ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର୍‌ ସ୍କାନିଂ

ମେ ୧୦ରେ ଅକ୍ଷୟ ତୃତୀୟା: ଜୁଲାଇ ୧୭ରେ ରଥ ଉପରେ ସୁନାବେଶ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାରପାର୍ଶ୍ବ କାନ୍ଥର ଲେଜର୍‌ ସ୍କାନିଂ କାମ ଆଜି ଶେଷ ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଓ ଶ୍ରୀମନ୍ଦିର ପ୍ରଶାସନର ବୈଷୟିକ ଓ ବିଶେଷଜ୍ଞ ଦଳର ଉପସ୍ଥିତିରେ ମୋଟ୍‌ ୪୫ଟି ସ୍ଥାନର ଲେଜର୍‌ ସ୍କାନିଂ କରାଯାଇଛି।ଏଥିସହିତ ଲେଜର ସ୍କାନିଂ କାର୍ଯ୍ୟ ଶେଷ ହୋଇଛି।

ଏଏସ୍‌ଆଇ ଭୁବନେଶ୍ବର ସର୍କଲ୍‌ ଅଧୀକ୍ଷକ ଡକ୍ଟର ଡି ବି ଗଡ଼ନାୟକ କହିଛନ୍ତି, ଆଜି ଉତ୍ତର-ପଶ୍ଚିମ କୋଣ, ଉତ୍ତରପାର୍ଶ୍ବ କାନ୍ଥର ଲେଜର୍‌ ସ୍କାନିଂ କରାଯାଇଛି। ଶିଡ଼ି ପକାଇ ରତ୍ନଭଣ୍ଡାର ଉପରିଭାଗର ବି ଲେଜର୍‌ ସ୍କାନିଂ କରାଯାଇଛି। ଲେଜର୍‌ ସ୍କାନିଂ ମେସିନ୍‌ ଜରିଆରେ ପ୍ରାୟ ୨୦ ମିଟର ପରିଧିରେ ଅନୁଧ୍ୟାନ କରିବା ସମ୍ଭବପର ହେଉଛି। ଗତକାଲି ୩୭ଟି ସ୍ଥାନର ଲେଜର୍‌ ସ୍କାନିଂ କରାଯାଇଥିଲା। ଆଜି ଆଉ ୮ଟି ସ୍ଥାନର ସ୍କାନିଂ କରାଯାଇଛି। ଏହା ପରେ ଆମ କାମ ହେଉଛି, ଲେଜର୍‌ ସ୍କାନିଂର ସମସ୍ତ ଡାଟା ଡାଉନ୍‌ଲୋଡ୍‌ କରି ଅନୁଧ୍ୟାନ କରିବା। କେଉଁ କେଉଁ ଜାଗାରେ ଫାଟ ରହିଛି, ସବୁର ସବିଶେଷ ତଥ୍ୟ ସଂଗ୍ରହ କରିବା। ଏ ସଂକ୍ରାନ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ ୧୦ରୁ ୧୫ ଦିନ ସମୟ ଲାଗିବ। ଏହି ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବା ସହିତ ଆଲୋଚନା ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଡ. ଗଡ଼ନାୟକ କହିଛନ୍ତି, ନାଟମଣ୍ଡପ ମରାମତି ଉପରେ ପ୍ରାଥମିକତା ଦିଆଯାଉଛି। ଏହି ବିମ୍‌ରେ ଫାଟ ଜଣାପଡ଼ିବା ପରେ କିଭଳି ମରାମତି କରାଯିବ, ସେ ନେଇ ଯୋଜନା ଚାଲିଛି। ଫାଟି ଯାଇଥିବା ବିମ୍‌ରେ ସପୋର୍ଟିଂ ବିମ୍‌ କିଭଳି ଦିଆଯିବ, ସେ ଉପରେ ପଦକ୍ଷେପ ନିଆଯାଉଛି ବୋଲି ଡ. ଗଡ଼ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe