ମହାଲକ୍ଷ୍ମୀ, ବିମଳା ମନ୍ଦିରର ଲେଜର ସ୍କାନିଂ

Advertisment
ମହାଲକ୍ଷ୍ମୀ, ବିମଳା ମନ୍ଦିରର ଲେଜର ସ୍କାନିଂ

ଜଗମୋହନ ଉପର ଫଟା ପଥରରେ ଲାଗିଲା ସ‌ପୋର୍ଟିଂ
ଭୋଗମଣ୍ଡପ ଚଟାଣରୁ ବଦଳିଲା ପଥର

ପୁରୀ : ତିନି ଦିନ ହେଲା ଶ୍ରୀମନ୍ଦିର ମରାମତି କାମ ଜାରି ରଖିଛି ପ୍ରତ୍ନତତ୍ତ୍ବ ବିଭାଗ। ଦିନକ ତଳେ ନାଟମଣ୍ଡପ, ଭୋଗମଣ୍ଡପର ଭିତର ପାର୍ଶ୍ବ ଲେଜର୍‌ ସ୍କାନିଂ କରାଯାଇଥିଲା। ଆଜି ମହାଲକ୍ଷ୍ମୀ ମନ୍ଦିର ଓ ବିମଳା ମନ୍ଦିରର ଲେଜର୍‌ ସ୍କାନିଂ କରାଯାଇଛି।

ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀମାନେ ଶ୍ରୀମନ୍ଦିର ଯନ୍ତ୍ରୀ ଓ ଅଧିକାରୀଙ୍କ ଉପସ୍ଥିତିରେ ମହାଲକ୍ଷ୍ମୀ ମନ୍ଦିର ଓ ବିମଳା ମନ୍ଦିର ଉପରପାର୍ଶ୍ବ ଲେଜର୍‌ ସ୍କାନିଂ କରିଛନ୍ତି। ମହାଲକ୍ଷ୍ମୀ ମନ୍ଦିର ମୁଖ୍ୟ ଦ୍ବାର ସହ ଅନ୍ୟାନ୍ୟ ସ୍ଥାନ ଲେଜର୍‌ ସ୍କାନିଂ କରାଯାଇ ଫାଟ କେତେ ଲମ୍ବ ତାହା ନିରୁପଣ କରାଯାଇଛି। ଅନ୍ୟାନ୍ୟ ଫାଟ ଅଛି କି ନାହିଁ, ତା’ର ବି ଯାଞ୍ଚ କରାଯାଇଛି। ସେହିଭଳି ମା’ ବିମଳାଙ୍କ ମନ୍ଦିରର ବିଭିନ୍ନ ସ୍ଥାନରେ ଫାଟ ଯୋଗୁ ପାଣି ଗଳୁଥିଲା। ଆଜି ଲେଜର୍‌ ସ୍କାନିଂ କରି କେତେ ବଡ଼ ଫାଟ ରହିଛି ଓ କେଉଁଠି ସବୁ ପଥର ଫାଟିଛି, ତା’ର ଅନୁଧ୍ୟାନ କରାଯାଇଛି। ଜଗମୋହନ ଉପରି ଭାଗରେ କିଛି ପଥରରେ ଫାଟ ରହିଥିଲା। ଆଜି ଏହାର ମରାମତି କରାଯାଇଛି। ଫାଟିଥିବା ପଥରରେ ଶକ୍ତ ଲୁହାର ସ‌ପୋଟିଂ ଦିଆଯାଇଛି। ଭୋଗମଣ୍ଡପ ଚଟାଣରୁ ଅନେକ ପଥର ନଷ୍ଟ ହୋଇଯାଇଥିଲା।

ଅନେକ ସ୍ଥାନରେ ପଥର ସବୁ ଫାଟି ଯାଇଥିଲା। ଏହି ଫଟା ପଥର ସବୁ ବଦଳାଯାଇଛି। ଫଟା ପଥର ବଦଳରେ ନୂଆ ପଥର ଲଗାଯାଇଛି। ସେପଟେ ଶ୍ରୀମନ୍ଦିରରେ ବିଭିନ୍ନ ସ୍ଥାନରେ ଲାଗିଥିବା କଳାକୁ ରସାୟନିକ ପଦାର୍ଥ ବ୍ୟବହାର କରାଯାଇ ଛଡ଼ାଯାଉଛି। ବର୍ଷତମାମ ଶ୍ରୀମନ୍ଦିରରେ ଦୀପ, ଧୂପ ଆଦି ଜଳିବା ଫଳରେ ମୋଟାର କଳା ଆସ୍ତରଣ ବିଭିନ୍ନ ସ୍ଥାନରେ ଜମା ହୋଇରହିଛି। ବର୍ଷତମାମ ନୀତିକାନ୍ତି ଚାଲିଥିବାରୁ ଏହା ସଫା କରିବା ସମ୍ଭବ ହୁଏନି। ଯେଉଁଥିପାଇଁ ମନ୍ଦିର କାନ୍ଥ ସହ ଘଣ୍ଟଘଣ୍ଟା ଓ ଅନ୍ୟାନ୍ୟ ଦାମୀ ଜିନିଷର କଳା ଆସ୍ତରଣ ଜମି ରୁହେ। ବର୍ଷେ ଧରି ଏହି କଳା ଜମି ରହୁଥିବାରୁ ସହଜରେ ଛଡ଼ାଇବା ସମ୍ଭବ ହେଉନି। ଯେଉଁଥିପାଇଁ ରସାୟନିକ ପଦାର୍ଥ ବ୍ୟବହାର କରି ଏହି କଳାକୁ ଛଡ଼ାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe