ଖରିଫ ଚାଷୀ ପାଇଁ ପ୍ରସ୍ତୁତି: ଧାନ ରୁଆ ବିଳମ୍ବ, ମିଳୁନି ସାର

Advertisment
ଖରିଫ ଚାଷୀ ପାଇଁ ପ୍ରସ୍ତୁତି: ଧାନ ରୁଆ ବିଳମ୍ବ, ମିଳୁନି ସାର

ଜୟପୁର: ଖରିଫ ଚାଷ କରିବା ପାଇଁ ପାଗ ଭିଡ଼ିଲାଣି ଚାଷୀ। ଜୟପୁର ଉପଖଣ୍ଡରେ ଧୀରେ ଧୀରେ ଚାଷୀ ହଳ କରି ଜମିକୁ ପ୍ରସ୍ତୁତି କରିବା ଆରମ୍ଭ କରୁଛି। ଏବର୍ଷ ପ୍ରବଳ ଖରା ହେବା ଫଳରେ ତଳି ପକାଇବା ବିଳମ୍ବ ହୋଇଥିଲା। ଧୀରେ ଧୀରେ ତଳି ପକା ଚାଳିଥିବା‌ ବେଳେ କିଛି ସ୍ଥାନରେ ତଳି ବାହାରି ସାରିଥିବାରୁ ରୁଆ ବି ଆରମ୍ଭ ହେଲାଣି। ପ୍ରାୟ ୧୫ରୁ ୨୦ପ୍ରତିଶତ ରୁଆ ବି ହୋଇସାରିଥିବା ଦେଖିବାକୁ ମିଳିଛି। ଚାଷୀଙ୍କୁ ସାର୍ ମିଳୁ ନଥିବା ଅଭିଯୋଗ କରୁଥିବା ବେଳେ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ସାର ଗଚ୍ଛିତ ରହିଛି ବୋଲି କହିଛନ୍ତି ମୁଖ୍ୟ ଜିଲା କୃଷି ଅଧିକାରୀ ବିଶ୍ବରାଜ ରଥ।

ଜିଲାର ଧାନର ଉତ୍ପତି ଅଂଚଳ ଜୟପୁର ଉପଖଣ୍ଡରେ ଖରିଫ ଧାନ ଚାଷ ପାଇଁ ପୁରା ଦମରେ ଲାଗି ପଡ଼ିଛନ୍ତି ଚାଷୀ। ଗାଁ ଗହଳିରେ କୃଷି ଶ୍ରମିକ ମିଳୁ ନଥିବାରୁ ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ଚାଷୀ ମାନେ ପୁରା ପରିବାର ସଦସ୍ୟ ଜମିରେ ଦେଖିବାକୁ ମିଳୁଛି। ବିଦ୍ୟାଳୟକୁ ଯାଉଥିବା ପିଲା ମାନେ ଏବେ ଆଉ ବିଦ୍ୟାଳୟ ଯିବା ବନ୍ଦ କରି ଜମିରେ ପୁରା ପରିବାର ଧାନ ତଳି ପକାଇବା, ହଳ କରିବା, ଘାସ ବାଛିବା, ତଳିରୁ ଧାନ ଚାରା ବାହାର କରିବା, ଚାରାକୁ ଜମିରେ ରୁଆ କରିବା ଭଳି କାମରେ ନିୟୋଜିତ ରହୁଥିବା ଦେଖିବାକୁ ମିଳିଛି। ଏବର୍ଷ  ଅଧିକାଂଶ ଚା‌ଷୀ ସରକାରୀ ଧାନ ବିହନ ବଦଳରେ ହାଇବ୍ରୀଡ଼୍ ଧାନ ବିହନ ତଳି ପକାଇଛନ୍ତି। ତେଣୁ ଏହି ଧାନ ତଳି ପାଇଁ ଅଧିକା ରାସୟନିକ ସାରର ଆବଶ୍ୟକତା ରହିଛି। ଏହା ସହ ଜମି ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ସଂପ୍ରତି ଘରେ ଥିବା ଗୋବର ଖତ ଜମିରେ ପକାଇବା ଆରମ୍ଭ କରିଛନ୍ତି ଚାଷୀ।

କିଛି ସ୍ଥାନରେ ତଳିରେ ପକାଇବା ପାଇଁ  ଏବଂ ଆଉ କିଛି ସ୍ଥାନରେ ରୁଆ ଆରମ୍ଭ କରିଥିବାରୁ ଜମିରେ ପକାଇବା ପାଇଁ ସାର୍ ଖୋଜୁଛନ୍ତି ଚାଷୀ। ତେବେ ଖୁଚୁରା ବ୍ୟବସାୟୀ ମାନେ ସାର ନଥିବା କହି ଲେଉଟାଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ନିଜ ନିକଟରେ ଗତ ବ‌ର୍ଷ ଗଚ୍ଛିତ କରି ରଖିଥିବା ସାର ପକାଇ ରୁଆ ଆରମ୍ଭ କରିଛୁ ବୋଲି ବି କିଛି ଚାଷୀ କହିଛନ୍ତି। ଜିଲାର ହୋଲସେଲର, ଖୁଚୁରା ବ୍ୟବସାୟୀ, ଲ୍ୟାମ୍ପସ୍ ଆଦିରେ ପର୍ଯ୍ୟାପ୍ତ ପରିମାଣର ସାର୍ ଗଚ୍ଛିତ ହୋଇ ରହିଛି ବୋଲି କହିଛନ୍ତି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ। ଏ ପର୍ଯ୍ୟନ୍ତ ୧୫ରୁ ୨୦ପ୍ରତିଶତ ଜମିରେ ରୁଆ ସରିବା ସହ ଏ ବର୍ଷ ବିଳମ୍ବ ହୋଇଥିବା କହିଛନ୍ତି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ। ଚାଷୀ ମାଣ୍ଡିଆ ସହ ରବି ଚାଷରେ ମାତି ରହିବା ଏବଂ ପରେ  ପ୍ରବଳ ଖରା, ସଠିକ ବ‌ର୍ଷା ନ ହେବା ଫଳରେ ଧାନ ତଳି ପକାଇବା ବିଳମ୍ବ ଯୋଗୁଁ ରୁଆ ବିଳମ୍ବ ହୋଇଛି। ୫୦ପ୍ରତିଶତରୁ ଅଧିକା ରୁଆ ଏ ସମୟରେ ସରିବା କଥା। ତେବେ ନିର୍ଦ୍ଧାରିତ ସମୟରେ ରୁଆ ଶତପ୍ରତିଶତ ସରିବା ଆଶା ରହିଛି ବୋଲି କହିଛନ୍ତି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe