ମହାପ୍ରଭୁଙ୍କ ଜମି ଚିହ୍ନଟ ପ୍ରକ୍ରିୟା: ଓର୍‌ସାକ୍‌ ଦେଲା ୧୦‌ କୋଟିର ପ୍ରସ୍ତାବ

Advertisment
ମହାପ୍ରଭୁଙ୍କ ଜମି ଚିହ୍ନଟ ପ୍ରକ୍ରିୟା: ଓର୍‌ସାକ୍‌ ଦେଲା ୧୦‌ କୋଟିର ପ୍ରସ୍ତାବ

ପୁରୀ : ମହାପ୍ରଭୁଙ୍କ ଜମିର ଟିକିନିଖି ହିସାବ ଦେବ ‘ଓର୍‌ସାକ୍‌’ (ଓଡ଼ିଶା ସ୍ପେସ୍‌ ଆପ୍ଲିକେସନ୍‌ ସେଣ୍ଟର)। ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ପ୍ରାୟ ୧୦ କୋଟି ଟଙ୍କାର ଏକ ବିସ୍ତୃତ ପ୍ରସ୍ତାବ ଦେଇଛି ଓର୍‌ସାକ୍‌।

ଶ୍ରୀମନ୍ଦିରର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି, ଜମିଜମାର ଡିଜିଟାଇଜେସନ୍‌ ପାଇଁ ଆମେ ଓର୍‌ସାକକୁ ପ୍ରସ୍ତାବ ଦେଇଥିଲୁ। ନିକଟରେ ଓର୍‌ସାକ୍‌ ଚିଠି କରି ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ୧୦ କୋଟି ଟଙ୍କାର ଏକ ପ୍ରସ୍ତାବ (ଡିପିଆର) ଦେଇଛି। ଓର୍‌ସାକ୍‌ ୩ ବର୍ଷ ପାଇଁ ମହାପ୍ରଭୁଙ୍କ ଜମିଜମାର ଡିଜିଟାଇଜେସନ୍‌ କାମ କରିବ ବୋଲି ପ୍ରସ୍ତାବରେ ଉଲ୍ଲେଖ ରହିଛି। ଓର୍‌ସାକ ଜିଆଇଏସ ଓ ଜିପିଏସ୍‌ ଜରିଆରେ ସାଟେଲାଇଟ୍‌ ସର୍ଭେ କରି ପ୍ରତି ଜିଲ୍ଲାରେ ଥିବା ମହାପ୍ରଭୁଙ୍କ ଜମି ଚିହ୍ନଟ କରିବ। ସେହି ଅନୁଯାୟୀ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ତହସିଲଦାରଙ୍କୁ ଓର୍‌ସାକ ଚିଠି କରି ଜମିକୁ ମହାପ୍ରଭୁଙ୍କ ଖାତାକୁ ଫେରାଇ ଆଣିବାକୁ ଉଦ୍ୟମ କରିବ। ଆଇନ ବିଭାଗ ଅନୁମୋଦନ ଦେଲେ, ଏହି ପ୍ରକ୍ରିୟାର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହେବ ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ନାଁରେ ୬୦, ୪୨୬.୯୪୩ ଏକର ଜମି ରହିଥିବାବେଳେ ଏଥିରୁ ଓଡ଼ିଶାର ୨୪ଟି ଜିଲ୍ଲାରେ ୬୦, ୦୩୧.୯୪୩ ଏକର ଓ ରାଜ୍ୟ ବାହାରେ ୬ଟି ରାଜ୍ୟରେ ୩୯୫.୨୫୨ ଏକର ଜମି ରହିଛି। ତେବେ ସେଥିମଧ୍ୟରୁ ୨୬,୨୨୫.୯୬୭ ଏକର ଜମିର ସ୍ବତ୍ତ୍ବଲିପି ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇପାରିନି। ଏହି ୨୬ ହଜାର ଏକରରୁ ଆଜି ପର୍ଯ୍ୟନ୍ତ କେଉଁ ଜିଲ୍ଲାରେ କେତେ ଜମି ତାହାର ହିସାବ କାହା ପାଖରେ ନାହିଁ। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ରାଜସ୍ବ ଅଧିକାରୀ, ତହସିଲଦାରମାନଙ୍କୁ ଚିଠି ‌କଲେ ବି ସେମାନେ ଉତ୍ତର ରଖୁନାହାନ୍ତି। ଏଭଳି ସ୍ଥିତିରେ ଅସହାୟତା ପ୍ରକାଶ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶେଷରେ ଓର୍‌ସାକର ସହଯୋଗ ଲୋଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe