ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ଦ୍ୱାରା ନିରନ୍ତର ରୋଜଗାର ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନିମନ୍ତେ ସରକାର ସାତଟି ନୂଆ ପ୍ରକଳ୍ପ ନିମନ୍ତେ ଜମି ମଞ୍ଜୁର କରିଛନ୍ତି।
ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ଜମି ଆବଣ୍ଟନ କମିଟି ବୈଠକରେ ସମ୍ପୃକ୍ତ ପ୍ରକଳ୍ପଗୁଡ଼ିକ ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ୍ ୪୨. ୫ ଏକର ଜମି ମଞ୍ଜୁର କରାଯାଇଛି। ଜମି ହସ୍ତାନ୍ତର ହେବା ଦିନ ଠାରୁ ଆଗାମୀ ତିନି ବର୍ଷ ମଧ୍ୟରେ ପ୍ରକଳ୍ପଗୁଡ଼ିକୁ ଶେଷ କରିବା ନିମନ୍ତେ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ଶ୍ରୀ ପାଢ଼ୀ କହିଛନ୍ତି।
ଏହି ବୈଠକରେ ପର୍ଯ୍ୟଟନ ସଚିବ ଶ୍ରୀ ବିଶାଲ କୁମାର ଦେବ ଆଲୋଚନା ପାଇଁ ବିଭିନ୍ନ ସଂସ୍ଥାଗୁଡ଼ିକରୁ ମିଳିଥିବା ପ୍ରକଳ୍ପକୁ ଉପସ୍ଥାପନ କରିଥିଲେ। ଏହି ସାତଟି ପ୍ରକଳ୍ପରେ ପ୍ରାୟ ୩୫୪. ୩୪ କୋଟି ଟଙ୍କା ବିନିଯୋଗ ହେବ ବୋଲି ସେ ଜଣାଇଥିଲେ। ଏହି ପ୍ରକଳ୍ପଗୁଡ଼ିକ ସିଧାସଳଖ ନିଯୁକ୍ତି ଯୋଗାଇବା ସହ ସମ୍ପୃକ୍ତ ଅଞ୍ଚଳର ବାସିନ୍ଦାମାନଙ୍କ ପାଇଁ ନିରନ୍ତର ରୋଜଗାର ସୁବିଧା ସୃଷ୍ଟି କରିବ।
ପୁରୀ ଜିଲ୍ଲାର ସାତପଡ଼ାରେ ‘ଗଲ୍ଫ୍ ରିସର୍ଟ’, ଗଞ୍ଜାମ ଜିଲ୍ଲାର ଗୋପାଳପୁର ଏବଂ ଉଦୟପୁରରେ ‘ରିସର୍ଟ’, ତାମ୍ପରାରେ ‘ରିସର୍ଟ’, ସମ୍ବଲପୁର ଜିଲ୍ଲାର ବସନ୍ତପୁରରେ ଜଳକ୍ରୀଡ଼ା ପାର୍କ ଏବଂ ରାଉରକେଲାରେ ’ଥିମ୍ ପାର୍କ ଓ ରିସର୍ଟ‘ ପ୍ରକଳ୍ପଗୁଡ଼ିକ ପାଇଁ ଜମି ଯୋଗାଇବା ନିମନ୍ତେ ବୈଠକରେ ସ୍ଥିର ହୋଇଛି।
ଏହି ପ୍ରକଳ୍ପ ନିମନ୍ତେ ୭୯. ୫ ଏକର ଜମି ଆବଶ୍ୟକ ହେଉଥିବା ସ୍ଥଳେ ସରକାର ୪୨. ୫ ଏକର ଜମି ଯୋଗାଇ ଦେଉଛନ୍ତି। ଅବଶିଷ୍ଟ ଜମି ସଂସ୍ଥାଗୁଡ଼ିକ ଘରୋଇ ଭାବେ ଯୋଗାଡ଼ କରିଛନ୍ତି।
ଉନ୍ନୟନ କମିସନର ଶ୍ରୀ ଅସିତ କୁମାର ତ୍ରିପାଠୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ, ବୈଷୟିକ ଶିକ୍ଷା ଓ କୌଶଳ ବିକାଶ ବିଭାଗ ଶାସନ ସଚିବ ତଥା ଇଡ୍କୋର ମୁଖ୍ୟ ପରିଚାଳନା ନିର୍ଦେଶକ ଶ୍ରୀ ସଞ୍ଜୟ କୁମାର ସିଂ, ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଏସ୍. ଏନ୍. ଗିରିଶ, ପର୍ଯ୍ୟଟନ ନିର୍ଦେଶକ ଶ୍ରୀ ବିଭୁତି ପଟ୍ଟନାୟକ ଏବଂ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Follow Us