ପୁରୀ/ଅସ୍ତରଙ୍ଗ: ପାଞ୍ଚ ବର୍ଷ ତଳେ ମାତ୍ର ୫୦ କିମି ଦୂରରୁ ପଠାଯାଇଥିବା ଏକ ମନିଅର୍ଡର ଏବେ ପ୍ରାପକଙ୍କ ଠିକଣାରେ ପହଞ୍ଚିଛି। ମନିଅର୍ଡର ପଠାଇଥିବା ପୁରୀ ସଦର ବ୍ଲକ୍ ବୀରନରସିଂହପୁରର ପ୍ରକାଶ କୁମାର ରଥ ଏହି ଅବହେଳା ପାଇଁ ଉଚ୍ଚସ୍ତରୀୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ କରାଯିବ ବୋଲି ପୁରୀ ଡାକ ଡିଭିଜନ୍ରେ ବରିଷ୍ଠ ଅଧୀକ୍ଷକ ରତନ କୁମାର ଜାନା କହିଛନ୍ତି।
ମିଳିଥିବା ସୂଚନା ମୁତାବକ, ୨୦୧୮ ଅଗଷ୍ଟ ୨୪ ତାରିଖରେ ପୁରୀ ସଦର ବ୍ଲକ୍ ବୀରନରସିଂହପୁର ଗାଁର ପ୍ରକାଶ ରଥ ଚନ୍ଦନପୁର ଡାକ କାର୍ଯ୍ୟାଳୟରେ ୧ ହଜାର ଟଙ୍କାର ଏକ ମନିଅର୍ଡର କରିଥିଲେ। ସେ ଏହି ମନିଅର୍ଡର ତାଙ୍କ ଝିଅଙ୍କ ପାଖକୁ ପଠାଇଥିଲେ। ଜ୍ବାଇଁ ଅସ୍ତରଙ୍ଗ ବ୍ଲକ୍ ପାଟଳଦା ପଞ୍ଚାୟତ ଆଦିକନ୍ଦପୁର ଗାଁର ସୁଧୀର କରଙ୍କ ଠିକଣାରେ ଏହା ପଠାଯାଇଥିଲା। ଶ୍ରୀ ରଥ ବାଲିତୃତୀୟା ଭାର ବାବଦରେ ଏହି ମନିଅର୍ଡର ପଠାଇଥିଲେ। କିନ୍ତୁ ଏହା ଚଳିତ ମାସ ୪ ତାରିଖରେ ଜ୍ବାଇଁଙ୍କ ଠିକଣାରେ ପହଞ୍ଚିଥିଲା। ଏ ସଂପର୍କରେ ଶ୍ରୀ ରଥ କହିଛନ୍ତି, ୫ ବର୍ଷ ତଳର ମନିଅର୍ଡର ଏବେ ପହଞ୍ଚିବା ବିଡ଼ମ୍ବନାର ବିଷୟ। ତେଣୁ ସେ ଯେଉଁ ଟଙ୍କା ପଠାଇଥିଲେ, ତାର କ୍ଷତି ଭରଣା କରିବାକୁ ଦାବି କରିଛନ୍ତି। ଶ୍ରୀ ରଥ କହିଛନ୍ତି, ମନିଅର୍ଡର ପଠାଇବା ପରେ ନ ପହଞ୍ଚିବାରୁ ସେ ବାରମ୍ବାର ଚନ୍ଦନପୁର ଡାକ କାର୍ଯ୍ୟାଳୟରେ ପଚାରିଥିଲେ ବି ସନ୍ତୋଷଜନକ ଉତ୍ତର ମିଳି ନଥିଲା। ବର୍ଷେ ପାଖାପାଖି ଖୋଳତାଡ଼ ପରେ ନିରାଶ ହେବାରୁ ସେ ଟଙ୍କା ପାଇବା ଆଶା ଛାଡ଼ି ଦେଇଥିଲେ ବୋଲି କହିଛନ୍ତି। ପୁରୀ ଡାକ ଡିଭିଜନ୍ରେ ବରିଷ୍ଠ ଅଧୀକ୍ଷକ ଶ୍ରୀ ଜାନା କହିଛନ୍ତି, ଏ ସଂପର୍କରେ ସେ ନିଶ୍ଚିତ ଅନୁସନ୍ଧାନ କରିବେ।
Follow Us