ପାର୍ଶ୍ବ ଦେବଦେବୀ ମନ୍ଦିରର ହେବ ଲେଜର ସ୍କାନିଂ

ମେ ୧୦ରେ ଅକ୍ଷୟ ତୃତୀୟା: ଜୁଲାଇ ୧୭ରେ ରଥ ଉପରେ ସୁନାବେଶ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାରପାର୍ଶ୍ବ ଲେଜର୍‌ ସ୍କାନିଂ ଶେଷ ପରେ ଏବେ ଶ୍ରୀମନ୍ଦିର ପାର୍ଶ୍ବ ଦେବଦେବୀ ମନ୍ଦିରର ଲେଜର୍‌ ସ୍କାନିଂ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଏଏସ୍‌ଆଇ। ଆଜି ଏ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛି ଏଏସ୍‌ଆଇ। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଯନ୍ତ୍ରୀ ଓ ଏଏସ୍‌ଆଇ ଅଧିକାରୀମାନେ ଉପସ୍ଥିତ ଥିଲେ। ଶ୍ରୀ ଦାସ କହିଛନ୍ତି, ପାର୍ଶ୍ବ ଦେବବେଦୀ ମନ୍ଦିର କିଭଳି ଲେଜର ସ୍କାନିଂ ହେବ ସେ ଉପରେ ଆଜି ଆଲୋଚନା ହୋଇଥିଲା। ବାକି ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ ପ୍ରସ୍ତୁତ ପାଇଁ ସମୟ ଲାଗିବ ବୋଲି ଏଏସ୍‌ଆଇ କହିଥିବା ଶ୍ରୀ ଦାସ କହିଛନ୍ତି।

ଏଏସ୍‌ଆଇ ଅଧୀକ୍ଷକ ଡ. ଡି ବି ଗଡ଼ନାୟକ କହିଛନ୍ତି, ଲେଜର ସ୍କାନିଂ ମେସିନ୍‌ରେ ପ୍ରତି ସେକେଣ୍ଡରେ ୩୦ହଜାର ମେଗା ପିକ୍ସେଲ୍‌ର ଫଟୋ ଉଠୁଛି। ଏତେ ଅଧିକ ରିଜଲ୍ୟୁସନ୍‌ର ଫଟୋ ଅନୁଧ୍ୟାନ ପାଇଁ ସମୟ ଲାଗିବ। ଫଟୋରୁ କେଉଁ କେଉଁ ଜାଗାରେ ଫାଟ ରହିଛି, ଚିହ୍ନଟ କରି ନକ୍ସା ବି ଅଙ୍କାଯିବ। ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏବେ ରତ୍ନଭଣ୍ଡାର ଲେଜର୍‌ ସ୍କାନିଂ ରିପୋର୍ଟ ଅନୁଧ୍ୟାନ ଜାରି ରହିଛି। ରତ୍ନଭଣ୍ଡାର ଭିତର ପାର୍ଶ୍ବ ଲେଜର ସ୍କାନିଂ ଆରମ୍ଭ ହେବ କି ପ୍ରଶ୍ନରେ ଡ. ଗଡ଼ନାୟକ କହିଛନ୍ତି, ଏବେ ଶ୍ରୀମନ୍ଦିର ପାର୍ଶ୍ବ ଦେବବେଦୀ ମନ୍ଦିର ଲେଜର୍‌ ସ୍କାନିଂ କରାଯିବ। ଏହି ସମୟ ମଧ୍ୟରେ ରତ୍ନଭଣ୍ଡାର ବାହାରପାର୍ଶ୍ବ କାନ୍ଥର ଲେଜର୍‌ ସ୍କାନିଂ ରିପୋର୍ଟ ବି ଅନୁଧ୍ୟାନ ହେବ। ସବିଶେଷ ରିପୋର୍ଟ ପ୍ରସ୍ତୁତ ପରେ ଶ୍ରୀମନ୍ଦିର ପ୍ରଶାସନକୁ ଏହି ରିପୋର୍ଟ ପ୍ରଦାନ କରାଯିବ। ଆଲୋଚନାଭିତ୍ତିରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe