ରାୟଗଡ଼ା: ୧୪ ବର୍ଷ ହେଲା କଂପାନି ପ୍ରତିଷ୍ଠା ନାଁରେ ଜମି ନେଇ ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କୁ ଠକି ଚାଲିଛନ୍ତି କଂପାନି କର୍ତ୍ତୃପକ୍ଷ। ଶାଗମାଛ ଦରରେ ଜମି ବିକ୍ରି କରି ବିସ୍ଥାପିତ ଜୀବିକା ହରାଇ ଘରେ ବସି ରହିଛନ୍ତି। ଜମି ବିକ୍ରି ବାବଦକୁ ମିଳିଥିବା ଟଙ୍କା ସରିଯିବା ସହ ଜୀବିକା ଅଭାବରୁ ବିସ୍ଥାପିତ ଏବେ ଦାଦନ ଶ୍ରମିକ ପାଲଟିଥିବାରୁ ତୁରନ୍ତ କଂପାନି ପ୍ରତିଷ୍ଠା କରି ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି ବିସ୍ଥାପିତ ଓ କ୍ଷତିଗ୍ରସ୍ତ। ଦାବି ପରେ ଆଜି ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଏସପି ଅନନ୍ତ ଚରଣ ମହାନ୍ତି, ରାୟଗଡ଼ା/ଟିକିରି ଥାନା ଅଧିକାରୀ ଓ ବିସ୍ଥାପିତଙ୍କ ଉପସ୍ଥିତିରେ ପ୍ରଶାସନିକ ସ୍ତରରେ ଆଲୋଚନା ହୋଇଥିଲା। କଂପାନି ପ୍ରତିଷ୍ଠା ନେଇ କୌଣସି ପ୍ରତିଶ୍ରୁତି ନ ମିଳିବା ଯୋଗୁ ଆଲୋଚନା ବିଫଳ ହେବା ପରେ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ମାର୍ଚ୍ଚ ୨ ତାରିଖରେ ରୂପକଣାରେ ରାସ୍ତାରୋକ ସହ ସିଙ୍ଗାରାମ ଷ୍ଟେସନରେ ରେଳରୋକ କରିବାକୁ ଚେତାବନୀ ଦେଇଛନ୍ତି।
ସେହିପରି ମାର୍ଚ୍ଚ ୪ ତାରିଖରେ ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କୁ ନେଇ କଂସାରୀଗୁଡାରେ ଏକ ବୈଠକ କରିବାକୁ ନିଷ୍ପତ୍ତି ହୋଇଛି। ଉକ୍ତ ବୈଠକରେ କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା, ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା ପ୍ରମୁଖ ଯୋଗଦେବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିସ୍ଥାପିତଙ୍କୁ କ୍ଷତିପୂରଣ ମିଳିବା ଯାଏ ଲଢ଼େଇ ଜାରି ରହିବ ବୋଲି ସାଂସଦ ଶ୍ରୀ ଉଲାକା କହିଛନ୍ତି।
ସୂଚନାଯୋଗ୍ୟ, କଂସାରୀଗୁଡା ଆଲୁମିନା କଂପାନି ପ୍ରତିଷ୍ଠା ପାଇଁ ହିଣ୍ଡାଲକୋ କାଶୀପୁର, ଲକ୍ଷ୍ମୀପୁର ଓ ରାୟଗଡ଼ା ତହସିଲରୁ ୨ ହଜାରରୁ ଉର୍ଧ୍ବ ଜମି ଅଧିଗ୍ରହଣ କରିଥିଲା। ଯାହା ମଧ୍ୟରେ ବେସରକାରୀ ଜମି ୧୦୩୬ ହେକ୍ଟର ଥିବା ବେଳେ ବଳକା ସରକାରୀ ଜମି ରହିଛି। କାଶୀପୁର ତହସିଲର ପୁହୁଣ୍ଡି ମୌଜାରୁ ୩୦୦ ହେକ୍ଟର, କଂସାରିଗୁଡା ମୌଜାରୁ ୪୯୮ ହେକ୍ଟର, ଫୁଲଜବା ମୌଜାରୁ ୨୯୯ ହେକ୍ଟର, ପୋଡାପାଡ଼ି ମୌଜାରୁ ୩୬ ହେକ୍ଟର, କିନ୍ଦିରିପଦର ମୌଜାରୁ ୧୨୭ ହେକ୍ଟର ଜମି ଅଧିଗ୍ରହଣ ହୋଇଛି।
ଜମି ଅଧିଗ୍ରହଣ ସରିବା ପରେ ରାଜ୍ୟ ସରକାରଙ୍କ ସହ ହିଣ୍ଡାଲକୋ କଂପାନି ୨୦୦୫ ମସିହାରେ କଂପାନି ପ୍ରତିଷ୍ଠା ଲାଗି ଏମଓୟୁ ସ୍ବାକ୍ଷର କରିଥିଲା। କିନ୍ତୁ ୨୦୧୫ ମସିହା ପର୍ଯ୍ୟନ୍ତ କଂପାନି ପ୍ରତିଷ୍ଠା ପାଇଁ ଅଧିଗ୍ରହଣ ହୋଇଥିବା ଜମିରେ ମାଟି ମୁଠାଏ ପଡ଼ିଲା ନାହିଁ। ବିଭିନ୍ନ ସମସ୍ୟା ଦେଖାଇ କଂପାନି କନଷ୍ଟ୍ରକସନ୍ କାମ ବିଳମ୍ବ କରିବା ପରେ ସରକାର ୨୦୧୭ ପର୍ଯ୍ୟନ୍ତ ଏମଓୟୁ ଅବଧିକୁ ବଢ଼ାଇଥିଲେ। ହେଲେ କୌଣସି ସୁଫଳ ମିଳିଲା ନାହିଁ। ୨୦୨୦ ଜାନୁଆରି ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂସାରିଗୁଡା ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଘୋଷଣା କରିବା ସହ କଂପାନି ଦ୍ବାରା ୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୨୦୨୦ ସରି ଯାଇଥିଲେ ମଧ୍ୟ ନିଜସ୍ବ ଖଣି ନଥିବା ଦର୍ଶାଇ ହିଣ୍ଡାଲକୋ କଂପାନି ଦିନ ଗଡ଼ାଇ ଚାଲିଛି। ପ୍ରଶାସନ ସହ ଆଲୋଚନା ସମୟରେ ରାୟଗଡ଼ା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା, ଅଖିଳ ଝୋଡ଼ିଆ, ଅଗସ୍ତି ହାଲୁଆ, ଡଉଲ ଚୌଧୁରୀ, ରାଜେନ୍ଦ୍ର ଦୂରିଆ, ମହେଶ୍ବର ହିକକା, ପାରଦା କୁଲେସିକା ପ୍ରମୁଖ ଉପସ୍ଥିତ ଥିଲେ।
Follow Us