ଡିସେମ୍ବର ସୁଦ୍ଧା ସରକାରୀ ଶିକ୍ଷାନୁଷ୍ଠାନକୁ ଜମିପଟ୍ଟା: ମନ୍ତ୍ରୀ

୧୯୮୦ ଛାତ୍ର ଆନ୍ଦୋଳନକୁ ମନେପକାଇଲେ, ସହିଦସ୍ତମ୍ଭରେ ମାଲ୍ୟାର୍ପଣ କଲେ

ଡିସେମ୍ବର ସୁଦ୍ଧା ସରକାରୀ ଶିକ୍ଷାନୁଷ୍ଠାନକୁ ଜମିପଟ୍ଟା: ମନ୍ତ୍ରୀ

ସମ୍ବଲପୁର: ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ସମସ୍ତ ସରକାରୀ ଅନୁଷ୍ଠାନ ପାଇବେ ନିଜସ୍ବ ଜମିପଟ୍ଟା। ସୋମବାର ଦିନ ସମ୍ବଲପୁରର ବିଭିନ୍ନ ଶିକ୍ଷାନୁଷ୍ଠାନ ଜମି ସମସ୍ୟାର ସମୀକ୍ଷା ପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପୂଜାରୀ ଆଜି ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଶିକ୍ଷାନୁଷ୍ଠାନଗୁଡ଼ିକର ଜମି ସମସ୍ୟା ସଂକ୍ରାନ୍ତରେ ସମୀକ୍ଷା କରିଥିଲେ। ସମୀକ୍ଷା ପରେ ସେ କହିଥିଲେ, ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ଜମି ସମସ୍ୟା ବହୁତ ପୁରୁଣା। ଭିମ୍‌ସାର, ଭିସୁଟ୍‌, ଆଇଆଇଏମ୍‌, ସମ୍ବଲପୁର ବିଶ୍ବବିଦ୍ୟାଳୟ, ଓଏସଓୟୁ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ପ୍ରଭୃତି ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ଜମି ସମସ୍ୟା ରହିଛି। କେଉଁ ଶିକ୍ଷାନୁଷ୍ଠାନ ଜମିପଟ୍ଟା ନାହିଁ ତ କାହାର ଅଧିକ ଜମି ଆବଶ୍ୟକତା ରହିଛି। ଗଙ୍ଗାଧର ମେହେର କଲେଜ ଏବେ ବିଶ୍ବବିଦ୍ୟାଳୟ ହୋଇଗଲାଣି। ହେଲେ, ବିଶ୍ବବିଦ୍ୟାଳୟ ପାଇଁ ଆବଶ୍ୟକ ଅନୁସାରେ ଜମି ନାହିଁ। ଶିକ୍ଷାନୁଷ୍ଠାନଗୁଡ଼ିକୁ ଆବଶ୍ୟକତା ମୁତାବକ ଜମି ଯୋଗାଇ ଦିଆଯିବ। ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଜମି ପଟ୍ଟା ଯୋଗାଇ ଦିଆଯିବ। ଏଥିପାଇଁ ଆଜି ଜିଲ୍ଲାପାଳ ଓ ଆର୍‌ଡିସିଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ ସ୍ବତନ୍ତ୍ର ଭାବେ ଏହି କାମ ପାଇଁ ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଥିଲେ। ଏଥିସହିତ, ପ୍ରସ୍ତାବିତ ତଥା ଶିକ୍ଷାନୁଷ୍ଠାନକୁ ଆବଣ୍ଟିତ ଜମିରେ ଜବରଦଖଲ ହୋଇଥିଲେ ତାହା ଶୀଘ୍ର ଉଚ୍ଛେଦ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ।

ସେହିପରି, ମନ୍ତ୍ରୀ ଶ୍ରୀ ପୂଜାରୀ କେଉଁ ଶିକ୍ଷାନୁଷ୍ଠାନ ପାଇଁ ଆଉ କେତେ ଜମି ଆବଶ୍ୟକ ସେନେଇ ମଧ୍ୟ ମତାମତ ଲୋଡ଼ିଥିଲେ। କେଉଁଠାରେ ଜମି ଅଛି ଏବଂ ଯୋଗାଇ ଦିଆଯିବା ପାଇଁ ସୁବିଧା ହେବ, ତାହାକୁ ଚିହ୍ନଟ କରିବାକୁ ସେ ଉତ୍ତରାଞ୍ଚଳ ଆରଡିସି, ଜିଲ୍ଲାପାଳ ତଥା ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ଅଗଷ୍ଟ ମାସ ଶେଷ ସପ୍ତାହରେ ପୁଣି ସମୀକ୍ଷା କରିବା ସହ କାମର ଅଗ୍ରଗତି ରିପୋର୍ଟ ଦେବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ। ସମୀକ୍ଷା ପରେ ଉତ୍ତରାଞ୍ଚଳ ଆରଡିସି ଶ୍ରୀକାନ୍ତ ପୃଷ୍ଟି କହିଥିଲେ, ପ୍ରଥମ ପର୍ଯ୍ୟାୟରେ ହାଇସ୍କୁଲ, ପରେ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ, କଲେଜ ଓ ବିଶ୍ବବିଦ୍ୟାଳୟ ଜମି ଉପରେ କାମ ହେବ। ବୈଠକରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ସହିତ ଉପରୋକ୍ତ ଶିକ୍ଷାନୁଷ୍ଠାନ ପଦାଧିକାରୀମାନେ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକରେ ଯୋଗଦେବା ପୂର୍ବରୁ ମନ୍ତ୍ରୀ ଶ୍ରୀ ପୂଜାରୀ ୧୯୮୦ ମସିହାରେ ଜିଏମ୍‌ କଲେଜରୁ ତାଙ୍କ ନେତୃତ୍ବରେ(ସେହି ସମୟର ଜିଏମ୍‌ କଲେଜ ଛାତ୍ର ସଂସଦ ସଭାପତି) ଆରମ୍ଭ ହୋଇଥିବା ଐତିହାସିକ ଛାତ୍ର ଆନ୍ଦୋଳନ ସମୟରେ ରାଜ୍ୟର ଟିଟିଲାଗଡ଼, ବିନିକା, ହୀରାକୁଦ, ଭୁବନ ଓ ଅନ୍ୟ କେତେକ ସ୍ଥାନରେ ପୁଲିସ ଗୁଳି ଚାଳନା ଓ ଅନ୍ୟାନ୍ୟ ଆକ୍ରମଣରେ ୬ ଜଣ ଛାତ୍ର ଦଗଦୀଶ ପନସାରି, ଶ୍ରୀଧର ବେରିହା, ପ୍ରଫୁଲ୍ଲ ରାଉତରାୟ, ଦିବାକର ବର୍ଦ୍ଧନ, ଉଦ୍ଧବ ବେହେରା, ଲକ୍ଷ୍ମୀଧର ମହାରଣା ଓ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ସେମାନଙ୍କ ସ୍ମୃତିରେ ନିର୍ମିତ ସହିଦସ୍ତମ୍ଭରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ସେହି ସମୟର ଛାତ୍ରମାନଙ୍କ ସହିତ ଶ୍ରୀ ପୂଜାରୀ ସେଲ୍‌ଫି ମଧ୍ୟ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe