ରିଆମାଳ: ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବଡଡଙ୍ଗାଘାଟ ଗ୍ରାମରେ ଥିବା ଜନସେବା କେନ୍ଦ୍ରରୁ ଶନିବାର ମଧ୍ୟରାତ୍ରିରେ ଲ୍ୟାପଟପ, ଲାମିନେସନ ମେସିନ, ନଗଦ ଟଙ୍କା ସହ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏଥିସହ ଚୋରି ବେଳର ସମସ୍ତ ଭିଡିଓ ସିସି ଟିଭିରେ କଏଦ ହୋଇଛି । ରାତି ପ୍ରାୟ ଦୁଇଟା ଅଠର ମିନିଟ୍ ସମୟରେ ଚୋର ଜନ ସେବା କେନ୍ଦ୍ରର ଆଜବେଷ୍ଟସ ଛାତ ଭାଙ୍ଗି ଦୋକାନ ମଧ୍ୟରେ ପ୍ରବେଶ କରିଥିଲା। ଦୋକାନ ମଧ୍ୟରେ ଥିବା ଲ୍ୟାପଟପ, ଲାମିନେସନ ମେସିନ ବାହାରେ ଥିବା ଅନ୍ୟ ଚୋରକୁ ଧରାଇ ଦେଇଥିଲା। ପରେ ଦୋକାନ ମଧ୍ୟରେ ଥିବା ଡ୍ରୟାର ମଧ୍ୟରୁ ଚୋର ନଗଦ ତିନି ହଜାର ଟଙ୍କା ନେଇଯାଇଥିଲା । ଏହି ସମୟରେ ସିସି ଟିଭିର ବିଦ୍ୟୁତ ସଂଯୋଗ ବାହାର କରିଦେଇଥିବା ଯୋଗୁଁ ପରବର୍ତ୍ତୀ ଦୃଶ୍ୟ ଆଉ ରେକର୍ଡିଂ ହୋଇପାରି ନଥିଲା।
ରବିବାର ସକାଳୁ ଜନସେବା କେନ୍ଦ୍ର ପରିଚାଳକ ତାଲା ଖୋଲିବା ସମୟରେ ସେଠାରୁ ଚୋରି ଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ କେନ୍ଦ୍ରର ମାଲିକ ସୁବାସ ସାହୁ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ରିଆମାଳ ଥାନା ଅଧିକାରୀ ଲଳିତା ପ୍ରଧାନ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଚୋରି ସମୟର ସିସି ଟିଭି ଫୁଟେଜକୁ ଦେଖି ପୁଲିସ ଅଭିଯୁକ୍ତର ପରିଚୟ ଜାଣିବାକୁ ଚେଷ୍ଟା କରୁଛନ୍ତି ।
Follow Us