ପୁଣି ଏକ ଜମି ଦୁର୍ନୀତି: ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଅଭିଯୋଗ

ପୁଣି ଏକ ଜମି ଦୁର୍ନୀତି: ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଅଭିଯୋଗ

Image Courtesy TOI

ସମ୍ବଲପୁର: ସମ୍ବଲପୁର ସଦର ତହସିଲରେ କାର୍ଯ୍ୟରତ ଜଣେ ଅତିରିକ୍ତ ତହସିଲଦାରଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ। ଶାନ୍ତିଲତା ପଧାନ ନାମ୍ନୀ ଜଣେ ନିସନ୍ତାନ ବିଧବା ମହିଳା ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳଙ୍କୁ ଦେଇଥିବା ଅଭିଯୋଗପତ୍ରରେ ବୃଦ୍ଧା ଶାନ୍ତଲିତା ଦର୍ଶାଇଛନ୍ତି ଯେ, ୨୦ ବର୍ଷ ତଳେ ଜଣେ ସରକାରୀ କର୍ମଚାରୀ କୋର୍ଟରେ ବିଚାରାଧୀନ ଥିବା ଏକ ଜମିଜିମା ମାମଲାରେ ନ୍ୟାୟ ପ୍ରଦାନରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିବଦଳରେ ସେ ବରେଇପାଲିରେ ଥିବା ତାଙ୍କର ଏ୦.୫୨୦ଡି ଜମି ପଂଜୀକରଣ କରାଇବା ପାଇଁ କହିଥି‌ଲେ।

ଶାନ୍ତିଲତା କୋର୍ଟ ମାମଲାରେ ସାହାଯ୍ୟର ପ୍ରତିଶ୍ରୁତି ମିଳିବାରୁ ଉକ୍ତ ପ୍ରସ୍ତାବରେ ରାଜି ହୋଇଥିଲେ। ମାତ୍ର, ଚଞ୍ଚକତା କରି ଉକ୍ତ ଜମି ବଦଳରେ ଦାନୀପାଲି ମୌଜାରେ ଥିବା ତାଙ୍କର ୧.୪୪୮ ଏକର ଜମି ସଂପୃକ୍ତ କର୍ମଚାରୀ ଜଣକ ତାଙ୍କ ପତ୍ନୀଙ୍କ ନାମରେ ପଂଜୀକରଣ କରାଇ ନେଇଥିଲେ। ନିରକ୍ଷର ଶାନ୍ତିଲତା କିନ୍ତୁ ଏହା ଜାଣିପାରି ନଥିଲେ। ଏବେ ବି ସଂପୃକ୍ତ ଜମି ଶାନ୍ତିଲତାଙ୍କ ଦଖଲରେ ରହିଛି। ହେଲେ ଏବେ ଯେତେବେଳେ ଉକ୍ତ ଜମିର ମ୍ୟୁଟେସନ୍ ମାମଲାର ନୋଟିସ୍ ମିଳିଲା, ସେ ଘଟଣା ସଂକ୍ରାନ୍ତରେ ଅବଗତ ହୋଇଥିଲେ। ‌ଶାନ୍ତିଲତା ଏବଂ ତାଙ୍କ ଭଣଜା ସଂପୃକ୍ତ ରାଜସ୍ବ ନିରୀକ୍ଷକ ଓ ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯାଇ ଏହାର ଦୃଢ଼ ପ୍ରତିବାଦ କରିଥିଲେ।

ଏହା ସତ୍ତ୍ବେ ଗତ ୨୨ ଜୁଲାଇ ଦିନ ଅତିରିକ୍ତ ତହସିଲଦାର ଚାପ ପ୍ରୟୋଗ କରି ସଂପୃକ୍ତ ରାଜସ୍ବ ନିରୀକ୍ଷକଙ୍କଠାରୁ ରିପ‌ୋର୍ଟ ମଗାଇଥିବା ସେ ଅଭିଯୋଗ କରିଛନ୍ତି। ବିରୋଧ ସତ୍ତ୍ବେ ଅତିରିକ୍ତ ତହସିଲଦାର ଏହି ମ୍ୟୁଟେସନ୍ ମାମଲାର ବିଚାରକରି ଆବେଦନକାରୀଙ୍କ ସପକ୍ଷରେ ଆଦେଶ ଦେଇଛନ୍ତି। ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଶାନ୍ତିଲତା ଆଉ କେତେକ ସାଂଘାତିକ ଅଭ‌ିଯୋଗ ଆଣିଛନ୍ତି। ସେ ଏହି ଘଟଣାରେ ସଂପୃକ୍ତ ଅତିରିକ୍ତ ତହସିଲଦାର, ରାଜସ୍ବ ନିରୀକ୍ଷକ, ଅମିନ୍ ସହିତ ଅନ୍ୟ କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଏଠାରୁ ଅନ୍ୟତ୍ର ବଦଳି କରିବାକୁ ଦାବି କରିଛନ୍ତି। ଉଚିତ ନ୍ୟାୟ ନମିଳିଲେ ସେ ଜିଲ୍ଲାପାଳଙ୍କ ଆଗରେ ଧାରଣା ‌ଦେବେ ଏବଂ ଦରକାର ପଡ଼ିଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଏ ସଂପର୍କରେ ମତାମତ ପାଇଁ ସଂପୃକ୍ତ ଅତିରିକ୍ତ ତହସିଲଦାରଙ୍କୁ ଫୋନ୍ କରା ଯାଇଥିଲେ ବି ଯୋଗାଯୋଗ ସମ୍ଭବ ହୋଇ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe