ସବଡେଗା ତହସିଲରେ ଜମି ଦୁର୍ନୀତି: ସରକାରୀ ବାବୁମାନଙ୍କ ନାଁରେ ଜଙ୍ଗଲ ଜମି; ତାଲିକାରେ ଉଚ୍ଚ ଅଧିକାରୀ, ଟ୍ରେଜେରି କର୍ମଚାରୀ

Advertisment
ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସଙ୍ଗ: ଅନିଶ୍ଚିତତାରେ ୬ ହଜାର ଚାଷୀ

99acres.com

ସୁନ୍ଦରଗଡ଼/ସବଡେଗା : ସରକାରୀ ବାବୁମାନଙ୍କ ନାମରେ ଜଙ୍ଗଲ ଜମି। ନିଜକୁ ଭୂମିହୀନ ଦର୍ଶାଇ ଜଙ୍ଗଲ ଜମି ଅଧିକାର ଆଇନରେ ଅତିଚତୁରତାର ସହ ହାସଲ କରିନେଇଛନ୍ତି ଶିରୋନାମା ବା ପଟ୍ଟା। ଚାଞ୍ଚଲ୍ୟକର କଥା ହେଲା, ଜାଲିଆତି କରିଥିବା ଏହି ସରକାରୀ ବାବୁମାନଙ୍କ ମଧ୍ୟରେ ରହିଛନ୍ତି ଉଚ୍ଚପଦସ୍ଥ ଅଧିକାରୀ, ଟ୍ରେଜେରି କର୍ମଚାରୀ ତଥା ସେବାନିବୃତ୍ତ ସେନା କର୍ମଚାରୀ। ସେମାନଙ୍କ ମଧ୍ୟରୁ କାହା ନାମରେ ୮ ଏକର ପଟ୍ଟା କରି ଦିଆଯାଇଛି ତ କାହା ନାମରେ ୬ ଏକର। ଏପରି ପ୍ରାୟ ୫୦ ଏକର ଜଙ୍ଗଲ ଜମି ଶିରୋନାମା ସେମାନଙ୍କ ନାମ‌ରେ। ଜଙ୍ଗଲ ଜମି ଦୁର୍ନୀତିର ଏହି ସାଂଘାତିକ ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ସବଡେଗା ତହସିଲ ଅନ୍ତର୍ଗତ ଗାଙ୍ଗପୁରଗଡ଼ ମୌଜାର କାଏଁସଯୋର ଓ କିର୍ମାଦାଣ୍ଡ ଗାଁରୁ।

ଅଭିଯୋଗ ଅନୁସାରେ, କାଏଁସଯୋର ଓ କିର୍ମାଦାଣ୍ଡ ଗାଁର ମନୋଜ ତିର୍କୀ, ମଣୀନ୍ଦ୍ର କୁଜୁର, ହାବିଲ ଟପ୍ନୋ, ଶତ ମୁଣ୍ଡା, ରାମା ଟ‌ପ୍ନୋ, ଫାଗୁ ଏକ୍କା, ଗେନ୍ଦ୍ରା କୁଜୁରଙ୍କ ସମେତ ଆହୁରି ଅନେକ ଲୋକ ପିଢ଼ି ପରେ ପିଢ଼ି ଗାଁ ପାଖରେ ଥିବା ଜଙ୍ଗଲଜମିକୁ ଦଖଲ କରିଆସୁଛନ୍ତି। ଜମିରେ କିଏ ଚାଷ କରୁଛନ୍ତି ତ କିଏ ସେଥିରୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। ଏଥିପାଇଁ ସେମାନଙ୍କଠାରୁ ରାଜସ୍ବ ବିଭାଗ ନିୟମିତ ଭାବେ ଜବରଦଖଲ ଶୁଳ୍କ ବା ଜରିମାନା ଆଦାୟ କରିଆସୁଛନ୍ତି। କିନ୍ତୁ, ଅନ୍ୟ ଗାଁର ୧୦ ଜଣ ସରକାରୀ କର୍ମଚାରୀଙ୍କ ନାମରେ ସେସବୁ ଜମିର ଶିରୋନାମା ବା ପଟ୍ଟା କରି ଦିଆଯାଇଥିବା ମାର୍ଚ୍ଚ ୧୧ ତାରିଖରେ ଗାଁ ଲୋକେ ଜାଣିବାକୁ ପାଇଥିଲେ। ଯାହା ସମସ୍ତଙ୍କୁ ବିସ୍ମିତ କରିଥିଲା। ଏହାପରେ ମାର୍ଚ୍ଚ ୧୪ ଓ ୧୯ ତାରିଖରେ ଗାଁରେ ଏକ ଜରୁରୀ ବୈଠକ ଡକାଯାଇଥିଲା। ତହସିଲ ଅଫିସର କିଛି ଅସାଧୁ କର୍ମଚାରୀ ଜାଲିଆତି କରି ସରକାରୀ ଚାକିରିଆଙ୍କୁ ଗୋପନରେ ଜମିପଟ୍ଟା ଦେଇଥିବା ଗାଁ ଲୋକେ ଅଭିଯୋଗ କରିଥିଲେ। ବୈଠକରେ ଜାଲିଆତି ପୂର୍ବକ ଜଙ୍ଗଲ ଜମି ହଡ଼ପ କରିଥିବା ବ୍ୟକ୍ତିମାନଙ୍କୁ ଡାକି ଲୋକେ ପଚାରିବା ପରେ ସେମାନେ ଭୁଲ୍‌କ୍ରମେ ଏପରି ‌ହୋଇଥିବା ପ୍ରକାଶକରି ଜମି ସବୁ ଫେରାଇଦେବେ ବୋଲି କୁଆଡ଼େ କହିଥିଲେ। କିନ୍ତୁ, ଏପରି ଜାଲିଆତି ଗ୍ରହଣଯୋଗ୍ୟ ନୁହେଁ କହି ଗାଁର ଶତାଧିକ ଲୋକ ମଙ୍ଗଳବାର ସବଡେଗା ତହସିଲଦାରଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏସବୁ ଜଙ୍ଗଲଜମିକୁ ବହୁବର୍ଷ ଧରି ଦଖଲ କରିଥିବା ଗରିବ ଅଧିବାସୀ ବ୍ୟକ୍ତିଗତ ପଟ୍ଟା ପାଇଁ ଗ୍ରାମସଭା ଜରିଆରେ ଆବେଦନ କରିଥିବା ଏବଂ ଏବେ ତାହା ସରକାରୀ ପ୍ରକ୍ରିୟା ଭିତରେ ଥିବାବେଳେ ହଠାତ ବାବୁମାନଙ୍କ ନାମରେ ପଟ୍ଟା ବନିଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe