବ୍ୟ ଅନୁଷ୍ଠାନ ଖୋଲିବାକୁ ମନସ୍ଥ କରିଥିଲେ। ମୟୂରଭଞ୍ଜ‌ରେ ଚିହ୍ନା ପରିଚୟ ଅଛି ଓ ଶସ୍ତାରେ ଜମି ଯୋଗାଇ ଦେବ ବୋଲି କହି ଏହି ୩ ବନ୍ଧୁଙ୍କୁ ପ୍ରଲୋଭିତ କରିଥିଲା ଠକ ବିବେକାନନ୍ଦ। ୨୦୧୯ ଜାନୁଆରି ୫ ତାରିଖରେ ହେମନ୍ତ, ବିଧାନ, ଦୁଷ୍ମନ୍ତଙ୍କୁ ବିବେକାନନ୍ଦ ମୋରଡ଼ା ଥାନା ପୂର୍ଣ୍ଣଚନ୍ଦ୍ରପୁର ଗାଁ ପାଖରେ କିଛି ଜମି ଦେଖାଇଥିଲା। ପରେ ଜମିର ଇସି କାଢ଼ିବା ସହିତ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରିବା ଆଳରେ ୫ ଲକ୍ଷ ଟଙ୍କା ନେଇଥିଲା। ଜମି ମାଲିକମାନଙ୍କୁ ଅଗ୍ରୀମ ଦିଆଯିବ ଓ ନୋଟାରିରେ ଚୁକ୍ତିନାମା ହେବ କହି ଏପ୍ରିଲ ମାସରେ ୩୨ ଲକ୍ଷ, ନଭେମ୍ବର ମାସରେ ୧୧ ଲକ୍ଷ ୮୦ ହଜାର ଓ ଡିସେମ୍ବର ୩୦ ତାରିଖରେ ୧୭ ଲକ୍ଷ ଟଙ୍କା ନେବା ସହ ନକଲି ରସିଦ ଧରାଇ ଦେଇଥିଲା। ପରେ ରାସଗୋବିନ୍ଦପୁର ସବରେଜିଷ୍ଟ୍ରର୍‌ କାର୍ଯ୍ୟାଳୟର ଅଧିକାରୀଙ୍କ ଷ୍ଟାମ୍ପ୍‌ ଓ ଦସ୍ତଖତ ଥାଇ ନକଲି କାଗଜପତ୍ର ଦେଇ ସମସ୍ତଙ୍କୁ ଚୁନ ମାରିଥିଲା ଠକ ବିବେକାନନ୍ଦ।

ଜମି କବଲା ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ଅଭିଯୁକ୍ତ ବିବେକାନନ୍ଦ ୩ ବନ୍ଧୁଙ୍କ ନିକଟରୁ ମୋଟ ୧ କୋଟି ୪୧ ଲକ୍ଷ ୩୯ ହଜାର ଟଙ୍କା ନେଇ ସାରିଥିଲା। ସେଥିରୁ କେବଳ ହେମନ୍ତଙ୍କ ନିକଟରୁ ୮୩ ଲକ୍ଷ ୬୦ ହଜାର ଟଙ୍କା ଠକି ନେଇଥିଲା। ୨୦୧୯ ଡିସେମ୍ବର ୩୧ ତାରିଖରେ ରାସଗୋବିନ୍ଦପୁର ସବ୍‌ରେଜିଷ୍ଟ୍ରର କାର୍ଯ୍ୟାଳୟରେ ହେମନ୍ତଙ୍କ ନାମରେ ଦୁଇଟି ଓ ବିଧାନଚନ୍ଦ୍ରଙ୍କ ନାମରେ ଦୁଇଟି ଏହିଭଳି ୪ଟି ଜମିର ବିକ୍ରି କବଲା କାରଯାଇଥିଲା। ଏଥିରୁ ଦୁଇଟି ଦଲିଲ ଜାଲ୍‌ ଥିଲା। ନକଲି ଜମି ବିକ୍ରେତା ଓ ନକଲି ସବ୍‌ ରେଜିଷ୍ଟ୍ରର୍‌ଙ୍କୁ ‌ଦେଖାଇ ଜମି ବିକିଥିଲା ବିବେକାନନ୍ଦ। ତେବେ ବିବେକାନନ୍ଦ ସେମାନଙ୍କୁ ନକଲି କାଗଜପତ୍ର ଦେଇ ଠକୁଥିବା ଜାଣିବା ବେଳକୁ ଏହି ମହାଠକ ଆଉ ଧରାଛୁଆଁ ଦେଇନଥିଲା। ୨୦୨୦ ମସିହାରେ ରାସଗୋବିନ୍ଦପୁର ଥାନାରେ ଓ ୨୦୨୧ ମସିହାରେ ବେତନଟୀ ଥାନାରେ ଏ ନେଇ ଅଭିଯୋଗ କରିଥିଲେ ହେମନ୍ତ। ତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ପୁଲିସ ଛାନ୍‌ଭିନ୍‌ ଚଳାଇଥିବା ବେଳେ ବିବେକାନନ୍ଦ ବେଙ୍ଗାଲରୁରେ ଲୁଚିଥିବା ପୁଲିସ ଖବର ପାଇଥିଲା। ବେତନଟୀ ଥାନାର ଏକ ସ୍ବତନ୍ତ୍ର ଟିମ୍‌ ତାକୁ ସେଠାରୁ ଗିରଫ କରିବା ପରେ ଆଜି ବେତନଟୀ ଜେଏମ୍‌ଏଫସି କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବାରିପଦାସ୍ଥିତ ବିଚା‌ର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe