ମାଲାଗୁଡ଼ା, ରାଣୀପଥର ଘାଟିରେ ଭୂସ୍ଖଳନ: ରାଇକିଆ-କରଡ଼ା ବିଚ୍ଛିନ୍ନ, ୧୦ ହଜାର ଲୋକ ପ୍ରଭାବିତ

Advertisment

୫୯ ନଂ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ, ଉଛୁଳୁଛି ପିଲାସାଲୁଙ୍କି ଡ୍ୟାମ୍‌, ନଦୀନାଳ ଭର୍ତ୍ତି

୫୯ ନଂ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ, ଉଛୁଳୁଛି ପିଲାସାଲୁଙ୍କି ଡ୍ୟାମ୍‌, ନଦୀନାଳ ଭର୍ତ୍ତି

ମାଲାଗୁଡ଼ା, ରାଣୀପଥର ଘାଟିରେ ଭୂସ୍ଖଳନ: ରାଇକିଆ-କରଡ଼ା ବିଚ୍ଛିନ୍ନ, ୧୦ ହଜାର ଲୋକ ପ୍ରଭାବିତ

ରାଇକିଆ/ଖଜୁରୀପଡ଼ା : ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲାର ଅନେକ ଇଲାକା ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ। ରାଇକିଆ-କରଡ଼ା ରାସ୍ତା ମାଲାଗୁଡ଼ା ଘାଟିରେ ଭୂସ୍ଖଳନ ହେବାଫଳରେ ରାଇକିଆ ବ୍ଲକ୍‌ର ଦୁର୍ଗମ ଅଞ୍ଚଳ କରଡ଼ା, ଇନ୍ଦ୍ରଗଡ଼, ରଣବା ଓ ବଡ଼ବାରବା  ଆଦି ୪ଟି ପଞ୍ଚାୟତର ପ୍ରାୟ ୧୦ ହଜାରରୁ ଅଧିକ ଗ୍ରାମବାସୀଙ୍କ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି।

ଗତ ୧୩ ଓ ୧୪ ତାରିଖରେ ହୋଇଥିବା ଲଗାଣ ବର୍ଷାରେ ପାହାଡ଼ରୁ ଖସୁଥିବା ବର୍ଷା ପାଣିର ପ୍ରଖର ସ୍ରୋତରେ ଘାଟିତଳ ଗାର୍ଡ଼ୱାଲ୍‌ ମାଟି ଧୋଇ ଯାଇଥିଲା। ଗତକାଲିଠାରୁ ପୁଣି ଲଗାଣ ବର୍ଷା ଯୋଗୁଁ ଘାଟିର ତିନୋଟି ସ୍ଥାନରେ ଭୂସ୍ଖଳନ ହୋଇଥିଲା। ଫଳରେ, ଗାର୍ଡ଼ୱାଲ୍‌ ଧସିବା ସହ ରାସ୍ତାର ଅଧା ଧୋଇହୋଇ ଘାଟିରାସ୍ତା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ବର୍ଷାରେ ଧୀରେଧୀରେ ଅଧିକ ମାଟି ଅତଡ଼ା ଖସିଖସି ଯାଉଛି। ଏହି ରାସ୍ତାରେ ଏବେ ଟ୍ରକ ଓ ବସ୍ ଯାତାୟାତ ବନ୍ଦ ରହିଛି । କିଛିଲୋକେ ବିପଦସଂକୁଳ ଅବସ୍ଥାରେ ବାଇକ୍‌ ଓ ଅଟୋରେ ଯାତାୟାତ କରୁଛନ୍ତି। ସେଭଳି ଖଜୁରୀପଡ଼ା ବ୍ଲକ୍‌ ସୁଡ଼୍ରୁକୁମ୍ପା ପଞ୍ଚାୟତର ରାଣୀପଥର ଘାଟିରେ ଭୂସ୍ଖଳନ ଯୋଗୁଁ ଅତଡ଼ା ଖସି ୫୯ ନଂ ଜାତୀୟ ରାଜପଥ ଉପରେ ବଡ଼ବଡ଼ ଗଛ ପଡ଼ିବା ଯୋଗୁଁ ଗତରାତିରେ ବହୁ ସମୟ ଧରି ଯାନବାହନ ଯାତାୟାତ ବନ୍ଦ ରହିଥିଲା।

ଅନ୍ୟପକ୍ଷରେ, ମାଲାଗୁଡ଼ା ଘାଟିରେ ଗାର୍ଡ଼ୱାଲ୍‌ ଧସିବା ଘଟଣାକୁ ଇତିମଧ୍ୟରେ ଚାରିଦିନ ବିତିଯାଇଛି। ହେଲେ, ପ୍ରଶାସନ ପକ୍ଷରୁ କୌଣସି ସ୍ଥାନରେ ମରାମତି କାର୍ଯ୍ୟ ହୋଇନାହିଁ। ବର୍ତ୍ତମାନ ବର୍ଷା ଲାଗିରହିଥିବା ବେଳେ ଗାର୍ଡ଼ୱାଲ୍‌ ଧସି ଏବେ ଧୀରେଧୀରେ ଘାଟିରାସ୍ତା ଦବିବା ଆରମ୍ଭ ହୋଇଛି। ଏଭଳି ବର୍ଷା ଜାରିରହିଲେ ଗାର୍ଡ଼ୱାଲ୍‌ କେତେବେଳେ ଭୁଶୁଡ଼ି ପଡ଼ିବ, କହିହେବ ନାହିଁ। ଏଥିପାଇଁ ଗ୍ରାମବାସୀ ଭୟରେ ଏହି ରାସ୍ତାରେ ଯାତାୟାତ ବନ୍ଦ କରି ଦେଇଛନ୍ତି। ରାଇକିଆ- କରଡ଼ା ରାସ୍ତାରେ ଏବେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ରାଇକିଆ ବ୍ଲକ୍‌ ଉପରେ ନିର୍ଭର କରୁଥିବା ଏହି ଚାରି ଗ୍ରାମବାସୀ ବାଧ୍ୟହୋଇ ଗଞ୍ଜାମ ଜିଲ୍ଲାର ସୋରଡ଼ା ଉପରେ ନିର୍ଭର କରୁଛନ୍ତି। ତେଣୁ, ତୁରନ୍ତ ଏହି ଘାଟିର ଗାର୍ଡ଼ୱାଲ୍‌ ମରାମତି ସହ ରାସ୍ତା ନିର୍ମାଣ ପାଇଁ ୧୭ ନଂ ଜିଲ୍ଲା ପରିଷଦ ସଭ୍ୟ ସତ୍ୟବାନ ପାତ୍ର ଦାବି କରିଛନ୍ତି।

ସେହିପରି, ଲଗାଣ ବର୍ଷା ଫଳରେ ଖଜୁରୀପଡ଼ା ବ୍ଲକ୍‌ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାର ପରିପୂର୍ଣ୍ଣ ହୋଇ ବନ୍ୟାପାଣି ସର୍କଲେସ ଦେଇ ଉଛୁଳି ନଦୀକୁ ପ୍ରବାହିତ ହେଉଥିବା ହସ୍ତଗତ ସୂଚନାରୁ ଜଣାପଡ଼ିଛି। ଫଳରେ, ଡ୍ୟାମ୍‌ ଓ ନଦୀନାଳ ଭର୍ତ୍ତି ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe