ଅଶିକ୍ଷାର ଅନ୍ଧକାର ଦୂର ପାଇଁ ଜମି ଦାନ, ୫୪ ଡିସିମିଲ୍‌ ଜମି ହସ୍ତାନ୍ତର କଲେ ବରିଷ୍ଠ ନାଗରିକ

ଅଶିକ୍ଷାର ଅନ୍ଧକାର ଦୂର ପାଇଁ ଜମି ଦାନ, ୫୪ ଡିସିମିଲ୍‌ ଜମି ହସ୍ତାନ୍ତର କଲେ ବରିଷ୍ଠ ନାଗରିକ

ତେନ୍ତୁଳିଖୁଣ୍ଟି : ଘରୋଇ ଜମିରେ ରହିଥିଲା ସରକାରୀ ବିଦ୍ୟାଳୟ। ତେଣୁ ଉନ୍ନତୀକରଣ ହୋଇପାରୁ ନଥିଲା। ଏହା ଜାଣିବା ପରେ ୮୦ ବର୍ଷୀୟ ବରିଷ୍ଠ ନାଗରିକ ଦେଖାଇଛନ୍ତି ବଦାନ୍ୟତା। ଅଶିକ୍ଷାର ଅନ୍ଧକାରକୁ ଦୂର କରିବା ପାଇଁ ନିଜ ଅର୍ଜିତ ସ୍ଥାବର ସମ୍ପତ୍ତିରୁ ୫୪ ଡିସିମିଲ୍‌ ଜମି ଗାଁ ବିଦ୍ୟାଳୟ ନିର୍ମାଣ ପାଇଁ ସ୍ବଇଚ୍ଛାରେ ମୁକ୍ତହସ୍ତରେ ଦାନ କରିଛନ୍ତି। ଭବିଷ୍ୟତ ପିଢ଼ି ପାଇଁ ଏତେ ବଡ଼ ପ୍ରତିଦାନ କରିଥିବା ସେହି ବ୍ୟକ୍ତି ଜଣକ ହେଲେ ନବରଙ୍ଗପୁର ସହର ନିକଟସ୍ଥ କୁସୁମି ଗ୍ରାମର ଗୋବର୍ଦ୍ଧନ ଗୌଡ଼। ଏଭଳି ମହତ୍‌ କାମ ପାଇଁ ପରିବାର ସଦସ୍ୟ ବି ତାଙ୍କୁ ସମର୍ଥନ କରିଥିବା ବେଳେ ଇତିମଧ୍ୟରେ କାଗଜପତ୍ର କାମ ଶେଷ ହୋଇଛି।

ସୂଚନା ଅନୁଯାୟୀ, ତେନ୍ତୁଳିଖୁଣ୍ଟି ବ୍ଲକ୍‌ କଂଗ୍ରା ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡ଼ା ପ୍ରାଥମିକ ବିଦ୍ୟାଳୟ ଗୋବର୍ଦ୍ଧନ ଗୌଡ଼ଙ୍କ ଜମିରେ ସ୍ଥାପନ ହୋଇଥିଲା। ତେବେ ବିଦ୍ୟାଳୟ ଜମି ଗୋବର୍ଦ୍ଧନଙ୍କ ନାମରେ ରହିଥିବାରୁ ବିଦ୍ୟାଳୟର ଉନ୍ନତୀକରଣ କାର୍ଯ୍ୟରେ ଅସୁବିଧା ହେଉଥିଲା। ଉନ୍ନତ ଭିତ୍ତିଭୂମିରୁ ପିଲା ବଞ୍ଚିତ ହୋଇଥିବା ଜାଣିବାପରେ କୁସୁମି ଗ୍ରାମରେ ରହୁଥିବା ଜମି ମାଲିକ ଗୋବର୍ଦ୍ଧନ ଗୌଡ଼ଙ୍କୁ ପ୍ରଥମେ ବିବ୍ରତ କରିଥିଲା। ଗୋଟିଏ ବୋଲି ପୁଅ ନକୁଳ ଗୌଡ଼, ଦୁଇ ଝିଅ ଡାଳିମ୍ବ ଗୌଡ଼ ଏବଂ ହୀରାମଣି ଗୌଡ଼ଙ୍କ ସହ ପ୍ରଥମେ ଜମି ଦାନ କରିବାକୁ ଆଲୋଚନା କରିଥିଲେ। ଯାହାକୁ ପୁଅ ଏବଂ ଦୁଇ ଝିଅ ସଂପୂର୍ଣ୍ଣ ସମର୍ଥନ କରି ଗୋବର୍ଦ୍ଧନଙ୍କ ଦ୍ବନ୍ଦ୍ବକୁ ଦୂର କରିଥିଲେ। ଶେଷରେ ଗତ ୧୧ତାରିଖ ଦିନ ତାଙ୍କ ସ୍ଥାବର ସମ୍ପତ୍ତିରୁ ୫୪ ଡିସିମିଲ ଜମି ଶିକ୍ଷା ବିଭାଗକୁ ଲିଖିତ ଭାବେ ଦାନ କରିଛନ୍ତି। ପୁଅ, ବୋହୂ ଏବଂ ଦୁଇ ଝିଅ ସହିତ ଗୋବର୍ଦ୍ଧନ ତେନ୍ତୁଳିଖୁଣ୍ଟି ତହସିଲ କାର୍ଯ୍ୟାଳୟରେ ପହଞ୍ଚି କାଗଜପତ୍ର କାମ ଶେଷ କରି ଜମି ହସ୍ତାନ୍ତର ପ୍ରକ୍ରିୟାକୁ ଶେଷ କରିଛନ୍ତି। ଗୋବର୍ଦ୍ଧନ ଏବଂ ତାଙ୍କ ପରିବାରର ଏଭଳି ମହତ କାର୍ଯ୍ୟ ପାଇଁ ତହସିଲଦାର ପ୍ରଦୀପ କୁମାର କର କୃତଜ୍ଞତା ଜଣାଇଛନ୍ତି।

ଗୋବର୍ଦ୍ଧନ ନିଜ ଜମି ସରକାରଙ୍କୁ ଦାନ ସମୟରେ ତେନ୍ତୁଳିଖୁଣ୍ଟି ଏବିଇଓ ମୋହନ ମଧୁସୂଦନ ବାଘ, ରାଜସ୍ବ ନିରୀକ୍ଷକ ଏଲ୍. ମାଦଲସା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe