ସରକାର ଦେଇଥିଲେ ଜମି: ଛଡ଼େଇ ନେଲା ରାମ୍‌କୋ

ଭୋକଉପାସରେ ଅନେକ ପରିବାର, କାରଖାନା ପାଇଁ ଚାଷଜମି ଏବେ ପଡ଼ିଆ

ସରକାର ଦେଇଥିଲେ ଜମି: ଛଡ଼େଇ ନେଲା ରାମ୍‌କୋ

ଯାଜପୁର: ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ହରିଦାସପୁର, ଥାନୁଆଳ, ଆରୁହା ଓ ପାଖର ପ୍ରଭୃତି ପଞ୍ଚାୟତର ​ଲୋକେ ଶିଳ୍ପାୟନକୁ ନେଇ ‌ବହୁ ସ୍ବପ୍ନ ଦେଖିଥିଲେ। ରାମ‌କୋ ସିମେଣ୍ଟ କାରଖାନା ପାଇଁ ଜମି ଦେଲେ। ଏବେ କିନ୍ତୁ ସେମାନଙ୍କ ସବୁଆଶା ମଉଳିଯାଇଛି। ଅନେକ ପରିବାର ଭୋକ ଉପବାସରେ ଦିନ କାଟୁଛନ୍ତି। ଚାଷ ଜମିରେ ଗଢ଼ି ଉଠିଥିବା ରାମ‌କୋ କାରଖାନା ପାଇଁ ଅନେକଙ୍କ ଜୀବିକା ଉଜୁଡ଼ିଯାଇଛି। କାରଖାନା ପାର୍ଶ୍ବସ୍ଥ ଶତାଧିକ ଏକର ଜମିରେ ଆଉ ଚାଷ ହେଉନାହିଁ। ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଭୂମିହୀନ ଅନୁସୂଚିତ ଜାତି ଲୋକଙ୍କୁ ‌ମିଳିଥିବା ଜମିକୁ ମଧ୍ୟ ରାମକୋ କମ୍ପାନି ଦଖଲ କରି ନେଇଛି। ଅତ୍ୟାବଶ୍ୟକ ସେବାରୁ ବଞ୍ଚିତ କାରଖାନା ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି।

ହରିଦାସପୁର ଠାରେ ଚାଷଜମି ଓ ସରକାରୀ ଜମିକୁ ଦଖଲ କରି ୨୦୨୦ରୁ ରାମକୋ ସିମେଣ୍ଟ କଂପାନି ଉତ୍ପାଦନ ଆରମ୍ଭ କରିଛି। ତେବେ କଂପାନି ନିଜ ଦାୟିତ୍ବକୁ ଭୁଲିଯାଇ ଆଞ୍ଚଳିକ ବିକାଶକୁ ଅଣଦେଖା କରୁଛି। କାରଖାନା ପାଇଁ ନିଜ ଜମି ଦେଇଥିବା ପରିବାରର ପିଲାମାନେ ମଧ୍ୟ ନିଯୁକ୍ତି ନପାଇ ପରଘରେ ମୂଲ ଲାଗୁଛନ୍ତି। ଗରିବ ପରିବାରକୁ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ସମୟରେ ମିଳିଥିବା ଜମି ମଧ୍ୟ ରାମକୋ ଦଖଲକୁ ଚାଲିଯାଇଛି। ଜମି ହରାଇଥିବା ସୁଜାତା ଭଞ୍ଜ କହନ୍ତି ସରକାର ଦେଇଥିବା ୪ଗୁଣ୍ଠ ଜମିରେ ଧାନ ଚାଷକରି ପରିବାର ଚଳାଇ ନେଉଥିଲୁ। ଜମି ଗଲା, ପିଲାମାନଙ୍କୁ କାରଖାନାରେ କାମ ମିଳିଲା ନାହିଁ। ଏବେ ବହୁକଷ୍ଟରେ ଦିନ କାଟିବାକୁ ପଡୁଛି। ସୁଜାତାଙ୍କ ପରିବାର ଭଳି ସୁକଦେବ ମଳିକ, ସୁନାକର ମଳିକ, ସ୍ୱର୍ଗତ ଭାସ୍କର ମଳିକ, ବିଜୟ ମଳିକ, ଧୋବା ଭଞ୍ଜ, ବଟକୃଷ୍ଣ ମଳିକ, ପଦିଆ ପରିଡ଼ା, ଚକ୍ରଧର ମଳିକ ଓ ପଦନ ରାଉତଙ୍କୁ ମିଳିଥିବା ସରକାରୀ ଜମି ଏବେ ରାମକୋ କମ୍ପାନି ଅଧୀନରେ। ଏହାସହ ଶତାଧିକ ପରିବାରର ଚାଷଜମି କାରଖାନା ପାଇଁ ପଡ଼ିଆ। ପ୍ରଦୂଷଣ ଓ ପାଣି ଅଭାବରୁ ଚାଷ ସମ୍ଭବ ହେଉନି। ଏବେ କମ୍ପାନିର କେତେକ ଦଲାଲ ଏହି ଜମିକୁ କମ୍‌ ମୂଲ୍ୟରେ କିଣିବା ଆରମ୍ଭ କରିଛନ୍ତି। କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଠିକାକାମ ଓ ଲାଭଦାୟକ ବେପାର ପାଇଁ ସାଧାରଣ ଲୋକଙ୍କ ସ୍ବର ଚାପି ହୋଇଯାଉଛି। ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ କରା ନଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ‌ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe