ଭାଷା ବିକାଶ ଭାଷଣରେ ବେଶି: ଚତୁର୍ଥ ସନ୍ଧ୍ୟାରେ ମଧୁସୂଦନ ଦାସ ମଞ୍ଚରେ ଦେବୀପ୍ରସନ୍ନଙ୍କ ଆଶୀର୍ବଚନ

ଓଡ଼ିଆ ଭାଷା ୧୯୫୪ ମସିହାରୁ ସରକାରୀ ଭାଷା ହେବ ବୋଲି ବିଲ୍‌ ଅଣାଯାଇଥିଲା। ଯାହା ଆଜି ପର୍ଯ୍ୟନ୍ତ ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ୭୧ବର୍ଷ ପରେ ମଧ୍ୟ ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବାରେ ସରକାରୀ କଳ ବିଫଳ।

ଅଦ୍ୟତନ ହୋଇଛି
aadzxs

ଭୁବନେଶ୍ବର: ଓଡ଼ିଆ ଭାଷା ୧୯୫୪ ମସିହାରୁ ସରକାରୀ ଭାଷା ହେବ ବୋଲି ବିଲ୍‌ ଅଣାଯାଇଥିଲା। ଯାହା ଆଜି ପର୍ଯ୍ୟନ୍ତ ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ୭୧ବର୍ଷ ପରେ ମଧ୍ୟ ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବାରେ ସରକାରୀ କଳ ବିଫଳ। ଓଡ଼ିଆ ଭାଷାର ବିକାଶ ଓ ଅସ୍ମିତା ସମ୍ପର୍କରେ ଯେତିକି ଭାଷଣ ଦିଆଯାଉଛି, ତାହା ଆଚରଣରେ ପ୍ରକାଶ ପାଉନାହିଁ। ଓଡ଼ିଆ ଭାଷାର ବିକାଶ ପାଇଁ ଆଚରଣ ଓ ଉଚ୍ଚାରଣ ଏକ ହେବା ଜରୁରି। ଏଥିସହ ଭାଷା, ସାହିତ୍ୟ ଓ ସାମାଜିକ ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ମିଳିମିଶି ଓଡ଼ିଆ ଭାଷାର ବହୁଳ ବ୍ୟବହାର ପାଇଁ ଚେଷ୍ଟା କରିବା ଉଚିତ। ‘ସମ୍ବାଦ ସାହିତ୍ୟ ପକ୍ଷ’ର ଚତୁର୍ଥ ସନ୍ଧ୍ୟାରେ ଆଶୀର୍ବଚନ ଦେଇ ଏହା କହିଛନ୍ତି ବିଶିଷ୍ଟ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ। ଭୁବନେଶ୍ବରସ୍ଥିତ ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ କୁଳବୃଦ୍ଧ ମଧୁସୂଦନ ଦାସଙ୍କୁ ଉତ୍ସର୍ଗ ମଞ୍ଚରେ ‘ଭାଷା, ସାହିତ୍ୟ ଓ ସାମାଜିକ ଗଣମାଧ୍ୟମ’ ଉପରେ ନାନା ଚର୍ଚ୍ଚା ଆଲୋଚନା ହୋଇଥିଲା। ତେବେ ଅତିଥିଙ୍କୁ ସ୍ବାଗତ କରି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଭାଷା ହିଁ ଜୀବନ।

ଜୀବନକୁ ସୁରକ୍ଷିତ ରଖିବାକୁ ହେଲେ ଭାଷାକୁ ଅଧିକରୁ ଅଧିକ ବ୍ୟବହାର କରିବାକୁ ପଡ଼ିବ। ଭାଷାକୁ ଅଧିକ ବ୍ୟବହାର କରିବା ପାଇଁ କେବଳ କାଗଜ କାଳି ନୁହେଁ ବିଜ୍ଞାନ ଓ କାରିଗରୀ କୌଶଳରେ ଥିବା ସୁଯୋଗ ଓ ସମ୍ଭାବନାକୁ ‌ପାଥେୟ କରି ଉତ୍ତର ପିଢ଼ିଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ। ଓଡ଼ିଆ ଭାଷା ସରକାରୀ ଭାଷା ହେଲା। ସରକାରୀ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାକୁ ବ୍ୟବହାର ନକଲେ ଦଣ୍ଡ ମିଳିବ ବୋଲି କୁହାଗଲା। କିନ୍ତୁ ଅଧିକାଂଶ ଜାଗାରେ ଓଡ଼ିଆ ଭାଷାର ବ୍ୟବହାର ହେଉନାହିଁ। ସରକାର ଓଡ଼ିଆ ଭାଷାକୁ ବ୍ୟବହାର କଲେ ଭାଷାର ସ୍ବୀକୃତି ବଢ଼ିବ। କିନ୍ତୁ ତାହା ହେଉନାହିଁ। ଯଦି ପ୍ରତ୍ୟେକ ଘରେ ଓଡ଼ିଆ ଭାଷା ବ୍ୟବହାର ହେବ ଏବଂ  କାରିଗରୀ କୌଶଳ ମାଧ୍ୟମରେ ସାରା ବିଶ୍ବରେ ରହୁଥିବା ଓଡ଼ିଆ ପରିବାର ଭାଷାକୁ ବ୍ୟବହାର କରିବେ, ତେବେ  ସରକାର ଭାଷାକୁ ବ୍ୟବହାର କରନ୍ତୁ ବା ନ କରନ୍ତୁ କିଛି ଫରକ ପଡ଼ିବନି।

ଭାଷାକୁ ଉତ୍ତର ପିଢ଼ି ପାଖରେ ପହଞ୍ଚାଅ: ସୌମ୍ୟରଂଜନ

‘ଆଲୋଚନା’ ଅଧିବେଶନରେ ‘ଭାଷା ଓ ଅସ୍ମିତା: ସ୍ବପ୍ନ ନା ବାସ୍ତବତା’ ବିଷୟବସ୍ତୁ ଉପରେ ତିନି ଜଣ ଯୁବ ଲେଖକ ଆଲୋଚନା କରିଥିଲେ। ଲେଖକ ଦେବାଶିଷ ମହାପାତ୍ରଙ୍କ ସଂଚାଳନରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ଡ. ପ୍ରସନ୍ନ କୁମାର ସ୍ବାଇଁ କହିଲେ, ଭାଷା ଗୋଟିଏ ଜାତିର ଗୌରବ। ଭାଷାକୁ କେତୋଟି ଅକ୍ଷରରେ ସୀମିତ ରଖାଯାଇ ପାରିବ ନାହିଁ। ଡ. ସନ୍ତୋଷ ତ୍ରିପାଠୀ ଓଡ଼ିଆ ଶବ୍ଦ ଭଣ୍ଡାରକୁ ବଢ଼ାଇବାକୁ ପ୍ରସ୍ତାବ ରଖିଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶିକା ତମସାରାଣୀ ଦାସମହାପାତ୍ର ଓଡ଼ିଆ ଭାଷାକୁ ଡିଜିଟାଲ ମାଧ୍ୟମରେ ନୂଆ ପିଢ଼ିଙ୍କ ପାଖରେ ପହଞ୍ଚାଇବାକୁ କହିଥିଲେ। 

ଆଜି ଚର୍ଚ୍ଚିତ ଚିକିତ୍ସକ ଡା. ଦେବାଶିଷ ଜ୍ୟୌଷ୍ଠୀ ‘ଅଭିଯୁକ୍ତି’ ବାଢ଼ି କହିଲେ, ନିଜର କର୍ମକ୍ଷେତ୍ରରେ ଓଡ଼ିଆ ଭାଷାକୁ ଫୁଟାଇଲେ କିଛି ମାତ୍ରାରେ ମାତୃଭୂମିର ଋଣ ଶୁଝି‌ ହେବ। ସେଥିପାଇଁ ମୁଁ ଅନେକ ସମାଲୋଚନା ସତ୍ତ୍ବେ ଓଡ଼ିଆରେ ରୋଗୀଙ୍କ ପାଇଁ ଔଷଧ ଲେଖୁଛି। ରୋଗୀର ଭାଷାରେ କଥା ହେଉଛି। ସବୁ ଡାକ୍ତର ରୋଗୀର ଭାଷାରେ ଲେଖନ୍ତୁ ଓ କଥା ହୁଅନ୍ତୁ।  ‘ଅଭିଜ୍ଞତା’ ଅଧିବେଶନରେ ଲେଖକ ଅମରେଶ ବିଶ୍ବାଳ, ପ୍ରସନ୍ନ କୁମାର ସ୍ବାଇଁ ଓ ଅମୀୟ ବେଜ୍‌ କହିଲେ, ସମୟ ବଦଳୁଛି। ସମୟ ଅନୁସାରେ ସାମାଜିକ ଗଣମାଧ୍ୟମର ସୁଯୋଗ ନେଇ ଲେଖକମାନେ ଓଡ଼ିଆ ଭାଷାକୁ ସମୃଦ୍ଧ କରିବାକୁ ପ୍ରୟାସ କରନ୍ତୁ। ଆଜି ସନ୍ଧ୍ୟାରେ ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରିଥିଲା ସାହିତ୍ୟିକ ପ୍ରକାଶ ମହାପାତ୍ରଙ୍କ ବଂଶୀ ବାଦନ। ଏହି ଅବସରରେ ବ୍ୟଙ୍ଗକବି ସତ୍ୟାନାଶ ଓଡ଼ିଆ ଭାଷା ସାହିତ୍ୟକୁ ନେଇ ଚମତ୍କାର ବ୍ୟଙ୍ଗ କରି ଦର୍ଶକଙ୍କୁ ହସାଇ ହସାଇ ଚେତାଇ ଦେଇଥିଲେ। ସବୁ ଦିନ ପରି ଆଜି ମଧ୍ୟ ସାହିତ୍ୟକୁ ନେଇ ଆର୍‌ଜେ ଅନିଲ୍‌ ଆକର୍ଷଣୀୟ ପ୍ର‌ଶ୍ନ-ଉତ୍ତର କାର୍ଯ୍ୟକ୍ରମ ପରିଚାଳନା ଓ ଆର୍‌ଜେ ସଂଗ୍ରାମ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। 

ଏହି ଅବସରରେ ‘ଉତ୍କଳ ସାହିତ୍ୟ ସମାଜ’ ଓ ‘‌ଫ୍ରେଣ୍ଡସ୍‌ ପବ୍ଲିସର୍ସ’କୁ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ। ‘ଆମ ଓଡ଼ିଶା’ର ସାଧାରଣ ସମ୍ପାଦକ ଅରବିନ୍ଦ ଦାସ, ପ୍ରକାଶନୀ ସମ୍ପାଦକ ଅସିତ୍‌ ମହାନ୍ତି, ‘ସମ୍ବାଦ’ର ଡେପୁଟି ଏଡିଟର୍‌ ଧୃତିକାମ ମହାନ୍ତି ଓ ସ୍ତମ୍ଭକାର ଅଭିରାମ ବିଶ୍ବାଳ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ। ଏଜିଏମ୍‌ ଆଶିଷ ଗଡ଼ନାୟକ ଧନ୍ୟବାଦ ଦେଇଥିଲେ। ଆସନ୍ତାକାଲି ପଞ୍ଚମ ଦିବସରେ ରହିଛି ‘ନାଟକର ନବରସ’। ଏଥିରେ ମଞ୍ଚ ନାଟକ ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ। ଏଥିସହ ଏକାଧିକ କ୍ଷୁଦ୍ର ନାଟକ ମଞ୍ଚସ୍ଥ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe