ପୁରୀ: ଗତକାଲି ବିଳମ୍ବିତ ରାତିରେ ସମୁଦ୍ରକୂଳ ଥାନା ଅନ୍ତର୍ଗତ ପେଣ୍ଠକଟାରେ ଜଣେ ହୋଟେଲ ମ୍ୟାନେଜର୍ ହତ୍ୟାର ଶିକାର ହୋଇଛନ୍ତି। ପେଣ୍ଠକଟାରେ ଥିବା ଏକ ମଦ ଦୋକାନ ପଛପଟ ଅନ୍ଧକାର ଅଞ୍ଚଳରେ ଦୁର୍ବୃତ୍ତମାନେ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ହତ୍ୟା କରି ଫେରାର ହୋଇଯାଇଛନ୍ତି। ତେବେ ହତ୍ୟାକାରୀଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇଛି। ରାତି ସୁଦ୍ଧା ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ଏକାଠି ବସି ମଦ ପିଇବା ପରେ କୌଣସି କଥାକୁ ନେଇ ଯୁକ୍ତିତର୍କରୁ ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ପେଣ୍ଠକଟାସ୍ଥିତ ଏକ ମଦ ଦୋକାନ ପଛପଟୁ ଜଣେ ଯୁବକଙ୍କ ରକ୍ତାକ୍ତ ଶବ ମିଳିଥିଲା। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଶୀଲ ମିଶ୍ର, ସିଟି ଡିଏସ୍ପି ପ୍ରଶାନ୍ତ ସାହୁ ଓ ସମୁଦ୍ରକୂଳ ଥାନା ଆଇଆଇସି ମାନସ ଚକ୍ର ପ୍ରମୁଖ ସାଇଣ୍ଟିଫିକ୍ ଟିମ୍ ଡକାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ମୃତକ ପେଣ୍ଠକଟା ସାମୁଦ୍ରିକ ଥାନା ଅନ୍ତର୍ଗତ ବାଲିଗୁଆଳି ଗାଁର ରାଜା ଓରଫ ବିକ୍ରମ କେଶରୀ ପ୍ରଧାନ(୩୧) ବୋଲି ଜଣାପଡ଼ିଛି। ସେ ପେଣ୍ଠକଟା ଅଞ୍ଚଳରେ ଥିବା ହୋଟେଲ ସଫାୟାର ଇଣ୍ଟରନ୍ୟାସନାଲ୍ରେ ଫୁଡ୍ ଆଣ୍ଡ ବେଭରେଜ୍ ମ୍ୟାନେଜର୍ ଭାବେ କାମ କରନ୍ତି। ତେବେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବାବେଳେ ଏନେଇ ମୃତ ରାଜାଙ୍କ ବାପା ରବୀନ୍ଦ୍ର ପ୍ରଧାନ ସମୁଦ୍ରକୂଳ ଥାନାରେ କରିଥିବା ଅଭିଯୋଗ ଭିତ୍ତିରେ ପୁଲିସ ହତ୍ୟା ମାମଲା ରୁଜୁ କରିଛି।
ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ପୁଲିସ ହୋଟେଲ ସଫାୟାର ଇଣ୍ଟରନ୍ୟାସନାଲରେ ପହଞ୍ଚି ସିସି କ୍ୟାମେରା ଫୁଟେଜ୍କୁ ନେଇ ତଦନ୍ତ ଆରମ୍ଭ କରିଛି। ଗତକାଲି ଯଦିଓ ରାଜା ଛୁଟିରେ ଥିଲେ, ତଥାପି ସେ ହୋଟେଲକୁ ଯାଇ ରେସ୍ତୋରାଁରେ ବସି ଟିଭିରେ ଆଇପିଏଲ୍ ମ୍ୟାଚ୍ ଦେଖୁଥିବା ସିସି କ୍ୟାମେରା ଫୁଟେଜରୁ ଜଣାପଡ଼ିଥିଲା। ପୂର୍ବରୁ ରାଜା ସ୍ଥାନୀୟ ଅଞ୍ଚଳର ମାଧିଆ ଓ ବିଶୁ ସହ ମିଶି ପେଣ୍ଠକଟାସ୍ଥିତ ସାନ୍ତ୍ବନା ହୋଟେଲର ବାର୍କୁ ଯାଇ ମଦ କିଣିବା ପରେ ନିକଟସ୍ଥ ଏକ ଦୋକାନରୁ ଚାଖଣା କିଣି ମଦ ପିଇବାକୁ ଯାଇଥିବା ମଧ୍ୟ ସିସି କ୍ୟାମେରା ଫୁଟେଜ୍ରୁ ପୁଲିସ ଜାଣିବାକୁ ପାଇଥିଲା। ତେଣୁ ସେମାନଙ୍କୁ ଧରିବା ପାଇ ପୁଲିସ ପକ୍ଷରୁ ସ୍ପେଶାଲ ସ୍କ୍ବାଡ୍ ଗଠନ କରାଯାଇଥିଲା। ଏହା ସହିତ ସମୁଦ୍ରକୂଳ ଥାନା ଆଇଆଇସିଙ୍କୁ ନେଇ ଗଠିତ ଟିମ୍ ଜିଲ୍ଲା ବାହାରକୁ ଯାଇଥିଲା। ଅନ୍ୟପଟେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିଶ୍ର ଓ ସିଟି ଡିଏସ୍ପି ଶ୍ରୀ ସାହୁ ପୁରୀରେ ରହି ଏହି ମାମଲାର ଚେର ପର୍ଯ୍ୟନ୍ତ ଯିବାପାଇଁ ତଦନ୍ତ ଚଳାଇଥିଲେ। ତେବେ ଆଜି ରାତି ପ୍ରାୟ ୯ଟାରେ ସ୍ପେସାଲ୍ ସ୍କ୍ବାଡ୍ ଗୁଲୁ ଓ ବିଶୁ ନାକ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରିଛି। ଦୁହେଁ ପ୍ରଥମେ ରାଜାଙ୍କୁ ପଥରରେ ଛେଚି ରକ୍ତାକ୍ତ କରିଦେବା ପରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ହାଣି ହତ୍ୟା କରିଥିଲେ ବୋଲି ପୁଲିସ ଆଗରେ ଗୁଲୁ ଓ ବିଶୁ ସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ସିସିଟିଭି ଫୁଟେଜ୍ରେ ବିଶୁ ସହିତ ଥିବା ଅନ୍ୟ ଜଣେ ଯୁବକ ମାଧିଆକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।
Follow Us