ଓଡ଼ିଶା-୫୦ ନିମନ୍ତେ ଆବେଦନର ଶେଷ ତାରିଖ ୨୮ ସେପ୍ଟେମ୍ବର

Advertisment
ଓଡ଼ିଶା-୫୦ ନିମନ୍ତେ ଆବେଦନର ଶେଷ ତାରିଖ ୨୮ ସେପ୍ଟେମ୍ବର

ସମ୍ବଲପୁର : ପାରିବାରିକ ଓ ସାମାଜିକ ଅର୍ଥନୀତିରେ ପୁରୁଷ ସହ ମହିଳାର ସମାନ ଭୂମିକା ରହିବା ଜରୁରୀ। ପ୍ରତ୍ୟେକ ମହିଳା ଆତ୍ମନିର୍ଭରଶୀଳ ହୋଇପାରିବେ ଓ ନିଜ କାନ୍ଧରେ ପରିବାର, ଏପରିକି ସମାଜର ବୋଝ ଉଠାଇବାରେ ସକ୍ଷମ ହୋଇପାର‌ିବେ। ପର୍ଯ୍ୟାପ୍ତ ସୁଯୋଗ ଓ ପ୍ରୋତ୍ସାହନର ଅଭାବ ଥାଇ ମଧ୍ୟ ‌ଶହଶହ ମହିଳା ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ବା ଆତ୍ମନିର୍ଭର ହେବାକୁ ସଂଘର୍ଷ ଜାରି ରଖିଛନ୍ତି। ଏଭଳି ଉଦ୍ୟମୀ ମହିଳା ଉଦ୍ୟୋଗୀଙ୍କୁ ନେଇ ‘ସମ୍ବାଦ’ ପକ୍ଷରୁ ଗତ ବର୍ଷ ଆୟୋଜିତ ‘ଓଡ଼ିଶା-୫୦’ କାର୍ଯ୍ୟକ୍ରମ ବେଶ୍‌ ପ୍ରଶଂସିତ ହୋଇଥିବା ବେଳେ ଏବେ ଏହାର ଦ୍ବିତୀୟ ସଂସ୍କରଣ ଆୟୋଜନ ହେଉଛି। ରାଜ୍ୟର କୋଣ ଅନୁକୋଣରେ ଆତ୍ମନିର୍ଭରଶୀଳ ହୋଇଥିବା କିମ୍ବା ହେବାକୁ ସଂଘର୍ଷ କରୁଥିବା ସଫଳ ଓ ଅସଫଳ ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କୁ ଏହି ଦ୍ବିତୀୟ ସଂସ୍କରଣରେ ସାମିଲ କରାଯିବ। ସେଥିପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କ ଆର୍ଥିକ ଓ ବଜାର କାରବାରରେ ଉନ୍ନତି ତଥା ସ୍ଥାନୀୟ ଅଞ୍ଚଳର ଜନଜୀବନରେ ସଂପୃକ୍ତି ପାଇଁ ପ୍ରଶିକ୍ଷଣ ଦିଆଯିବ। ଏଥିଲାଗି ଆଗ୍ରହୀ ମହିଳାମାନଙ୍କଠାରୁ ଆସନ୍ତା ୨୮ ତାରିଖ ସୁଦ୍ଧା ଦରଖାସ୍ତ ଆହ୍ବାନ କରାଯାଉଛି।

‘ଓଡ଼ିଶା-୫୦’ ଦ୍ବିତୀୟ ସଂସ୍କରଣର ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ଚାରି ପ୍ରମୁଖ ସହରରେ ମହିଳା ଉଦ୍ୟୋଗୀମାନଙ୍କୁ ନେଇ ଆଲୋଚନାଚକ୍ର ଓ ମାନସମନ୍ଥନ କରାଯିବ। ଅକ୍ଟୋବରରେ ସମ୍ବଲପୁରଠାରେ ହେବାକୁ ଥିବା ପଶ୍ଚିମ ଓଡ଼ିଶା ସ୍ତରୀୟ କାର୍ଯ୍ୟକ୍ରମରେ ୧୦ଟି ଜିଲ୍ଲା ଯଥା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡିର ପ୍ରତିଟି ବ୍ଲକ୍‌ରୁ ଗ୍ରାମୀଣ ନିର୍ବିବାଦୀୟ ଓ ଆତ୍ମନିର୍ଭରଶୀଳ ମହିଳା ଉଦ୍ୟୋଗୀମାନେ ସାମିଲ ହୋଇପାରିବେ। ସେମାନଙ୍କ ମଧ୍ୟରୁ ମନୋନୀତ ମହିଳାଙ୍କ ସଫଳତା ବା ସଂଘର୍ଷର ବିବରଣୀ ତଥା ମାନବୀୟ ସମ୍ବେଦଶୀଳ ଦିଗରୁ ପରିପୁଷ୍ଟ ସେମାନଙ୍କ କାହାଣୀଗୁଡ଼ିକ ‘ସମ୍ବାଦ’ ପୃଷ୍ଠାରେ ସ୍ଥାନ ପାଇବ। ଏଥିରେ ଯଦିଓ ନୂତନ ଉଦ୍ୟୋଗୀମାନଙ୍କୁ ପ୍ରାଥମିକତା ଦିଆଯିବ, କିନ୍ତୁ ପ୍ରଥମ ସଂସ୍କରଣରେ ଭାଗ ନେଇଥିବା ମହିଳାମାନେ ମଧ୍ୟ ଦ୍ବିତୀୟ ଥର ପାଇଁ ମଧ୍ୟ ଆବେଦନ କରିପାରିବେ। ପୂର୍ବଭଳି ଏଥର ମଧ୍ୟ ସମ୍ବଲପୁରଠାରେ ହେବାକୁ ଥିବା ପଶ୍ଚିମ ଓଡ଼ିଶା ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେମାନଙ୍କ ଯାତାୟାତ ଖର୍ଚ୍ଚ ‘ସମ୍ବାଦ’ ବହନ କରିବ। ପ୍ରାରମ୍ଭିକ ଜୋନ୍‌ସ୍ତରୀୟ ଆଲୋଚନାଚକ୍ରଗୁଡ଼ିକରୁ ବଛାବଛା ମହିଳା ଉଦ୍ୟୋଗୀମାନଙ୍କୁ ଆସନ୍ତା ନଭେମ୍ବର ୪ ତାରିଖରେ ଭୁବନେଶ୍ବରଠାରେ ହେବାକୁ ଥିବା ଚୂଡ଼ାନ୍ତ ସମାବେଶରେ ସାମିଲ ହେବାର ସୁଯୋଗ ଦିଆଯିବ। ସେମାନଙ୍କ ମଧ୍ୟରୁ ମନୋନୀତ ଶ୍ରେଷ୍ଠ ୨୫ ଜଣଙ୍କୁ ସମ୍ମାନିତ କରାଯିବ। ଅଧିକ ଜାଣିବା ପାଇଁ ୨୮ ସେପ୍ଟେମ୍ବର ସୁଦ୍ଧା ଆବେଦନପତ୍ର ପୂରଣ ନିମନ୍ତେ www.odisha50.in ରେ ଲଗ୍‌ ଇନ୍ କରିବାକୁ ‘ସମ୍ବାଦ’ ପକ୍ଷରୁ ସୂଚନା ଦିଆଯାଇଛି। ଏ ସଂକ୍ରାନ୍ତରେ ଅଧିକ ଜାଣିବା ପାଇଁ ଆଗ୍ରହୀ ମହିଳାମାନେ ସ୍ଥାନୀୟ ‘ସମ୍ବାଦ’ ପ୍ରତିନିଧି କିମ୍ବା ଜିଲ୍ଲା ପ୍ରତିନିଧିଙ୍କ ସହ ଯୋଗାଯୋଗ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe