ଲଣ୍ଡା ପାହାଡ଼ ଏବେ ସବୁଜ ବନାନୀ: ଗଛ ଲଗାଇ ଚର୍ଚ୍ଚାରେ ଅବସରପ୍ରାପ୍ତ ସେନା କର୍ମଚାରୀ

Advertisment
ଲଣ୍ଡା ପାହାଡ଼ ଏବେ ସବୁଜ ବନାନୀ: ଗଛ ଲଗାଇ ଚର୍ଚ୍ଚାରେ ଅବସରପ୍ରାପ୍ତ ସେନା କର୍ମଚାରୀ

ଚଣ୍ଡିଖୋଲ: ଦିନେ ଥିଲା ଲଣ୍ଡା ପାହାଡ଼। ଆଜି ସଂପୂର୍ଣ୍ଣ ସବୁଜିମାମୟ। କିଛି ବର୍ଷ ମଧ୍ୟରେ ଆଲମଗିରି ପାହାଡ଼ର ରୂପ ବଦଳି ଯାଇଛି। ଏବେ ପାହାଡ଼ ସାରା ବିଭିନ୍ନ ଫୁଲ, ଫଳ ଗଛ ହସୁଛି। ନିଜସ୍ବ ଉଦ୍ୟମରେ ୫ ହଜାରରୁ ଅଧିକ ବୃକ୍ଷରୋପଣ କରି ଏପରି ସବୁଜିମା ସୃଷ୍ଟି କରିଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ କ୍ଷୀରୋଦ ଚନ୍ଦ୍ର ଜେନା। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ର ଗୋପାଳପୁର ପଞ୍ଚାୟତ କଳାଶ୍ରୀ ଗ୍ରାମର କ୍ଷୀରୋଦ ୧୮ ବର୍ଷ ତଳେ ସେନାରୁ ଅବସର ନେଇ ଘରକୁ ଫେରି ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥିଲେ। ପ୍ରଥମେ ପଟ୍ଟାମୁଣ୍ଡାଇ କେନାଲବନ୍ଧ ସମେତ ବିଭିନ୍ନ ସ୍ଥାନରେ ୨୦ ହଜାରରୁ ଅଧିକ ବୃକ୍ଷରୋପଣ କରିଥିଲେ। ସେଥିରେ ସଫଳ ହେବା ପରେ ବିଭିନ୍ନ ଜାଗାରେ ଗଛ ଲଗାଇଥିଲେ। ଆଲମଗିରି ପାହାଡ଼ରେ ପୂଜା ପାଉଥିବା ଷୋଳପୁଅ ମା ପୀଠରେ ଗଛଟିଏ ନଥିବାରୁ ଶ୍ରଦ୍ଧାଳୁମାନେ ଛାଇ ଟିକିଏ ପାଉନଥିଲେ। ଏହା ଦେଖି ୩ ବର୍ଷ ତଳେ ସେ ସେଠାରେ ଗଛଲଗା ଆରମ୍ଭ କରିଥିଲେ। ପରେ ‘ଷୋଳ ପୁଅ ମା ବିକାଶ ମଞ୍ଚ ନାମରେ ସଂଗଠନ କରି ବୃକ୍ଷରୋପଣ ସହ ଯତ୍ନ ନେଉଛନ୍ତି।

ଏଠାରେ ଅଁଳା, ଆମ୍ବ, ଜାମୁ, ଆମ୍ବଡ଼ା, ପଣସ ଓ ବେଲ ଆଦି ବୃକ୍ଷରୋପଣ କରାଯାଇଛି। ଗଛଗୁଡ଼ିକ ଭଲ ଭାବେ ବଢ଼ିଥିବାରୁ ପରିବେଶ ଅଧିକ ସୌନ୍ଦର୍ଯ୍ୟମୟ ହୋଇଛି। ଏଥି ସହିତ ଜଙ୍ଗଲ ବିଭାଗ ପକ୍ଷରୁ ଲଗା ଯାଇଥିବା ବିଭିନ୍ନ ଚାରା ପାଣି ବିନା ନଷ୍ଟ ହେଉଥିଲା। ତେବେ କ୍ଷୀରୋଦ ଗଛରେ ପାଣି ଓ ସାର ଦେଇ ସେସବୁକୁ ବଞ୍ଚାଇ ରଖିଛନ୍ତି। କେବଳ ଏତିକି ନୁହେଁ, ପାହାଡ଼ ଉପରେ ପାଣି ସମସ୍ୟା ଥିବାରୁ ଶ୍ରୀ ଜେନା ଲକ୍ଷାଧିକ ଟଙ୍କା ବ୍ୟୟରେ ନିଜସ୍ୱ ଉଦ୍ୟମରେ ବୋରିଂ ଖୋଳିଛନ୍ତି। ବୋରିଂରୁ ପାଣି ଉଠାଇ ପ୍ରତିଦିନ ଲଗାଯାଇଥିବା ଗଛରେ ପାଣି ଦେଉଛନ୍ତି। ସେ ତାଙ୍କ ପେନସନ ଟଙ୍କାରେ ଏହି କାର୍ଯ୍ୟ କରିଆସୁଛନ୍ତି। ସେ ବଞ୍ଚିଥିବା ପର୍ଯ୍ୟନ୍ତ ଗଛ ଲଗାଇବା ଜାରି ରଖିବେ ବୋଲି କହିଛନ୍ତି। ଆଲମଗିରି ପାହାଡ଼ର ଷୋଳପୁଅ ମା ପୀଠ ଓ ଏହାର ଚତୁଃପାର୍ଶ୍ୱରେ ବୃକ୍ଷରୋପଣ କରି ଏହାର ପରିବେଶକୁ ସବୁଜ ବନାନୀରେ ପରିଣତ କରିଥିବାରୁ ଶ୍ରୀ ଜେନାଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଉଚ୍ଚପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe