ଅନିଶ୍ଚିତତା ମଧ୍ୟରେ ସର୍ବବୃହତ ପିଜୁଳି ଉଦ୍ୟାନ: ୧୪ଟି ବୋରିଂ ଥାଇ ଟ୍ୟାଙ୍କରରେ ପାଣି ସିଞ୍ଚନ କାହିଁକି?

Advertisment

ଏନ୍‌ଜିଟି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିବ ପ୍ରଶାସନ!

ଏନ୍‌ଜିଟି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିବ ପ୍ରଶାସନ!

ଭୁବନେଶ୍ବରରେ ୭ ବର୍ଷରେ ଲାଗିଛି ୭ କୋଟି ଟଙ୍କାର ଗଛ

Dreamstime.com

ଯାଜପୁର/କୁହିକା  : ଦୁର୍ନୀତି ଏବଂ ଅନିୟମିତତାକୁ ନେଇ ବିବାଦରେ ଫସିଥିବା ରାଜ୍ୟର ସର୍ବବୃହତ୍‌ ପିଜୁଳି ଉଦ୍ୟାନ ପ୍ରକଳ୍ପକୁ ଏନ୍‌ଜିଟି ଝଟ୍‌କା ଲାଗିବା ପରେ ଏହାର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ସୁକିନ୍ଦା ବ୍ଲକ୍ ଦୁଧୁଯୋରୀ ପଞ୍ଚାୟତ ଦାମୋଦରପୁର ଠାରେ ଉଦ୍ୟାନ ବିଭାଗ ପକ୍ଷରୁ ହୋଇଥିବା ଏହି ପିଜୁଳି ବଗିଚା ଜଙ୍ଗଲ ଜମି ବିବାଦରେ ଫସିଛି। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ୧ କୋଟି ଟଙ୍କାର ଜରିମାନା ସହ ସମସ୍ତ ପିଜୁଳି ଗଛ ଉପାଡ଼ି ଫୋପାଡ଼ିବାକୁ ନିର୍ଦ୍ଦେଶ ଦେବା ପରେ ଉଦ୍ୟାନ ବିଭାଗ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ହରଡ଼ଘଣାରେ ପଡ଼ିଛନ୍ତି। ଡିଏମଏଫରୁ ୧୫କୋଟି ୯୦ ଲକ୍ଷ ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ଉଦ୍ୟାନକୁ ରକ୍ଷା କରିବା ପାଇଁ ଏନ୍‌ଜିଟି ରାୟ ବିରୋଧରେ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ଏହି ପିଜୁଳି ବଗିଚାର ପାଣି ଦୁର୍ନୀତି ନେଇ ଅଭିଯୋଗ ଉଠିଛି। ୧୪ଟି ବୋରିଂ ଥାଇ ଏଠାରେ ଗଛଗୁଡ଼ିକୁ ଟ୍ୟାଙ୍କରରେ ପାଣି ଦିଆଯିବା ଘଟଣା ରୋଚକ ସ୍ଥିତି ସୃଷ୍ଟି କରିଛି। ବୋରିଂଗୁଡ଼ିକ ଅଳ୍ପ କିଛି ଖନନ କରାଯିବାରୁ ପାଣି ବାହାରୁନଥିବା କେତେକ ଅଭିଯୋଗ କରୁଥିବା ବେଳେ ରାଜନୈତିକ ଦଳ କର୍ମୀଙ୍କ ଟ୍ୟାଙ୍କରରେ ପାଣି ଯୋଗାଇ ଲକ୍ଷଲକ୍ଷ ଟଙ୍କା ଅନୁଦାନ ହରିଲୁଟ୍‌ ଭଳି ଅଭିଯୋଗ ଉଠିଛି।

ରାଜ୍ୟର ସର୍ବବୃହତ ପିଜୁଳି ପ୍ରକଳ୍ପ ଆରମ୍ଭରୁ ଦୁର୍ନୀତି, ପରିଚାଳନାରେ ଅବ୍ୟବସ୍ଥା ଓ ଗୋଷ୍ଠୀ ବିବାଦକୁ ନେଇ ଚର୍ଚ୍ଚା ହୋଇଆସୁଥିଲା। ‌ଜଙ୍ଗଲ ଜମିରେ ବିନା ଅନୁମତିରେ ଆରମ୍ଭ ହୋଇଥିବା ପ୍ରକଳ୍ପ ଉପରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍‌ ରୋକ୍‌ ଲଗାଇବା ପରେ ପରିସ୍ଥିତି ଅଧିକ ବିଗିଡ଼ିଯାଇଛି। ପ୍ରକାଶ ଥାଉକି କୃଷି ବିଭାଗ ଅଧୀନରେ ଥିବା ମୋଟ ୩୨୭.୦୬ହେକ୍ଟର ଜାଗାରୁ ୧୯୯୨ ମସିହାରେ ଉଦ୍ୟାନ ବିଭାଗକୁ ୩୫୭.୭୫ଏକର ଜମି ପ୍ରଦାନ କରାଯାଇଥିଲା। ଏହି ଜମିରେ ଡିଏମ୍‌ଏଫ ଅନୁଦାନରୁ ୧୫.୯୦କୋଟି ଟଙ୍କା ବ୍ୟୟ ଅଟକଳରେ ୫ବର୍ଷିଆ ଯୋଜନାରେ ଏହି ସର୍ବବୃହତ ପିଜୁଳି ପ୍ରକଳ୍ପ ଆରମ୍ଭ ହୋଇଥିଲା।

ପ୍ରକଳ୍ପର ନିର୍ମାଣ କାମକୁ ନେଇ ଶାସକ ଓ ବିରୋଧୀ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିବା ସହିତ ଦୁର୍ନୀତି ପ୍ରସଙ୍ଗ ଚର୍ଚ୍ଚାକୁ ଆସିଥିଲା। ପ୍ରକଳ୍ପ ମଧ୍ୟ ଦେଇ ରେଙ୍ଗାଲି ବାମ କେନାଲର ଶାଖା ଯାଇଥିବା ସହ ୧୪ଟି ବୋରିଂ ଖନନ ହୋଇଥିବା ବେଳେ ଦୁଇ ବର୍ଷ ଧରି ଟ୍ୟାଙ୍କର ଯୋଗେ ଗଛରେ ପାଣି ଦିଆଯାଇ ବ୍ୟାପକ ଅର୍ଥ ହଡପ ହୋଇଥିବା ବାରମ୍ବାର ଅଭିଯୋଗ ହୋଇଛି। ବିନାଟେଣ୍ଡରରେ କାମ ହେଉଥିବା ଓ କେବଳ ଗୋଟିଏ ଗୋଷ୍ଠୀଙ୍କୁ କାମ ଦିଆଯାଉଥିବା କାରଣରୁ  ବିବାଦୀୟ ପରିସ୍ଥିତି ଲାଗି ରହିଛି। ଚାରା କିଣାରେ ଦୁର୍ନୀତି, କମ୍ପୋଷ୍ଟ କିଣା, ତାରବାଡ ନିର୍ମାଣ ଦୁର୍ନୀତି ଓ ମେସିନ (ଜେସିବି) ଲଗାଇ ପଡିଆ ସଫା କରିବା, ଗାତ ଖୋଳିବା, ଟ୍ୟାଙ୍କର ଯୋଗେ ପାଣିଦେବା ଆଦି କାର୍ଯ୍ୟରେ କେବଳ ଶାସକ ଦଳର କର୍ମୀ ମାନଙ୍କୁ କାମ ଦିଆଯାଉଥିବା ନେଇ ପ୍ରତିପକ୍ଷ ବିଜେପି ଦଳର ସମର୍ଥକମାନେ ଅଭିଯୋଗ କରି ପ୍ରତିବାଦ ଜଣାଇ ବିଭାଗୀୟ ସ୍ଥାନୀୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ l ଶାସକ ଓ ପ୍ରଶାସକମାନେ ସ୍ଥାନୀୟ ଲୋକଙ୍କୁ ନେଇ ବିବାଦ ସମାଧାନ କରିବାକୁ ଉଦ୍ୟମ ଜାରି ରଖିଥିଲେ। ହେଲେ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ନକରି ପ୍ରକଳ୍ପ କରାଯିବାକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର କଡ଼ା ଅଭିମୁଖ୍ୟ ପୁଣି ପ୍ରକଳ୍ପକୁ ବିବାଦ ଘେରକୁ ଟାଣି ନେଇଛି। ଏଥିସହ ୧୪ଟି ବୋରିଂ ଥାଇ କାହିଁକି ଟ୍ୟାଙ୍କରରେ ପାଣି ଦିଆଯାଉଛି ‌ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଠାରେ ବୋରିଂଗୁଡ଼ିକ ଅଚଳ ନା ଅନୁଦାନ ହଡ଼ପ ପାଇଁ ନାମକୁମାତ୍ର ଟ୍ୟାଙ୍କରକୁ ଭଡ଼ାରେ ଲଗାଯାଉଛି ତାହା ସନ୍ଦେହ ଘେରରେ ରହିଛି।

ଏ ସମ୍ପର୍କରେ ଏଡିଏଚ୍ ସୂର୍ଯ୍ୟମଣୀ ମହାରଣା କହିଛନ୍ତି କୃଷି ବିଭାଗ ଉଦ୍ୟାନ ବିଭାଗକୁ ଏହି ଜମି ୧୯୯୨ରେ ହସ୍ତାନ୍ତର କରିବା ପରେ ‌ପିଜୁଳି ପ୍ରକଳ୍ପ ପାଇଁ ଯୋଜନା ହୋଇଥିଲା। ଗ୍ରୀନ ଟ୍ରିବ୍ୟୁନାଲ ରାୟ ଉପରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ। ଦୁର୍ନୀତି ନେଇ ହେଉଥିବା ପ୍ରସଙ୍ଗ ଉପରେ ସେ କହିଛନ୍ତି କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ କମିଟି ଗଠନ କରାଯାଇଛି। ଚେକ୍ ଜରିଆରେ ଅର୍ଥ ପୈଠ କରାଯାଉଛି। ତେବେ ୧୪ଟି ବୋରିଂ ସତ୍ତ୍ବେ ଟ୍ୟାଙ୍କରେ ପାଣି ଦେବା ବାବଦରେ ବ୍ୟାପକ ଅର୍ଥ ହରିଲୁଟ୍ ହୋଇଥିବାର ଅଭିଯୋଗ ସମ୍ପର୍କରେ ସେ କହିଛନ୍ତି ପ୍ରାରମ୍ଭିକ ପର୍ଯ୍ୟାୟରେ ବିଦ୍ୟୁତ ବ୍ୟବସ୍ଥାରେ ବିଳମ୍ବ ହେବାରୁ ପିଜୁଳି ଚାରା ବଞ୍ଚାଇବା ପାଇଁ ଟ୍ୟାଙ୍କର ଯୋଗେ ପାଣି ଦିଆଯାଇଥିଲା। ତେବେ ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ ହେଲେ ଅନେକ ଗୁମର ଖୋଲିବ ବୋଲି ସୁକିନ୍ଦା ଅଞ୍ଚଳର ଲୋକେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe