ଶୋକାକୁଳ ପରିବେଶରେ ସହିଦ ଯବାନଙ୍କ ଶେଷକୃତ୍ୟ

Advertisment
ଶୋକାକୁଳ ପରିବେଶରେ ସହିଦ ଯବାନଙ୍କ ଶେଷକୃତ୍ୟ

ବିଂଝାରପୁର : ଶୋକାକୁଳ ପରିବେଶରେ ବୁଧବାର ଦିନ ଅଳକୁଣ୍ଡଠାରେ ସହିଦ ଯବାନ ମିର ମକସୁଦଙ୍କ ଶେଷକୃତ୍ୟ କରାଯାଇଛି। ବୁଧବାର ସକାଳେ ଇସ୍‌ଲାମ ଧର୍ମ ଅନୁଯାୟୀ ଜନାଜା ପାଠ କରାଯାଇ କବର ଦିଆଯାଇଥିଲା। ଏଥିରେ ଏକ ହଜାରରୁ ଊର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ। ସମଗ୍ର ଅଞ୍ଚଳ ଯେମିତି ଶୋକରେ ବୁଡ଼ିଯାଇଥିଲା। ପରିବେଶରେ ଛାଇଯାଇଥିଲା ନିରବତା। କାହା ମୁହଁରେ ଭାଷା ନଥିଲା। କେବଳ ଶୁଭୁଥିଲା ଯାହା 'ସହିଦ ଯବାନ ଅମର ରହେ' ଧ୍ବନି।

publive-image

ସହିଦ୍ ଯବାନଙ୍କ ମରଶରୀରକୁ ଗତକାଲି ଏକ ବିମାନ ଯୋଗେ ନାଗାଲାଣ୍ଡର ଦିମାପୁରରୁ ଭୁବନେଶ୍ଵର ଅଣାଯାଇଥିଲା। ଦିମାପୁର କ୍ୟାମ୍ପରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ଭୁବନେଶ୍ଵର ବିମାନବନ୍ଦରରେ ୧୨୨ ବାଟାଲିୟନ ପକ୍ଷରୁ ଶେଷ ସମ୍ମାନ ଦିଆଯାଇଥିଲା। ବାଟରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ବିଂଝାରପୁର ମେଡିକାଲ ଛକରେ ବହୁ ସାମାଜିକ କର୍ମୀ, ସେନା କର୍ମଚାରୀ ଓ ବିଶିଷ୍ଟ ଲୋକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗତକାଲି ବିଳମ୍ବି ରାତିରେ ସହିଦଙ୍କ ମରଶରୀର ଏଠାରେ ପହଞ୍ଚିଲାବେଳକୁ ହଜାରହଜାର ଶୋକାକୁଳ ଜନତା ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଅପେକ୍ଷା କରି ରହିଥିଲେ।

publive-imageବିଂଝାରପୁର ପୁଲିସ ପକ୍ଷରୁ ଥାନାରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ହଜାରହଜାର ଲୋକଙ୍କ ଶୋଭାଯାତ୍ରାରେ ସହିଦଙ୍କ ପାର୍ଥିବଶରୀର ବିଂଝାରପୁରରୁ ଅଳକୁଣ୍ଡକୁ ନିଆଯାଇଥିଲା। ବିଳମ୍ଵିତ ରାତିରେ ଏକ ଶୋଭାଯାତ୍ରାରେ ଅଳକୁଣ୍ଡ ନୂଆଗାଁ ପରିକ୍ରମା କରାଯାଇ ଶେଷରେ ତାଙ୍କ ପୈତୃକ ବାସଭବନରେ ପହଞ୍ଚିଥିଲା। ସେଠାରେ ବିଭାଗୀୟ ଅଧିକାରୀ ଓ ଯବାନଙ୍କ ସମେତ ବିଂଝାରପୁର ପୁଲିସ, ଅଳକୁଣ୍ଡ ପୁଲିସ ଓ ଆଖପାଖ ଅଞ୍ଚଳର ବହୁ ସାମାଜିକ କର୍ମୀ, ସାଙ୍ଗସାଥୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

ପ୍ରକାଶ ଥାଉକି ଅଳକୁଣ୍ଡ ଗ୍ରାମର ମିର୍ ମାତବର ଅଲ୍ଲୀଙ୍କ ବଡ଼ପୁଅ ମିର୍ ମକସୁଦ ଅଲ୍ଲୀ(୪୦) ଆସାମ ରାଇଫଲ୍‌ସରେ ଯବାନ ଭାବେ ଯୋଗଦେଇ ଦୀର୍ଘଦିନ ହେଲା କାର୍ଯ୍ୟ କରିଆସୁଥିଲେ। ନାଗାଲାଣ୍ଡର ଦିମାପୁର କ୍ୟାମ୍ପରେ କାର୍ଯ୍ୟରତ ଥିଲାବେଳେ କୌଣସି କାରଣବଶତଃ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ସୋମବାର ସକାଳେ ତାଙ୍କର ଦେହାନ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe